ପୁରୀ: ଜାନୁଆରି ୧୭ ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଆଜିଠାରୁ ଆରମ୍ଭ ହେଉଛି ପୂଜାକାର୍ଯ୍ୟ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୬ ଦିନବ୍ୟାପୀ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବର କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଉତ୍ସବର ପରିବର୍ତ୍ତିତ ତାରିଖ ଓ ଧାର୍ଯ୍ୟ ଶୁଭବେଳାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଚୂଡ଼ାନ୍ତ ମୋହର ମାରିଛି। ନିଷ୍ପତ୍ତି ଅନୁଯାୟୀ, ଜାନୁଆରି ୧୭ ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ସିଧାସଳଖ ଆସି ଦୋଳବେଦି କୋଣରେ ରହିବ। ସାଢ଼େ ୧ଟାରୁ ୨ଟା ଭିତରେ ଗଜପତି ମହାରାଜା ଯଜ୍ଞର ପୂର୍ଣ୍ଣାହୁତି ଦେବେ। ପରେ ନିମନ୍ତ୍ରିତ ଅତିଥି ପରିକ୍ରମା ପ୍ରକଳ୍ପର ଅନ୍ତଃପ୍ରଦକ୍ଷିଣ(ଇନର୍ କରିଡର୍) କରିବେ। ଶୁକ୍ରବାର ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ବ୍ରାହ୍ମଣବରଣ, ଗୁଆଟେକା ଆଦି ନୀତି ସଂପନ୍ନ ପରେ ପୂଜା କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞବେଦି ପ୍ରସ୍ତୁତି ଶେଷ ହୋଇଛି। ବେଦପାଠ ପାଇଁ ଚାରିଦ୍ବାରେ ବେଦମଣ୍ଡପ ତିଆରି ହୋଇଛି। ସଭା ପାଇଁ ଉତ୍ତରପାର୍ଶ୍ବ ମଠ ପାଖରେ ବ୍ୟବସ୍ଥା କରାଯାଇଛି। କିନ୍ତୁ ସର୍ବସାଧାରଣ ଦର୍ଶନ ସ୍ବାଭାବିକ ଚାଲିବ। ଏଥିପାଇଁ ପୁଲିସ ପ୍ରଶାସନ ବ୍ୟବସ୍ଥା କରିବ ବୋଲି ଶ୍ରୀ ଦାସ କହିଛନ୍ତି।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହୋଇଯାଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜାନୁଆରି ୧୨ ତାରିଖ ସନ୍ଧ୍ୟା ୫ଟାରୁ ୬ଟା ଭିତରେ ଶ୍ରୀନଅରରେ ବ୍ରାହ୍ମଣବରଣ ପରେ ସାଢ଼େ ୬ଟାରୁ ୮ଟା ଭିତରେ ଅଙ୍କୁରରୋପଣ, ୧୩ ତାରିଖ ପୂର୍ବାହ୍ଣ ୧୦ଟାରୁ ରାତି ୮ଟା ଅଙ୍କୁରପୂଜନ, ୧୪ ତାରିଖ ପୂର୍ବାହ୍ଣ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ବଜାସ୍ଥାପନ, ତୋରଣ ସ୍ଥାପନ ଆଦି କାର୍ଯ୍ୟ ସଂପନ୍ନ ହେବ। ୧୫ ତାରିଖରୁ ଯଜ୍ଞ ଆରମ୍ଭ ହେବ। ସକାଳ ସାଢ଼େ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଖଣ୍ଡଦୀପ ସ୍ଥାପନ, ମଣ୍ଡଳପୂଜନ, ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ ଓ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ, ୧୬ ଓ ୧୭ ତାରିଖରେ ବି ବେଦ ପାରାୟଣ ଓ ଅନ୍ତପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଅନ୍ୟାନ୍ୟ ପୂଜାର୍ଚ୍ଚନା କରାଯିବ। ଶ୍ରୀ ଦାସ କହିଛନ୍ତି, ୧୭ ତାରିଖ ସାଢ଼େ ୨ଟାରୁ ୩ଟା ଭିତରେ ଉତ୍ତରପାର୍ଶ୍ବ ମଠ ପାଖ ସଭାମଞ୍ଚରେ ପ୍ରକଳ୍ପର ଭିଡିଓ ଚିତ୍ର ଜାରି ହେବ। ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଓ ଧନ୍ୟବାଦ ଦେବେ। ସଭା ପୂର୍ବରୁ ଲୋକନୃତ୍ୟ ଓ ସମରକଳା ଜରିଆରେ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ବାଗତ କରାଯିବ। ଅପରାହ୍ଣ ୩ଟାରୁ ସର୍ବସାଧାରଣ ପରିକ୍ରମା ପ୍ରକଳ୍ପ ବୁଲି ପାରିବେ। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ସାଂସ୍କୃତିକ ଦଳ ଲୋକନୃତ୍ୟ ପରିବେଷଣ କରିବେ। ସନ୍ଧ୍ୟାରେ ଲୋକଙ୍କ ଗହଳି ବଢ଼ିଲେ, ଲାଇଟ୍ ଓ ସାଉଣ୍ଡ୍ ବ୍ୟବସ୍ଥାର ଶୁଭାରମ୍ଭ ହେବ। ଜାନୁଆରି ୧୭ ଓ ୧୭ ପରେ ଆସୁଥିବା ବ୍ୟକ୍ତିବିଶେଷ ଶ୍ରୀଜଗନ୍ନାଥ ବଲ୍ଲଭ ପରିସର ପ୍ରଦର୍ଶନୀ ଦେଖିବେ। ସଭାସ୍ଥଳରେ ନିମନ୍ତ୍ରିତ ଅତିଥି ଏବଂ ଯଜ୍ଞସ୍ଥଳରେ ଛତିଶାନିଯୋଗ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ବସିବେ। ସହଯୋଗ କରୁଥିବା ବିଭାଗ ଓ ନିଯୋଗ ସହ ବି ଆଜି ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଉପରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରସ୍ତୁତିର ସମୀକ୍ଷା କରାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି।
ପରିବର୍ତ୍ତିତ କାର୍ଯ୍ୟସୂଚୀ
ଜାନୁଆରି ୧୨:
-ସନ୍ଧ୍ୟା ୫ରୁ ୬ଟା- ଶ୍ରୀନଅରରେ ଗଜପତିଙ୍କ ଦ୍ବାରା ବ୍ରାହ୍ମଣବରଣ
-ସନ୍ଧ୍ୟା ସାଢ଼େ ୬ଟାରୁ ୮ଟା- ଅଙ୍କୁରାରୋପଣ
ଜାନୁଆରି ୧୩:
-ପୂର୍ବାହ୍ଣ ୧୧ଟାରୁ ରାତି ୮ଟା ଭିତରେ ଅଙ୍କୁରପୂଜନ
ଜାନୁଆରି ୧୪:
-ପୂର୍ବାହ୍ଣ ୧୦ଟାରୁ ରାତି ୮ଟା- ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ବଜାସ୍ଥାପନା, ତୋରଣ ସ୍ଥାପନ
ଜାନୁଆରି ୧୫:
-ସକାଳ ୭ଟା ୩୦ରୁ ଅପରାହ୍ଣ ୧ଟା- ଅଖଣ୍ଡଦୀପ ସ୍ଥାପନ, ପଞ୍ଚକର୍ମ, ବ୍ରାହ୍ମଣବରଣ, ମଣ୍ଡଳପୂଜନ, ଆଚାର୍ଯ୍ୟଙ୍କ ଦ୍ବାରା ବ୍ରାହ୍ମଣବରଣ
-ସାଢ଼େ ୭ଟାରୁ ସନ୍ଧ୍ୟା ୬ଟା- ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ ଓ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ
-ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା- ବୈଷ୍ଣବାଗ୍ନିସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ
ଜାନୁଆରି ୧୬:
-ସକାଳ ୭ଟା ୩୦ଟାରୁ ସନ୍ଧ୍ୟା ୬ଟା- ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ଶାଲା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳ ପୂଜା, ହବନ, ଆରତି, ପୁଷ୍ପାଞ୍ଜଳି
-ସାଢ଼େ ୭ଟାରୁ ସନ୍ଧ୍ୟା ୬ଟା- ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ ଓ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ
ଜାନୁଆରି ୧୭:
-ସକାଳ ୭ଟା ୩୦ଟାରୁ ଅପରାହ୍ଣ ୧ଟା- ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁଶୋଧନ, ଅଧିବାସ, ହବନ
-ସାଢ଼େ ୭ଟାରୁ ସନ୍ଧ୍ୟା ୬ଟା- ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ ଓ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ
-ଅପରାହ୍ଣ ୧ଟା ୧୫ରୁ ୧ଟା ୩୦- ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଫଳକ ଲୋକର୍ପଣ
-ଅପରାହ୍ଣ ସାଢ଼େ ୧ଟାରୁ ୨ଟା- ଗଜପତିଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୂତି, ଆରତି ଓ ପୁଷ୍ପାଞ୍ଜଳି,
-ଅପରାହ୍ଣ ୨ଟାରୁ ସାଢ଼େ ୨ଟା- ଅନ୍ତଃପ୍ରଦକ୍ଷିଣ ପଥରେ ନାମସଂକୀର୍ତ୍ତନ ଓ ନିମନ୍ତ୍ରିତ ଅତିଥିଙ୍କ ସହ ଶୋଭାଯାତ୍ରା
-ଅପରାହ୍ଣ ସାଢ଼େ ୨ଟାରୁ ୩ଟା- ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/sfhfhfhfttt.jpg)