ଜଟଣୀ : ଭାରତୀୟ ତୈଳ ନିଗମ ଦ୍ବାରା ପରିଚାଳିତ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସ୍‌ଡିଆଇ) ଭୁବନେଶ୍ବରର ମୁଖ୍ୟ କ୍ୟାମ୍ପସ ଖୋର୍ଦ୍ଧା ଜିଲା ଜଟଣୀର ତରାବୋଇଠାରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌, ଦକ୍ଷତା ବିକାଶ ମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନଙ୍କ ଦ୍ବାରା ଆଜି ଉଦ୍‌ଘାଟିତ ହୋଇଯାଇଛି। ଉତ୍ସବରେ ତୈଳ ଶିଳ୍ପ, ଦକ୍ଷତା ବିକାଶ କ୍ଷେତ୍ରର ବରିଷ୍ଠ ପଦାଧିକାରୀ, ପରାମର୍ଶଦାତା, ପ୍ରଶିକ୍ଷଣ ସହଭାଗୀ ଯୋଗଦେଇଥିଲେ।

Advertisment

ସୂଚନାଯୋଗ୍ୟ, ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସ୍‌ଡିଆଇ)ର ପ୍ରାରମ୍ଭିକ (ପାଇଲଟ୍) କ୍ୟାମ୍ପସ ୨୦୧୬ ମେ ୯ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ହୋଇଥିଲା। ସେତେବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଟଣୀରେ ଏସ୍‌ଡିଆଇର ମୁଖ୍ୟ କ୍ୟାମ୍ପସ ପ୍ରତିଷ୍ଠା କରାଯିବାର ଯୋଜନା ଥିବା ଘୋଷଣା କରିଥିଲେ। ୨୦୧୮ ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏସ୍‌ଡିଆଇ ମୁଖ୍ୟ କ୍ୟାମ୍ପସର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ଭାରତ ସରକାରଙ୍କ'ସ୍କିଲ ଇଣ୍ତିଆ' ମିସନର ଅଂଶ ଓଡ଼ିଶାରେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ପ୍ରଥମ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସ୍‌ଡିଆଇ) ରାଜଧାନୀ ଭୁବନେଶ୍ବରରେ ସ୍ଥାପନ କରାଯାଇଛି। ଇଣ୍ତିଆନ ଅଏଲ୍ ଏହାର ପ୍ରମୁଖ ନିବେଶକାରୀ ଓ ପରିଚାଳନାକାରୀ କମ୍ପାନୀ। ଜଟଣୀର ତରାବୋଇଠାରେ ୪୬ ଏକର ପରିମିତ ଜମିରେ ଏହି କ୍ୟାମ୍ପସ ସହ ଏସଡିଆଇ ବାସ୍ତବ ରୂପ ନେଇଛି।