ଅପହଞ୍ଚ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ: ଯାତାୟାତରେ ବାଧକ କଳସା ନାଳ

ଦୁର୍ଦ୍ଦଶା ଭୋଗୁଛନ୍ତି ୪ ୱାର୍ଡବାସୀ

ଦଶପଲ୍ଲା: ବର୍ଷ ପରେ ବର୍ଷ ବିତୁଛି। ପଂଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ହେଉଛି। ତୃଣମୂଳ ସ୍ତରରୁ ଆରମ୍ଭ କରି ସଂସଦ ଭବନ ପର୍ଯ୍ୟନ୍ତ ବଦଳୁଛନ୍ତି ନେତା ଓ ମନ୍ତ୍ରୀ। ହେଲେ ବଦଳୁନି ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଉପାନ୍ତ ଆଦିବାସୀ ବହୁଳ ନୂଆଗାଁ ପଂଚାୟତବାସୀଙ୍କ ଭାଗ୍ୟ। ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍ ଏବଂ ପାନୀୟ ଜଳ ଭଳି ମୈାଳିକ ସୁବିଧା ସୁଯୋଗରୁ ବର୍ଷବର୍ଷ ଧରି ବଂଚିତ ହେଉଥିବା ଅଂଚଳବାସୀଙ୍କ ଯାତାୟାତରେ ମୁଖ୍ୟ ପ୍ରତିବନ୍ଧକ ସାଜୁଛି କଳସାନାଳ। ଦଶପଲ୍ଲା ବ୍ଲକ୍‌ଠାରୁ ନୂଆଗାଁ ପଂଚାୟତର ଦୂରତା ହେଉଛି ୫୫ କିମି। ପଂଚାୟତ କାର୍ଯ୍ୟାଳୟଠାରୁ ୫/୬ କିମି ଦୂରରେ ଅବସ୍ଥିତ ମିନାଗାଡୁ, ଧୁନ୍ଦୁଗାଡିଆ, ଗୁଣ୍ତୁରିସାହି, ଦୋଳମୁଣ୍ତାଇ ଏବଂ ବଡତଇଲା ଗ୍ରାମକୁ ନେଇ ୪ଟି ୱାର୍ଡ ଗଠିତ। ଏସବୁ ଗ୍ରାମରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ବସବାସ କରୁଥିବା ବେଳେ ପଂଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସ୍କୁଲ୍‌, ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଦୋକାନ ବଜାର ସମେତ ଦୈନନ୍ଦୀନ ଯାତାୟାତ ପାଇଁ ଗ୍ରାମବାସୀ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହି ରାସ୍ତା ନିର୍ମାଣ ପାଇଁ ଅଂଚଳବାସୀ ଦୀର୍ଘବର୍ଷ ଧରି ଦାବି କରି ଆସୁଛନ୍ତି।

ହେଲେ ପଂଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ନେତା ଏହି ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇ ଚାଲିଥିବା ବେଳେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବଡ଼କଥା ହେଉଛି ଯାତାୟାତ ସମୟରେ କଳସାନାଳ ସମସ୍ୟା ସୃଷ୍ଟି କରୁଛି। ବର୍ଷର ୮ ମାସ ଯେନତେନ ଚଳି ଯାଉଥିବା ବେଳେ ଅସରାଏ ବର୍ଷା ହେଲେ ରାସ୍ତାରେ ପଶି ହେଉନହେବା ସହ ନାଳ ପାର ହେବା ପାଇଁ ବହୁ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି। ଫଳରେ ବର୍ଷା ୪ ମାସ ପଂଚାୟତ କାର୍ଯ୍ୟାଳୟକୁ ରାସନ ଓ ଭତ୍ତା ଆଣିବାକୁ ହେଉକି ଛାତ୍ରାଛାତ୍ରୀମାନେ ପାଠପଢି ଆସିବା ପାଇଁ ବହୁ ସମସ୍ୟା ସୃଷ୍ଟି ହେଉଛି। ଏପରିକି ଗର୍ଭବତୀ ମହିଳାଙ୍କଠାରୁ ଆରମ୍ଭ କରି ଗୁରୁତର ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ପାଇଁ ହେଲେ ପ୍ରାୟ ୫ କିମି ଭାରା କରି ଆଣିବାକୁ ପଡ଼ିଥାଏ। ସେହିଭଳି ଏସବୁ ଗ୍ରାମରେ ପାନୀୟ ଜଳ କଥା ନ କହିବା ଭଲ। ରହିଥିବା ନଳକୂପଗୁଡ଼ିକ ଅଧିକାଂଶ ସମୟ ଅଚଳ ହୋଇ ପଡୁଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ଥିବା କୂଅ କିମ୍ବା ନଳରୁ ପାଣି ବ୍ୟବହାର କରିବାକୁ ପଡ଼ୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହି ରାସ୍ତାରେ ପ୍ରତିବର୍ଷ ନାମକୁ ମାତ୍ର ମାଟି ଓ ମୋରମ ପକାଇ ଲକ୍ଷଲକ୍ଷ ଟଙ୍କା ଚଳୁ କରାଯାଉଥିବା ବେଳେ ତୁରନ୍ତ ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର