କାହା ସ୍ବାର୍ଥରେ ବାଲି ମାଫିଆଙ୍କୁ ଅନୁଗ୍ରହ?

କରଞ୍ଜିଆ: କରଞ୍ଜିଆ, ରରୁଆଁ, ଶୁକୃଳି ଆଦି ଅଞ୍ଚଳର ବିଭିନ୍ନ ନଦୀପଠାରୁ ଦିନରାତି ବାଲି ଉତ୍ତୋଳନ ହେଉଥିବାବେଳେ ରାଜସ୍ବ ବିଭାଗ ନିରବଦ୍ରଷ୍ଟା ସାଜିଛି। ବାଲି ମାଫିଆମାନେ ରାସ୍ତାକଡ଼ ଓ ଜଙ୍ଗଲ ଭିତରେ ଅସ୍ଥାୟୀ ବାଲି ଡିପୋ କରିଥିବା ବେଳେ ଚଢ଼ା ଦରରେ ବାଲି ବିକ୍ରି କରୁଛନ୍ତି। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ରାଜସ୍ବ ବିଭାଗ ଧର୍ମକୁ ଆଖିଠାର ନୀତିରେ ନାମକୁ ମାତ୍ର କେତେଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରି ଜରିମାନା କରିଛି। କିନ୍ତୁ ବିଭିନ୍ନ ନଦୀପଠାରୁ ଅବୈଧ ବାଲି ଉତ୍ତୋଳନ ଉପରେ ଏଯାବତ କୌଣସି ପଦକ୍ଷେପ ନିଆଯାଇନାହିଁ।

ବୈତରଣୀ ନଦୀର ଇନ୍ଦିପୁର ବରାଡ଼ପାଳ ଘାଟରୁ ଦୈନିକ ଶହ ଶହ ଟ୍ରିପ୍ ବାଲି ଉତ୍ତୋଳନ ହୋଇ ଟ୍ରକ ଯୋଗେ କରଞ୍ଜିଆ ଅଞ୍ଚଳରେ ଗଚ୍ଛିତ କରି ରଖାଯାଉଛି। କରଞ୍ଜିଆ ବ୍ଲକର ଚଢେଇଭଳ, ଘୋଷଦା, ମହାଦେବ ଦେଉଳି ଓ ଏହାର ଆଖପାଖ ଗ୍ରାମରେ ପ୍ରାୟ ୨ ହଜାର ଟ୍ରକ୍‌ ବାଲି ଗଚ୍ଛିତ ରହିସାରିଲାଣି। ଏହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ। ବର୍ତ୍ତମାନ ଗୋଟିଏ ହାଇୱା ଟ୍ରକ ବାଲି ଟ୍ରିପ୍‌ର ଦାମ ୧୦ରୁ ୧୨ ହଜାର ଟଙ୍କା ରହିଛି। ଇନ୍ଦିପୁର ବରଦାପାଳ ଘାଟରେ ଦୁଇଟି ଯନ୍ତ୍ରଚାଳିତ ଡଙ୍ଗା ଓ ଦୁଇଟି ଜେସିବି ଦ୍ବାରା ଅହରହ ବାଲି ଉତ୍ତୋଳନ କରାଯାଉଛି। ନଦୀକୂଳଠାରୁ ମାତ୍ର ଅଳ୍ପ ଦୂରରେ ବାଲି ଖନନ ହେଉଥିବାରୁ ନଦୀରେ ଏକାଧିକ ଗଣ୍ଡ ସୃଷ୍ଟି ହୋଇ ସାରିଲାଣି। ଯାହାଫଳରେ ଗୋରୁଗାଈ ଓ ନଦୀକୁ ଗାଧୋଇବା ଲାଗି ଆସୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ବଢ଼ିବାରେ ଲାଗିଛି।

ଅନ୍ୟପକ୍ଷରେ ନଦୀଶଯ୍ୟା ଖନନ ଯୋଗୁଁ ନଦୀ ଗତିପଥ ପରିବର୍ତ୍ତନ ହେବାର ଆଶଙ୍କା କରିଛନ୍ତି ପରିବେଶବିତ। ଏବେ ନ ହେଲେ ବି ବର୍ଷା ଦିନେ ନଦୀକୂଳ ସଂଲଗ୍ନ ଜନବସତି ପ୍ରତି ଏହା ଘୋର ବିପଦ ସୃଷ୍ଟି କରିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅତ୍ୟଧିକ ବାଲି ଉତ୍ତୋଳନ କାରଣରୁ ଜିଲ୍ଲାରୁ ଲଘୁ ଖଣିଜ ସଂପଦ ମଧ୍ୟ ହ୍ରାସ ପାଇବାରେ ଲାଗିଛି।

ଖଣି ଓ ପରିବେଶ ନିୟମର ଖୋଲା ଉଲ୍ଲଂଘନ କରି ନଦୀଶଯ୍ୟାରୁ ରୀତିମତ ବାଲି ଉତ୍ତୋଳନ ଚାଲିଥିଲେ ବି ରାଜସ୍ବ ବିଭାଗ କାହିଁକି ଉଦାସୀନ ରହିଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିକଟରେ ବଡ଼ସାହି ବ୍ଳକ ବୁଢ଼ାବଳଙ୍ଗ ନଦୀଶଯ୍ୟାରୁ ଅବିଚାରିତ ବାଲି ଉତ୍ତୋଳନ ପାଇଁ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) କଠୋର ଆଭିମୁଖ୍ୟ ପୋଷଣ କରିଥିଲେ। ଏହି ଘଟଣାରେ ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଥିବାବେଳେ ଲିଜ୍‌ଧାରୀଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ତା’ ସତ୍ତ୍ବେ ରାଜସ୍ବ ବିଭାଗ ଏହି ସମ୍ବେଦନଶୀଳନ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍ପରତା ପ୍ରକାଶ ନ କରିବା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର