ବଲାଙ୍ଗୀର: ବଲାଙ୍ଗୀର ସହର ସମେତ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଏବେ ଉଦ୍‌ଘାଟନ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ଗୋଟିଏ ପଟେ ପୌରସଂସ୍ଥା କଳିକେଶ ନାରାୟଣ ସିଂଦେଓଙ୍କୁ ନେଇ ସହର ସାରା ଫଳକ ପୋତିବା କାମରେ ବ୍ୟସ୍ତ ଥିବାବେଳେ ବିଧାୟକ ନରସିଂହ ମିଶ୍ର ମଧ୍ୟ ଏଥିରେ ପଛରେ ପଡ଼ି ନାହାନ୍ତି। ୨ ଦିନ ତଳେ ବିଧାୟକ ଶ୍ରୀ ମିଶ୍ର ବ୍ରାହ୍ମଣପଡ଼ାରେ ଲକ୍ଷ୍ମୀଯୋର ଉପରେ ସୁଉଚ୍ଚ ପୋଲର ଲୋକାର୍ପଣ ଉତ୍ସବ କରିବା ପରେ ପୌରସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା ଅନ୍ତର୍ଗତ ବିଭିନ୍ନ କାମର ଭିତ୍ତିପ୍ରସ୍ତର ସ୍ଥାପନ ଆରମ୍ଭ ହୋଇଛି। ପୌରସଂସ୍ଥା ପକ୍ଷରୁ ବିଧାୟକଙ୍କୁ ଏହି ଉତ୍ସବକୁ ଡକାଯାଇ ନାହିଁ। ପୌରସଂସ୍ଥା ଅଧ୍ୟକ୍ଷା ଲିକା ସାହୁ କଳିକେଶଙ୍କୁ ନେଇ ବିଭିନ୍ନ ୱାର୍ଡରେ ଫଳକ ଲଗାଉଛନ୍ତି। ମ୍ୟୁନିସିପାଲିଟି ବୈଠକରେ ମଧ୍ୟ ବିଧାୟକ ଓ ସାଂସଦଙ୍କୁ ଡକା ଯାଉନାହିଁ। ବଲାଙ୍ଗୀର ପୌରସଂସ୍ଥା ବିଜେଡି ହାତରେ ଥିବା ବେଳେ ବିଧାୟକ କଂଗ୍ରେସ ଓ ସାଂସଦ ବିଜେପିର ହୋଇଥିବାରୁ କେହି କାହାର ପାଖ ମାଡ଼ିବାକୁ ନାରାଜ ଥିବା ଦେଖା ଯାଉଛି।

Advertisment

କଳିକେଶ ଜଣେ ସରକାରୀ କର୍ମଚାରୀ: ନରସିଂହ
ବିଧା‌ୟକଙ୍କୁ କୌଣସି କାର୍ଯ୍ୟକ୍ରମକୁ ଡକାଯିବ ନାହିଁ: ପୌରାଧ୍ୟକ୍ଷା

ଆଗକୁ ନିର୍ବାଚନ ପାଖେଇ ଆସୁଥିବା ଦୃଷ୍ଟିରୁ ସବୁ ଦଳ ତତ୍ପର ହୋଇ ଉଠିଥିବା ଦେଖିବାକୁ ମିଳୁଛି। ଆଚରଣ ବିଧି ଲାଗିବା ପୂର୍ବରୁ ନିଜର ରାଜନୈତିକ ଛବି ସୁଧାରିବାକୁ ଯାଇ ବିଭିନ୍ନ ରଜନେତା ଏବେ ବିଭିନ୍ନ ପ୍ରକଳ୍ପ ମାନଙ୍କ ଭିତ୍ତିପ୍ରସ୍ତର ସ୍ଥାପନ ନେଇ ଆଗ୍ରହ ପ୍ରକାଶ କରୁଛନ୍ତି। ସହରର ବିକାଶ ନେଇ ସମସ୍ତେ କହୁଥିବା ବେଳେ ଯାହା କିଛି ହେଉଛି ସବୁ ତାଙ୍କ ଉଦ୍ୟମରେ ହେଉଥିବା ସମସ୍ତେ କହୁଛନ୍ତି। କଳିକେଶ ବର୍ତ୍ତମାନ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପଦରେ ଅଛନ୍ତି। ପୌରାଞ୍ଚଳରେ ରାଜପରିବାରର ଦବ୍‌ଦବା ଜାହିର କରିବା ଓ ବିଧାୟକ ଶ୍ରୀ ମିଶ୍ରଙ୍କୁ ଚେକ୍‌ ଦେବା ପ୍ରୟାସ ଆରମ୍ଭ କରିଛନ୍ତି କଳିକେଶ। ପୌରସଂସ୍ଥା ପକ୍ଷରୁ ଅନୁଷ୍ଠିତ ସରକାରୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ସାମିଲ ନକରିବା ନେଇ ଏବେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି।

ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ଉପେକ୍ଷା କରିବା ବେଆଇନ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିବା ବେଳେ ପୌରାଧ୍ୟକ୍ଷା ଲିକା ସାହୁ କହିଛନ୍ତି ଯେ, ବିଗତ ଦିନରେ ବିଧାୟକଙ୍କୁ ଏକ ସମାରୋହରେ ଡାକି ଆମେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛୁ। ଆମର କିଛି ୱାର୍ଡ ମେମ୍ବରଙ୍କୁ କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ବେଳେ ସେମାନଙ୍କ ବିରୋଧରେ ପାଲଟା ଅଭିଯୋଗ ଥାନାରେ କରିଥିଲେ। ତେଣୁ ଯାହା ହେଲେ ସୁଦ୍ଧା କୌଣସି କାର୍ଯ୍ୟକ୍ରମକୁ ବିଧାୟକଙ୍କୁ ଡକାଯିବ ନାହିଁ ବୋଲି ପୌରାଧ୍ୟକ୍ଷା ତାଙ୍କ ପ୍ରତିକ୍ରିୟାରେ ରୋକ୍‌ଠୋକ୍‌ କହିଛନ୍ତି। ଲକ୍ଷ୍ମୀଯୋର ପୋଲ ଉଦ୍‌ଘାଟନ କରିବା ବେଳେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ପୌରସଂସ୍ଥାକୁ ଟଙ୍କା ଆସିନଥିବା ବେଳେ ଶିଳାନ୍ୟାସ ଉତ୍ସବ କରାଯାଉଛି। ଯଦି ଟଙ୍କା ଆସିନାହିଁ ତେବେ ସଂପୃକ୍ତ ଅଧିକାରୀ ଏହାର ଉତ୍ତରଦାୟୀ ରହିବେ। ହାଉସିଂ ବୋର୍ଡ ଅଧ୍ୟକ୍ଷ ପଦ ଏକ ସରକାରୀ ପଦବି ହୋଇଥିବା ବେଳେ ନିୟମ ଅନୁଯାୟୀ କଳିକେଶ ଜଣେ ସରକାରୀ କର୍ମଚାରୀ। ତାଙ୍କୁ ନେଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ମିଶ୍ର ଓଲଟା ପ୍ରଶ୍ନ କରିଛନ୍ତି।