ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତାକୁ ପଲିଥିନ୍‌ ପ୍ରଭାବିତ କରୁଛି। ଜଙ୍ଗଲଠୁ ଆରମ୍ଭ କରି ଭିତରକନିକା ଭିତରେ ଓ ବାହାରେ ପ୍ରବାହିତ ନଦୀ, ନାଳ ଓ ସମୁଦ୍ରରେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ଭାସୁଛି। ଏହି ପଲିଥିନ୍‌ ଜୀବଜନ୍ତୁଙ୍କ ଜୀବନ ନେଉଛି। ଏଠାରେ ମୃତ୍ୟୁବରଣ କରୁଥିବା ବାର୍‌ହା ଓ ହରିଣଙ୍କ ଶବ ବ୍ୟବଚ୍ଛେଦ ବେଳେ ସେମାନଙ୍କ ପେଟରୁ ପଲିଥିନ୍‌ ମିଳୁଛି। ୨୦୨୨ରେ ୧୭ ଫୁଟ୍‌ ୮ଇଞ୍ଚ୍‌ ଲମ୍ବର ମୃତ କୁମ୍ଭୀର ପେଟରୁ ଦୁଇଟି କଳା ପଲିଥିନ୍‌, ଗୋଟିଏ ପ୍ଲାଷ୍ଟିକ୍‌ ଦଉଡ଼ି ଓ ଝୋଟ ଅଖା ମିଳିଥିଲା। କୁମ୍ଭୀରଟି ଏସବୁ ଗିଳିବା ପରେ ହଜମ ନହେବାରୁ ତାର ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ କହୁଛି। ବିରାଟକାୟ କୁମ୍ଭୀରର ମୃତ୍ୟୁପରେ ସବୁସ୍ତରରେ ଭିତର କନିକାକୁ ପଲିଥିନ୍‌ ମୁକ୍ତ କରିବାକୁ ଦାବି ହେଉଥିଲେ ମଧ୍ୟ ବନବିଭାଗର ପଦକ୍ଷେପ କଡ଼ାକଡ଼ି ହୋଇପାରୁନି।

Advertisment

ବନବିଭାଗ ପକ୍ଷରୁ ଅଗଷ୍ଟ ୨୦୨୩ରୁ ଭିତରକନିକାକୁ ଆସୁଥିବା ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ଲାଷ୍ଟିକ୍‌ ବୋତଲ ନେବା ଉପରେ କଟକଣା ଲଗାଯାଇଛି। ପ୍ରତି ପ୍ଲାଷ୍ଟିକ୍‌ ପାଣି ବୋତଲ ପିଛା ୫୦ ଟଙ୍କା ଲେଖାଏଁ ପର୍ଯ୍ୟଟକଙ୍କ ଠାରୁ ରଖାଯାଉଛି। ଏହା ବଦଳରେ ପର୍ଯ୍ୟଟକଙ୍କୁ ଭିତରକନିକା ଲୋଗୋ ଥିବା ଟୋକନ୍‌ ଦିଆଯାଉଛି। ପର୍ଯ୍ୟଟକମାନେ ଭିତରକନିକା ବୁଲି ଫେରିବା ପରେ ଫାଟକ ନିକଟରେ ଯେତିକି ପ୍ଲାଷ୍ଟିକ୍‌ ବୋତଲ ନେଇଥିଲେ ସେତିକି ବୋତଲ ଦେଖାଇବା ସହ ଟୋକନ୍‌ ଫେରାଇ ୫୦ ଟଙ୍କା ଲେଖାଏଁ ଫେରସ୍ତ ନେଉଛନ୍ତି। ପରୀକ୍ଷାମୂଳକ ଭାବେ ଭିତରକନିକାକୁ ପଲିଥିନ୍‌ ମୁକ୍ତ କରିବା ପାଇଁ ବନବିଭାଗ ଉଦ୍ୟମ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ସଫଳ ହୋଇପାରିନି। କେବଳ ଡାଙ୍ଗମାଳରେ ଏହି କଟକଣା କଡ଼ାକଡ଼ି ଥିବାବେଳେ ଗୁପ୍ତି, ଖୋଳା ଓ ଚାନ୍ଦବାଲି ପ୍ରବେଶପଥରେ ଏହା କଡ଼ାକଡ଼ି ଭାବେ ପାଳନ ହେଉନି।

ସୂଚନାଯୋଗ୍ୟ ଯେ ଭିତରକନିକାରେ ପଲିଥିନ୍‌ ନିଷେଧ ପାଇଁ ୨୦୧୩ରୁ ଆଇନ ହେଲାଣି। ମାତ୍ର ତାହା କେବଳ କାଗଜକଲମରେ ସୀମିତ ରହିଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଏକକ ବ୍ୟବହାର ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପୂର୍ବରୁ ୫୦ ମାଇକ୍ରନରୁ କମ୍ ପଲିଥିନ୍‌ ବ୍ୟବହାର ନିଷେଧ ଥିବାବେଳେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନା ସଂଶୋଧନ ନିୟମ ୨୦୨୧ ଅନୁଯାୟୀ ପୁନଃପ୍ରକ୍ରିୟାକରଣ ପଦ୍ଧତିରେ ପ୍ରସ୍ତୁତ ୭୫ ମାଇକ୍ରନରୁ କମ୍ ପ୍ଲାଷ୍ଟିକ ବ୍ୟାଗ୍‌ ଉତ୍ପାଦନ, ବିକ୍ରି ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏବେ ୧୦୦ ମାଇକ୍ରନ୍‌ରୁ କମ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ନିଷେଧ କରିବା ପାଇଁ ତର୍ଜମା ଚାଲିଛି। ଜାତୀୟ ଉଦ୍ୟାନକୁ ପ୍ରତିଦିନ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ପର୍ଯ୍ୟଟକ ଫୋପାଡ଼ୁଥିବା ପଲିଥିନ ଓ ପ୍ଲାଷ୍ଟିକ୍‌ ବୋତଲ କୁମ୍ଭୀର ପେଟକୁ ଯାଉଛି। ଯାହାକି ସେମାନଙ୍କ ପାଇଁ ବିପଦର କାରଣ ହେଉଛି।