ପଶ୍ଚିମବଙ୍ଗରେ ଲକ୍‌ଡାଉନ ପାଇଁ ଟ୍ରେନ ସେବା ପ୍ରଭାବିତ

ଭୁବନେଶ୍ୱର: ଚଳିତମାସରେ ପଶ୍ଚିମବଙ୍ଗର କିଛି ସ୍ଥାନରେ ସମ୍ପୂର୍ଣ୍ଣ ସଟ୍‌ଡାଉନ ହେଉଥିବାରୁ ପୂର୍ବତଟ ରେଳପଥରେ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପଶ୍ଚିମବଙ୍ଗରେ ଆସନ୍ତା ୨୦, ୨୧ ଓ ୨୭ ତାରିଖରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ହେଉଥିବାରୁ ୫ଟି ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ହାଓଡ଼ାରୁ ଛାଡୁଥିବା ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ପେସାଲ ଟ୍ରେନ ୨୧ ତାରିଖ ଦିନ ବାତିଲ କରାଯିବ। ଯଶୋବନ୍ତପୁରରୁ ଛାଡୁଥିବା ଯଶୋବନ୍ତପୁର-ହାଓଡ଼ା ଦୁରନ୍ତ ସ୍ପେସାଲ ଅଗଷ୍ଟ ୨୦ ତାରିଖରେ ବାତିଲ ରହିବ। ସିଆଲ୍‌ଦାରୁ ଛାଡୁଥିବା ସିଆଲ୍‌ଦା-ଭୁବନେଶ୍ୱର ଦୁରନ୍ତ ସ୍ପେସାଲ ଅଗଷ୍ଟ ୨୧, ୨୮ ଓ ୩୧ ତାରିଖରେ ବାତିଲ କରାଯିବ। ଭୁବନେଶ୍ୱରରୁ ଛାଡୁଥିବା ଭୁବନେଶ୍ୱର-ସିଆଲ୍‌ଦା ଦୁରନ୍ତ ସ୍ପେସାଲ ଅଗଷ୍ଟ ୨୨, ୨୯ ଓ ସେପ୍ଟେମ୍ବର ପହିଲା ଦିନ ବାତିଲ ରହିବ। ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସାଲ ଅଗଷ୍ଟ ୨୦, ୨୧ ଓ ୨୭ରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ।

ଆଂଶିକ ବାତିଲ ହେଉଥିବା ଟ୍ରେନଗୁଡିକ ମଧ୍ୟରେ ଅଗଷ୍ଟ ୧୯, ୨୦ ଓ ୨୬ ତାରିଖରେ ସିକନ୍ଦରାବାଦରୁ ଛାଡୁଥିବା ସିକନ୍ଦରାବାଦ-ହାଓଡ଼ା ଫଲକନୁମା ସ୍ପେସାଲ ଏକ୍ସପ୍ରେସ ଏହାର ଯାତ୍ରା ଭୁବନେଶ୍ୱରଠାରେ ସମାପ୍ତ କରିବ ଏବଂ ହାଓଡ଼ା ପର୍ଯ୍ୟନ୍ତ ଯିବନାହିଁ। ଆସନ୍ତା ୨୦, ୨୧ ଓ ୨୭ରେ ହାଓଡ଼ାରୁ ଛାଡ଼ିବାକୁ ଥିବା ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ପେସାଲ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡ଼ିବ ଏବଂ ଏହି ତାରିଖ ଗୁଡିକରେ ଏହା ହାଓଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ। ଭୁବନେଶ୍ୱରରୁ ଛାଡୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସାଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀରୁ ଆସୁଥିବା ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ପୁରୁଷୋତ୍ତମ ଏକ୍ସପ୍ରେସ ଆସନ୍ତା ୧୯, ୨୦ ଓ ୨୬ରେ ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀଠାରେ ରହଣି କରିବ ନାହିଁ। ଭୁବନେଶ୍ୱରରୁ ଛାଡୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସାଲ ରାଜଧାନୀ ଏକ୍ସପ୍ରେସ ଅଗଷ୍ଟ ୨୦, ୨୧ ଓ ୨୭ରେ ଏବଂ ନୂଆଦିଲ୍ଲୀରୁ ଆସୁଥିବା ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ରାଜଧାନୀ ଏକ୍ସପ୍ରେସ ଆସନ୍ତା ୧୯, ୨୦ ଓ ୨୬ ତାରିଖରେ ଉଭୟ ଦିଗରୁ ହିଜଲୀଠାରେ ରହଣି କରିବ ନାହିଁ। ଉପରୋକ୍ତ ଟ୍ରେନ ଗୁଡିକର ଯାତ୍ରୀମାନେ ଏଥିପ୍ରତି ଧ୍ୟାନ ଦେବା ଉଚିତ ଏବଂ ସେହି ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର