ଯାଜପୁର : ଏସିଆ ମହାଦେଶର ଇସ୍ପାତ ରାଜଧାନୀ କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ କାରଖାନାରେ ୨୦୨୦ ମାର୍ଚ୍ଚରୁ ତାଲା ପଡ଼ିଛି। ଏପରିକି ୫୬.୭୦କୋଟି ବିଦ୍ୟୁତ ବିଲ୍ ବାକି ପାଇଁ କାରଖାନା ପରିସର ଏବେ ଅନ୍ଧାରରେ। ଏଭଳି ସ୍ଥିତିରେ ନୀଳାଚଳ କ୍ୟାପଟିଭ୍ ମାଇନସ୍ ଗତକାଲି ଶୁଭାରମ୍ଭ ହୋଇଛି। କାରାଖାନା ବନ୍ଦ ଥିବା ବେଳେ ଖଣି ଖନନ କାହା ସ୍ବାର୍ଥରେ ବୋଲି ପ୍ରଶ୍ନ ଉଠୁଛି।

Advertisment

ଇସ୍ପାତ ଉତ୍ପାଦନ ବୃଦ୍ଧି ସହିତ ନୀଳାଚଳ କାରଖାନାର କ୍ଷତିକୁ ଭରଣା ପାଇଁ ରାଜ୍ୟ ସରକାର ୨୦୧୭ ମସିହାରେ କୋଇଡା ଅଞ୍ଚଳର ମିଥିରଡ଼ା ଲୁହାପଥର ଖଣି ବ୍ୟବସ୍ଥା କରିଥିଲେ। କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଏମ୍‌ଏମ୍‌ଟିସି, ଏନ୍‌ଏମ୍‌ଡିସି, ରାଜ୍ୟ ସରକାରଙ୍କର ଓଏମ୍‌ସି ଓ ଇପିକଲ ଭଳି ସଂସ୍ଥାଗୁଡ଼ିକ ନୀଳାଚଳ କାରଖାନା ପରିଚାଳନାରେ ମୁଖ୍ୟ ଅଂଶୀଦାର ଥିବା ସତ୍ତ୍ବେ କାରଖାନା ଲଗାତର ଶହ ଶହ କୋଟି ଟଙ୍କା କ୍ଷତି କରିଚାଲିଥିଲା। କାରଖାନାରେ ତାଲା ପଡ଼ିବା ଫଳରେ ଦେଢ଼ ହଜାର କର୍ମଚାରୀ, ୨ ହଜାର ଠିକା କର୍ମଚାରୀ ଓ ଶ୍ରମିକ ତଥା ଜମିହରାମାନେ ଭୋକ ଉପବାସରେ ଦିନ କାଟୁଛନ୍ତି। ପରିବାର ପେଟକୁ ଦାନା ଦେବା ପାଇଁ ଅନେକ ଦିନ ମଜୁରିଆ ସାଜିଛନ୍ତି। ଇତି ମଧ୍ୟରେ ୧୯ଜଣ ଆର୍ଥିକ ଅନଟନ ଓ ମାନସିକ ଚାପରେ ଅକାଳ ମୃତ୍ୟୁବରଣ କଲେଣି। ଏଭଳି ଭୟଙ୍କର ସ୍ଥିତିରେ ନୀଳାଚଳ କାରଖାନା ନାମରେ ଖଣି ଉତ୍ପାଦନ ଗତକାଲି ଠାରୁ ଏନ୍‌ଏମ୍‌ଡିସି ସହଯୋଗରେ ଆରମ୍ଭ ହୋଇଛି। ଏହାକୁ ନେଇ କର୍ମଚାରୀ ଓ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ନୀଳାଚଳର ଏହି କ୍ୟାପଟିଭ ମାଇନ୍ସରୁ ୨ ବର୍ଷ ଉତ୍ପାଦନ ଜରିଆରେ କର୍ମଚାରୀଙ୍କ ଦରମା ଭରଣା କରାଯିବ ବୋଲି ୨୦୨୦ ନଭେମ୍ବର ୧୦ ତାରିଖରେ ଉଚ୍ଚସ୍ତରୀୟ ବୈଠକରେ ଇସ୍ପାତ ଓ ବାଣିଜ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ହୋଇଥିଲା। ଏବେ ସୁଦ୍ଧା କର୍ମଚାରୀଙ୍କ ବକେୟା ପ୍ରାପ୍ୟ ୧୪୦ କୋଟି ଟଙ୍କା ରହିଛି। ସେହିପରି ୨୦୨୦ ମାର୍ଚ୍ଚ ସୁଦ୍ଧା କାରଖାନାର ମୋଟ ବକେୟା ୬ ହଜାର ୧୬୯ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଏହି ପରିପେକ୍ଷୀରେ ବନ୍ଦ କାରଖାନା କିଣିବା ପାଇଁ ଟାଟା ଷ୍ଟିଲ୍, ଜେଏସଡବ୍ଲ୍ୟୁ, ମିତ୍ତଲ ଓ ନିପନ ଷ୍ଟିଲ, ବେଦାନ୍ତ ପ୍ରମୁଖ ଆଗ୍ରହୀ ଥିବାର ଜଣାପଡ଼ିଛି। ଖଣି ଖୋଲିବା ପରେ ବନ୍ଦ କାରଖାନା ତୁରନ୍ତ ବିକ୍ରି ହୋଇଯିବ ବୋଲି କେତେକ ମତବ୍ୟକ୍ତ କରିଛନ୍ତି। ତେବେ କାରଖାନା ବିକ୍ରି ଓ ଚାଲୁ କରିବାକୁ ଅଂଶୀଦାରଗୁଡ଼ିକ ତତ୍ପରତା ପ୍ରକାଶ କରୁନଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। କାରଖାନା ଚାଲୁ ନକରି ଖଣି ଖୋଳି ବିକ୍ରି କରିବାକୁ ମସୁଧା ଚାଲିଛି ବୋଲି ମଧ୍ୟ ଆଲୋଚନା ହେଉଛି। ଖଣିଜ ଉତ୍ପାଦନ ଦ୍ବାରା କାରଖାନା ଓ କର୍ମଚାରୀଙ୍କ ସ୍ବାର୍ଥରେ କେତେ ଉପଯୋଗ ହୋଇପାରୁଛି ସେ ନେଇ ବିଭିନ୍ନ ଶ୍ରମିକ ସଂଗଠନ ସନ୍ଦେହ ପ୍ରକାଶ କରିଛନ୍ତି।