ଝାରସୁଗୁଡ଼ାରେ ୧୦୦ ଅକ୍ସିଜେନ୍ ସିଲିଣ୍ଡର୍‌ର ଲୋକାର୍ପଣ

ରାଜ୍ୟରେ ଅଧିକ ମେଡ଼ିକାଲ କଲେଜ ଖୋଲିବାର ଆବଶ୍ୟକତା ରହିଛି : ଧର୍ମେନ୍ଦ୍ର

ଭୁବନେଶ୍ବର : ଓଡ଼ିଶାରେ କୋଭିଡ ବେଡ଼ ଓ ଆନୁସଙ୍ଗିକ ଭିତ୍ତିଭୂମି ବୃଦ୍ଧି କରାଯାଉଛି। କିନ୍ତୁ ଡାକ୍ତର ଓ ଭେଣ୍ଟିଲେଟର ଚଳାଇବା ପାଇଁ ଟେକ୍ନିସିଆନଙ୍କ ଅଭାବ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ସହ ଅଧିକ ମେଡିକାଲ କଲେଜ ଖୋଲିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

‘ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ମଞ୍ଚ’ ପକ୍ଷରୁ ଭର୍ଚୁଆଲ୍‌ ପ୍ଲାଟଫର୍ମରେ ଆୟୋଜିତ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାରେ ୧୦୦ଟି ଅକ୍ସିଜେନ୍ ସିଲିଣ୍ଡରର ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଯେ ଭାରତରେ ଜଣେ ଡାକ୍ତର ହାରାହାରି ୧୪୦୪ ଜଣଙ୍କୁ ଚିକିତ୍ସା କରୁଥିବା ବେଳେ ଓଡ଼ିଶାରେ ଜଣେ ଡାକ୍ତର ହାରାହାରି ୨୧୮୭ ଜଣଙ୍କୁ ଚିକିତ୍ସା କରୁଥିବା ତଥ୍ୟରୁ ଜଣାପଡିଛି। ସେହିପରି ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ପାଇଁ ୧୩୯ଟି ବେଡ୍‌ର ବ୍ୟବସ୍ଥା ଥିବାବେଳେ ଓଡ଼ିଶାରେ ହାରାହାରି ପ୍ରତି ଲକ୍ଷେ ଲୋକଙ୍କ ପାଇଁ ମାତ୍ର ୫୯ଟି ବେଡ୍ ରହିଛି। ତେଣୁ ଓଡ଼ିଶାରେ ଥିବା ପୁରୁଣା ମେଡିକାଲ କଲେଜରେ ସିଟ୍ ସଂଖ୍ୟାକୁ ବୃଦ୍ଧି କରାଯିବା ସହ ନୂଆ ମେଡିକାଲ କଲେଜ ସ୍ଥାପନା ହେବା ଦରକାର । ନର୍ସିଂ, ପାରାମେଡିକାଲ କର୍ମଚାରୀ ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ସଂଖ୍ୟା ବଢ଼ାଇବାକୁ ହେବ। ଭେଣ୍ଟିଲେଟର ଟେକ୍ନିସିଆନ୍ ବଢ଼ାଇବାକୁ ହେବ। ଏହାର ସମାଧାନ ପାଇଁ କେବଳ ସରକାର ନୁହେଁ, ସମାଜ ମଧ୍ୟ ଚିନ୍ତା କରିବା ଦରକାର। ଏଭଳି ଏକ ଜାଗୃତ ଭାବ ସମସ୍ତଙ୍କ ମନରେ ଆସିବା ଦରକାର।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ କୋଭିଡ୍‌-୧୯ ମୁକାବିଲାରେ ପଶ୍ଚିମ ଓଡ଼ିଶା ତଥା ଝାରସୁଗୁଡ଼ା ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବଢ଼ାଇବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ସହଯୋଗୀ ହୋଇଥିବା ବେଳେ ଏଥିରେ ସମାଜର ସହଯୋଗୀ ହେବାର ଆବଶ୍ୟକତା ନିହାତି ଆବଶ୍ୟକ। ତେବେ ଯାଇ କରୋନାକୁ ପରାଜୟ କରି ହେବ। ‘ଓଡ଼ିଶା ପ୍ରାନ୍ତୀୟ ମାରୱାଡି ଯୁବ ମଞ୍ଚ’ କୋଭିଡ୍ ସଂକ୍ରମିତଙ୍କ ସମେତ ଅସହାୟଙ୍କୁ ଖାଦ୍ୟ ବାଣ୍ଟିବା, ପ୍ଲାଜମା ଦାନ, ଆମ୍ବୁଲାନ୍ସ ଏବଂ ଅକ୍ସିଜେନ୍ ସିଲିଣ୍ଡର ବ୍ୟବସ୍ଥା ସହ ମଞ୍ଚର ଯୁବ କାର୍ଯ୍ୟକର୍ତା ମାନେ ଦିନରାତି କାମ କରିବା ପ୍ରଶଂସନୀୟ। ଯୁବ ମଞ୍ଚର ଅକ୍ସିଜେନ୍ ସିଲିଣ୍ଡରର ବ୍ୟବସ୍ଥା ଅନେକ କୋଭିଡ୍ ରୋଗୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ ବୋଲି ସେ ଆଶା ପ୍ରକଟ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଅଖିଳ ଭାରତୀୟ ମାରୱାଡି ଯୁବ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ କପିଲ ଲୋଖୋଟିଆ ଓ ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ସଂଘର ପ୍ରାନ୍ତୀୟ ଅଧ୍ୟକ୍ଷ ନରେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର