ଭୁବନେଶ୍ବର: ୩୦ଟି ଜିଲ୍ଲାର ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ସରକାରୀ ହୋର୍ଡିଂ ଲାଗିବ। ଏଥିରେ ଗାଁରୁ ସହର ପର୍ଯ୍ୟନ୍ତ ପ୍ରମୁଖ ସ୍ଥାନଗୁଡ଼ିକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ପ୍ରକଳ୍ପର ପ୍ରଚାର ପ୍ରସାର କରାଯିବ। ଏଥିପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରାୟ ୪୧ହଜାର ହୋର୍ଡିଂ ଲଗାଇବ। ଏନେଇ ଏବେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଥିରେ ଫିକ୍ସିଂର ଅଭିଯୋଗ ଆସିଛି। କିଛି ନିର୍ଦ୍ଦିଷ୍ଟ ସଂସ୍ଥାଙ୍କୁ କାର୍ଯ୍ୟାଦେଶ ଦେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଟେଣ୍ଡର ନିୟମରେ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଛି।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସେପ୍ଟେମ୍ବର ୨ତାରିଖରେ ହୋର୍ଡିଂ ଟେଣ୍ଡର ବିଜ୍ଞାପନ ପ୍ରକାଶ ପାଇଥିଲା। ହେଲେ ନିୟମରେ ପରିବର୍ତ୍ତନ କରିଦିଆଯାଇଛି। ପୂର୍ବରୁ ହୋର୍ଡିଂ ଟେଣ୍ଡରରେ ଭାଗ ନେବା ପାଇଁ ସେହି ପଞ୍ଜୀକୃତ ବ୍ୟକ୍ତି, ସଂସ୍ଥା କିମ୍ବା ଫାର୍ମଙ୍କୁ ସୁଯୋଗ ମିଳୁଥିଲା ଯେଉଁମାନେ ବର୍ଷକରେ ଅତିକମ୍ରେ ଗୋଟିଏ ୫ଲକ୍ଷ ଟଙ୍କାର ହୋର୍ଡିଂ ଲଗାଇଥିବେ ଏବଂ ବାର୍ଷିକ ୨୦ଲକ୍ଷ ଟଙ୍କା ହିସାବରେ ତିନି ବର୍ଷର ଟର୍ଣ୍ଣଓଭର ଥିବ। କିନ୍ତୁ ଏଥର ନିୟମ କରିଦିଆଗଲା ଯେ, ଜଣେ ପଞ୍ଜୀକୃତ ବ୍ୟକ୍ତି, ସଂସ୍ଥା, ଫାର୍ମ ଗତ ୫ବର୍ଷ ମଧ୍ୟରେ କୌଣସି ସରକାରୀ ସଂସ୍ଥା ବା ପିଏସ୍ୟୁରେ ତିନିଟି ୫୦ ଲକ୍ଷ ଟଙ୍କାର ହୋର୍ଡିଂ ଲଗାଇବା କାମ କରିଥିବ। ଏହାସହ ପ୍ରତିବର୍ଷ ୧କୋଟି ଟଙ୍କା ହିସାବରେ ତିନି ବର୍ଷର ଟର୍ଣ୍ଣଓଭର ଥିବ। ଏହାପରେ କ’ଣ ହେଲା କେଜାଣି ଗତ ୧୩ତାରିଖରେ ତ୍ରୁଟି ସଂଶୋଧନ ବିଜ୍ଞପ୍ତି ପ୍ରକାଶ କଲେ। ଏଥିରେ ୫ବର୍ଷ ମଧ୍ୟରେ କୌଣସି ସରକାରୀ ସଂସ୍ଥା ବା ପିଏସ୍ୟୁରେ ତିନିଟି ୫୦ଲକ୍ଷ ଟଙ୍କାର ହୋର୍ଡିଂ ଲଗାଇବା କାମ କରିଥିବା ବଦଳରେ ଗତ ୫ବର୍ଷ ମଧ୍ୟରୁ ତିନି ବର୍ଷରେ ବର୍ଷକୁ ୫୦ଲକ୍ଷ ଟଙ୍କାର ସରକାରୀ ସଂସ୍ଥା ବା ପିଏସ୍ୟୁରେ ହୋର୍ଡିଂ ଲଗାଇଥିବା ନିୟମ କରିଦେଲେ। ଗତବର୍ଷ ଯେଉଁ ଅଭିଜ୍ଞତା ରଖିଥିଲେ ସେଥିରେ ଆମୂଳଚୁଳ ପରିବର୍ତ୍ତନ କରିବା ପରେ ଏମିତି କ’ଣ ଆବଶ୍ୟକ ପଡ଼ିଲା ଯେ, ପୁଣି ୧୩ତାରିଖରେ ସଂଶୋଧନ କରାଗଲା ତାହାକୁ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ସନ୍ଦେହ ଘେରକୁ ଆସିଛି। କେବଳ ଏତିକି ନୁହେଁ।
୨୦୨୦ ପର୍ଯ୍ୟନ୍ତ ୫ଲକ୍ଷ ଟଙ୍କାର କାମ କରିଥିବା ଅଭିଜ୍ଞତା ଖୋଜୁଥିବା ବିଭାଗୀୟ ଅଧିକାରୀମାନେ ଏଥର କାହିଁକି ୫୦ଲକ୍ଷ ଟଙ୍କାର ସରକାରୀ ସଂସ୍ଥା/ପିଏସ୍ୟୁର ଅଭିଜ୍ଞତା ଖୋଜିଲେ ତାହା ବି ସନ୍ଦେହରେ। ଗତବର୍ଷ ପର୍ଯ୍ୟନ୍ତ ୨୦ଲକ୍ଷ ଟଙ୍କାର କାମ ଦେଉଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏଥର କିପରି ୫୦ଲକ୍ଷ ଟଙ୍କାର ହୋର୍ଡିଂ ଲଗାଇଥିବା ଅଭିଜ୍ଞତା ମାଗୁଛି? ଅଭିଯୋଗକାରୀଙ୍କ ସୂଚନା ଅନୁଯାୟୀ, ୨୦୧୮ ମସିହା ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ବର୍ଗଫୁଟ ପିଛା ୫୦ଟଙ୍କାରୁ ଅଧିକ ଟଙ୍କାରେ କାର୍ଯ୍ୟାଦେଶ ଦେଉଥିବା ବେଳେ ଅଧିକ ସ୍ଥାନୀୟ ଲୋକ ଟେଣ୍ଡରରେ ଭାଗ ନେବାରୁ ୨୦୧୯ରେ ଏହା ବର୍ଗଫୁଟ ପିଛା ୨୦ଟଙ୍କା ଏବଂ ୨୦୨୦ରେ ବର୍ଗଫୁଟ ପିଛା ୧୯ ଟଙ୍କାକୁ ଖସି ଆସିଥିଲା। ଅଧିକ ମୂଲ୍ୟରେ କାର୍ଯ୍ୟାଦେଶ ଦେଉଥିବା ଅଧିକାରୀମାନେ ବିଶେଷ ଉପକୃତ ନହେବାରୁ ଚଳିତବର୍ଷ ଉଦ୍ଦେଶ୍ୟମୂଳକ ଭାବେ କେବଳ ସରକାରୀ ସଂସ୍ଥା/ପିଏସ୍ୟୁରେ ଅଭିଜ୍ଞତା ଥିବା ବ୍ୟକ୍ତି/ସଂସ୍ଥାଙ୍କୁ କାମ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଯେପରି ବାହାର ରାଜ୍ୟର କିଛି ନିର୍ଦ୍ଦିଷ୍ଟ ସଂସ୍ଥା ଏଥିରେ ଉପକୃତ ହେବେ ସେନେଇ ବିଭାଗୀୟ ଅଧିକାରୀମାନେ ଚାଲ୍ ଖେଳିଛନ୍ତି।
ଅପରପକ୍ଷେ ଜଣେ ବାର୍ଷିକ ୫୦ଲକ୍ଷ ଟଙ୍କାର ବେସରକାରୀ ସଂସ୍ଥାର ହୋର୍ଡିଂ ଲଗାଇଥିଲେ କ’ଣ ସରକାରୀ ହୋର୍ଡିଂ ଲଗାଇପାରିବନି ବୋଲି ପ୍ରଶ୍ନ ଉଠିଛି। ସରକାରଙ୍କ ଅପେକ୍ଷା ବେସରକାରୀ ସଂସ୍ଥା ଅଧିକ ପ୍ରଚାର ପ୍ରସାର କରୁଥିବାବେଳେ ବହୁ ସ୍ଥାନୀୟ ଓଡ଼ିଆ ଲୋକ ଏଥିରେ ନିେୟାଜିତ ହୋଇଛନ୍ତି। କିନ୍ତୁ ସୂଚନା ଓ ଲୋକସମ୍ପର୍କ ବିଭାଗର କିଛି ନିର୍ଦ୍ଦିଷ୍ଟ ଅଧିକାରୀ ଓଡ଼ିଆ ଉଦ୍ୟୋଗୀମାନଙ୍କୁ ଯେପରି କାମ ନମିଳିବ ସେନେଇ ଟେଣ୍ଡର ଡାକିଛନ୍ତି ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ରାସ୍ତା, ପାନୀୟ ଜଳ ପ୍ରକଳ୍ପ, ସ୍ବେରେଜ୍, ବ୍ରିଜ୍ ଆଦି କାମ ଯେପରି ଓଡ଼ିଆ ଲୋକ ନପାଇବେ ତାହାକୁ ନଜରରେ ରଖି ମେଗା ପ୍ରକଳ୍ପ ନାଁରେ ବାହାର ରାଜ୍ୟର ଠିକା ସଂସ୍ଥାକୁ କାମ ଦେଉଥିବାେବଳେ ଏବେ ଏଥିରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସାମିଲ୍ ହେବାକୁ ଯାଉଛି।
ହଠାତ୍ ଟେଣ୍ଡର ନିୟମରେ କାହିଁକି ପରିବର୍ତ୍ତନ ହେଲା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଯେପରି ଅଧିକ ଭଲ ଲୋକ ଆସିବେ ତାହାକୁ ନଜରରେ ରଖି ଆମେ ଟେଣ୍ଡର ଡାକିଛୁ। ସ୍ଥାନୀୟ ଲୋକଙ୍କୁ କାମ ଦେଲେ ସେମାନେ ଠିକ୍ ସମୟରେ କାମ କରିପାରୁନାହାନ୍ତି। ତେଣୁ ଆମେ ବଡ଼ ସଂସ୍ଥାଙ୍କୁ କାମ ଦେବାକୁ ଯୋଜନା କରିଛୁ। ଯେଉଁ ଅଭିଯୋଗ ଆସୁଛି ତାହା ବିଚାର କରିବୁ। ସୂଚନାଯୋଗ୍ୟ ଯେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ୨୦୧୯ ମସିହା ପୂର୍ବରୁ ବାର୍ଷିକ ପ୍ରାୟ ୨୦କୋଟି ଟଙ୍କାର ହୋର୍ଡିଂ ଲଗାଇବା କାମ ଦେଉଥିବାବେଳେ ନିର୍ବାଚନୀ ବର୍ଷରେ ପ୍ରାୟ ୩୦କୋଟି ଟଙ୍କାର କାମ ହୋଇଥିଲା। ଗତବର୍ଷ କରୋନା ଯୋଗୁଁ କାମ ପ୍ରଭାବିତ ହୋଇଥିଲା। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ପ୍ରତି ମ୍ୟୁନିସପାଲିଟି/ଜିଲ୍ଲା ମୁଖ୍ୟାଳୟରେ ୨୦ଟି, ବ୍ଲକ ମୁଖ୍ୟାଳୟରେ ୧୫ଟି, ଏନ୍ଏସି ମୁଖ୍ୟାଳୟରେ ୧୫ଟି, ଗ୍ରାମପଞ୍ଚାୟତ ମୁଖ୍ୟାଳୟରେ ୫ଟି, ବିଏମ୍ସି ଅଞ୍ଚଳରେ ୭୫ଟି, ସମ୍ବଲପୁର, କଟକ, ବ୍ରହ୍ମପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୫୦ଟି ଲେଖାଏଁ ହୋର୍ଡିଂ ଲଗାଇବାକୁ ନିଷ୍ପତ୍ତି ନେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/tender.jpg)