ଭୁବନେଶ୍ବର: ମାସ ପରେ ମାସ ଗଡ଼ୁଛି। ବର୍ଷ ପରେ ବର୍ଷ ବିତୁଛି। ୨୦୨୦ରେ ନିଯୁକ୍ତ ହୋଇଥିବା କୁଳପତିଙ୍କ କାର୍ଯ୍ୟକାଳ ଇତି ମଧ୍ୟରେ ଶେଷ ହେବାକୁ ବସିଲାଣି। ମାତ୍ର ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ତୁଟୁ ନାହିଁ କି ନିଯୁକ୍ତି ପ୍ରକ୍ରିୟା ଆଗେଇପାରୁନି। ଯେଉଁଥିପାଇଁ ଏବେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟଗୁଡ଼ିକରେ ଅଚଳାବସ୍ଥା ଦେଖାଦେଇଛି। ଆବଶ୍ୟକ ପ୍ରଫେସର ନ ଥିବାରୁ ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଆଗକୁ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଥିବାରୁ ଛାତ୍ରଛାତ୍ରୀ ଏବେ ଚିନ୍ତାରେ। ୪ ବର୍ଷ ହେଲା ଆଇନକୁ ନେଇ ଓଡ଼ିଶା ସରକାର ଓ ୟୁଜିସି ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ପୂର୍ଣ୍ଣଛେଦ ପଡ଼ୁ ନାହିଁ। ଉଭୟ ନିଜ ନିଜ ଜିଦିରେ ଅଡ଼ି ବସିଥିବାରୁ ସମସ୍ୟା ଆହୁରି ସଙ୍ଗୀନ ହୋଇଛି। କେବଳ ନିଯୁକ୍ତି ପ୍ରକ୍ରିୟା ନୁହେଁ, ବିଶ୍ବବିଦ୍ୟାଳୟ ମୁଖିଆ ଚୟନରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଏବେ ୩ଟି ବିଶ୍ବବିଦ୍ୟାଳୟରେ କୁଳପତି ନାହାନ୍ତି। ଆଗକୁ ଆହୁରି ୩ଟି ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏହାଦ୍ବାରା ଅଧାରୁ ଅଧିକ ବିଶ୍ବବିଦ୍ୟାଳୟ ମୁରବୀ ଶୂନ୍ୟ ହେବା ଏକପ୍ରକାର ଥୟ।

Advertisment

ଆବଶ୍ୟକ ଭିତ୍ତିଭୂମି ନ ଥିଲେ ମଧ୍ୟ ୨୦୨୩ରେ ରାଜ୍ୟର ଦୁଇଟି ସ୍ବୟଂଶାସିତ ମହାବିଦ୍ୟାଳୟ ଯଥା‌ କେନ୍ଦୁଝରର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟ ଓ କୋରାପୁଟର ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ସମ୍ପ୍ରସାରଣ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ଓଡ଼ିଆ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରିଥିଲେ। ତା’ସାଙ୍ଗକୁ ଓଡ଼ିଆ ବିଶ୍ବବିଦ୍ୟାଳୟ‌ରେ ନାମଲେଖା ହୋଇଥିଲା। ଇତିମଧ୍ୟରେ ଗୋଟିଏ ଶିକ୍ଷାବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥାୟୀ ପ୍ରଫେସର ନିଯୁକ୍ତ ହୋଇପାରି ନାହାନ୍ତି। ସେପଟେ ସର୍ବପୁରାତନ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଉତ୍କଳଠାରୁ ଆରମ୍ଭ କରି କଳାହାଣ୍ଡି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ କେଉଁଠି ପ୍ରଫେସର ନାହାନ୍ତି ତ ଆଉ କେଉଁଠି ଭିତ୍ତିଭୂମି ଅଭାବ ଲାଗିରହିଛି।
ଗତ ବିଧାନସଭା ଅଧିବେଶନ ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ଖଲ୍ଲିକୋଟ, ବିକ୍ରମଦେବ ଓ ଧରଣୀଧର ବିଶ୍ବବିଦ୍ୟାଳୟରେ ଶିକ୍ଷକ ପଦବି ସୃଷ୍ଟି ହୋଇ ନ ଥିଲା। କଟକସ୍ଥିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ସ୍ଥାୟୀ ପ୍ରଫେସର ନିଯୁକ୍ତ ହୋଇ ନାହାନ୍ତି। ବଲାଙ୍ଗୀରର ରା‌ଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଇଁ ମଞ୍ଜୁରି ହୋଇଥିବା ୧୨୬ ପ୍ରଫେସର, ସହଯୋଗୀ ଓ ସହକାରୀ ପ୍ରଫେସରଙ୍କ ମଧ୍ୟରୁ ଅଛନ୍ତି ମାତ୍ର ୧୧ଜଣ।

ଚଳିତ ଶିକ୍ଷାବର୍ଷରେ ମଧ୍ୟ ଅତିଥି ଅଧ୍ୟାପକ ଭରସା
ଭାରପ୍ରାପ୍ତ କୁଳପତିରେ ଚାଲିଛି ୩ ବିଶ୍ବବିଦ୍ୟାଳୟ
ନଭେମ୍ବରରେ ଆଉ ୩ କୁଳପତିଙ୍କ କାର୍ଯ୍ୟକାଳ ସରିବ

କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ମଞ୍ଜୁରି ହୋଇଥିବା ୧୧୨ ମଧ୍ୟରୁ ମାତ୍ର ୪ଜଣ ଅଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟରେ ୧୧୧, ବ୍ରହ୍ମପୁରରେ ୮୩, ସମ୍ବଲପୁରରେ ୬୩, ରେଭେନ୍ସାରେ ୧୫୬, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ(ଏମ୍‌ଏସ୍‌ସିବି)ରେ ୬୪, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ୧୮, ଫକୀର ମୋହନ ବିଶ୍ବବିଦ୍ୟାଳୟରେ ୪୩, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୭୭, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ୭୨ ଶିକ୍ଷକ ପଦବି ଖାଲି ପଡ଼ିଛି। ଇତିମଧ୍ୟରେ ଆହୁରି ଅନେକ ପ୍ରଫେସର ଅବସର ଗ୍ରହଣ କରିସାରିଲେଣି। ହେଲେ ନୂତନ ନିଯୁକ୍ତି ହୋଇପାରି ନାହିଁ।
୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଏବେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ପୁଣିଥରେ ସମସ୍ୟା ସୃଷ୍ଟି ହୋଇଛି। ଆବଶ୍ୟକୀୟ ପ୍ରଫେସର ନ ଥିବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷମାନେ କିଭଳି ଶିକ୍ଷା ପ୍ରଦାନ କରିବେ ତାହାକୁ ନେଇ ହାତ ଟେକିଦେଲେଣି। ନୂତନ ନିଯୁକ୍ତି ପ୍ରକ୍ରିୟା ହେଉ ନ ଥିବାରୁ ଯେଉଁମାନେ ରହିଛନ୍ତି ସେମାନଙ୍କୁ ନେଇ କାମ କରୁଛନ୍ତି। ଆଗକୁ କ’ଣ କରିବେ ଜାଣି ନ ପାରି ସମସ୍ୟା ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ବିଭାଗୀୟ ଅଧିକାରୀମାନେ ମଧ୍ୟ ଅସହାୟ ପ୍ରକାଶ କରିବା ସହ ପୁଣିଥରେ ଅତିଥି ଅଧ୍ୟାପକ ନିଯୁକ୍ତି କରି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗ୍ୟତା ଥିବା ନୂତନ ଅଧ୍ୟାପକ ନ ହେଲେ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଅତିଥି ଅଧ୍ୟାପକ ଭାବେ ନିୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି। ବିଭାଗଠାରୁ ଏଭଳି ନିର୍ଦ୍ଦେଶ ପାଇବା ପରେ ବିଶ୍ବବିଦ୍ୟାଳୟଗୁଡ଼ିକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳି ଅଚଳାବସ୍ଥା ଆଉ କେତେଦିନ ଲାଗିରହିବ ତାହାକୁ ନେଇ ପ୍ରଶ୍ନ ଉଠିଛି।