ଶ୍ରୀମନ୍ଦିରରେ ଦୁଇଗୁଣ ପାଳିଆ କାହା ସ୍ବାର୍ଥରେ?

ଖାଲି ହେଉଛି ଶ୍ରୀମନ୍ଦିର ରାଜକୋଷ, ଅବାଟରେ ଖର୍ଚ୍ଚ ହେଉଛି ଭକ୍ତଙ୍କ ଦାନ, ମାସିକ ଦେଢ଼ କୋଟି ଦେଉଛି ଶ୍ରୀମନ୍ଦିର ପ୍ରଶାସନ

ପୁରୀ: କୋଭିଡ୍‌ କଟକଣା ହଟିଲାଣି। ଆଉ ପୂର୍ବପରି କିଓସ୍କୋ ବ୍ୟବସ୍ଥା ନାହିଁ କି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ପଡ଼ୁନି। ସପ୍ତାହକୁ ୭ ଦିନ ଶ୍ରୀମନ୍ଦିର ବି ଭକ୍ତଙ୍କ ପାଇଁ ଖୋଲା ରହିଛି। ଏବେ ଦୈନିକ ୪୦ରୁ ୬୦ହଜାର ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଛନ୍ତି। ପର୍ବପର୍ବାଣୀରେ ଭକ୍ତ ସଂଖ୍ୟା ଲକ୍ଷାଧିକ ଟପିଯାଉଛି। ଏହାସତ୍ତ୍ବେ ସେବାୟତଙ୍କୁ ମିଳୁଛି ଦୁଇଗୁଣ ପାଳିଆ ପୁରସ୍କାର। ଶ୍ରୀମନ୍ଦିର ପ୍ରଶାସନ ଏହି ଦୁଇଗୁଣ ପାଳିଆ ବାବଦକୁ ପ୍ରାୟ ଦେଢ଼ କୋଟି ଟଙ୍କା ମନ୍ଦିର ରାଜକୋଷରୁ ଖର୍ଚ୍ଚ କରୁଛି। ୧୧ଶହରୁ ଅଧିକ ସେବାୟତଙ୍କୁ ଏହି ଟଙ୍କା ପ୍ରଦାନ କରଯାଉଛି। ଯାହା ଭକ୍ତ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। କୋଭିଡ୍‌ କଟକଣା ହଟିବା ସତ୍ତ୍ବେ ଭକ୍ତଙ୍କ ଦାନ କାହିଁକି ଏଭଳି ଅବାଟରେ ଖର୍ଚ୍ଚ କରାଯାଉଛି ବୋଲି ଭକ୍ତ ସମାଜ ପ୍ରଶ୍ନ କରିଛନ୍ତି।

କୋଭିଡ୍‌ ସମୟରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବା ଓ ଭକ୍ତଙ୍କ ଆଗମନ କମିବା ପରେ ମନ୍ଦିର ପ୍ରଶାସନ ସେବାୟତଙ୍କ ସ୍ଥିତିକୁ ଦେଖି ଦୁଇଗୁଣ ପାଳିଆର ଘୋଷଣା କରିଥିଲା। କାରଣ ଯେଉଁ ଭକ୍ତଙ୍କଠାରୁ ସେବାୟତମାନେ ଦାନଦକ୍ଷିଣା ପାଉଥିଲେ, ଭକ୍ତ ନ ଆସିବାରୁ ତାହା ବନ୍ଦ ହୋଇଯାଇଥିଲା। ସେପଟେ ପ୍ରତି ସେବାୟତ ପରିବାରକୁ ବି ୫ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିଲା। ଇତିମଧ୍ୟରେ କେବଳ ମାସ୍କ ପରିଧାନ କଟକଣାକୁ ଛାଡ଼ିଦେଲେ, ବାକି ସବୁ କଟକଣା ହଟାଇ ଦିଆଯାଇଛି। ଏହାସତ୍ତ୍ବେ ଶ୍ରୀମନ୍ଦିର ପ୍ରଶାସନ କୋଭିଡ୍‌ ସ୍ଥିତି ଭଳି ସେବାୟତଙ୍କୁ ଦୁଇଗୁଣ ପାଳିଆ ପୁରସ୍କାର ଦେଇ ଶ୍ରୀମନ୍ଦିର ରାଜକୋଷ ଖାଲି କରିବାରେ ଲାଗିଛି। ରଥଯାତ୍ରା ପର୍ଯ୍ୟନ୍ତ ଏହି ଦୁଇଗୁଣ ପାଳିଆ ପୁରସ୍କାର ଦିଆଯିବ ବୋଲି ଜଣାପଡ଼ିଛି।

ସେବାୟତମାନେ ଶ୍ରୀମନ୍ଦିରରେ ପାଳି ଖଟି ପାଳିଆ ପୁରସ୍କାର ପାଇଥାନ୍ତି। ଗୋଟିଏ ପାଳି ବାବଦ କେଉଁ ସେବାୟତଙ୍କୁ ୫ଶହ ତ କେଉଁ ସେବାୟତରୁ ୭ଶହ ଟଙ୍କା ମିଳିଥାଏ। ସେହିପରି ପୁଣି କେଉଁ ସେବାୟତକୁ ୧ହଜାର ତ କାହାକୁ ୧୨ଶହରୁ ଅଧିକ ଟଙ୍କା ମିଳୁଛି। ଦୁଇଗୁଣ ପାଳିଆମାନେ ଯଦି, କେହି ଗୋଟିଏ ପାଳି ଖଟିବ, ତାଙ୍କ ପୁରସ୍କାରର ଦୁଇଗୁଣା ପୁରସ୍କାର ପାଇବ। ଅର୍ଥାତ୍‌ ଯଦି କେହି ଗୋଟିଏ ପାଳି ପାଇଁ ୫ଶହ ଟଙ୍କା ପାଉଛି, ତାକୁ ୧ହଜାର ଟଙ୍କା ମିଳିବ। ଦେଖିବାକୁ ଗଲେ, ଆଜି ଯେଉଁ ଦୁଇଗୁଣ ପାଳିଆ ପୁରସ୍କାର ସେବାୟତଙ୍କୁ ଦିଆଯାଉଛି, ତାହା ଭକ୍ତଙ୍କ ଦାନ ଅର୍ଥରୁ ଦିଆଯାଉଛି। ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିରେ ଅବା ଅନ୍ୟ ଉପାୟରେ ଶ୍ରୀମନ୍ଦିର ପ୍ରଶାସନକୁ ଯେଉଁ ଦାନ ଦେଉଛନ୍ତି, ସେଥିରୁ ଏହି ଖର୍ଚ୍ଚ ହେଉଛି। ଏହି ଅର୍ଥରେ ଶ୍ରୀମନ୍ଦିରର ଅନ୍ୟ କିଛି ବିକାଶ କାର୍ଯ୍ୟ କରାଯାଇ ପାରନ୍ତା। କିନ୍ତୁ ଏଭଳି ଦୁଇଗୁଣ ପାଳିଆ ପୁରସ୍କାରରେ ଖର୍ଚ୍ଚ କରିବା ଆଦୌ ଠିକ୍‌ ନୁହେଁ ବୋଲି ଭକ୍ତ କହିଛନ୍ତି।

ସମ୍ବନ୍ଧିତ ଖବର