ଭିଡି କଲେଜର ଫୁଟ ଓଭରବ୍ରିଜ ଓ ବିକ୍ରମଦେବଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ

ଜୟପୁର: ବହୁ ପ୍ରତୀକ୍ଷିତ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ନିର୍ମାଣ କରାଯାଇଥିବା ଫୁଟ ଓଭର ବ୍ରିଜ ସହ ବିକ୍ରମଦେବ ମହାରାଜଙ୍କ ପ୍ରତିମୂର୍ତ୍ତିର ଲୋକାର୍ପଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ମହମ୍ମଦ ଆବଦାଲ ଆଖତାର, ବିଶିଷ୍ଟ ଅତିଥି ଭାବେ   ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ ।

କଲେଜର ଅଧ୍ୟକ୍ଷ ଡ.ଗୋପାଳ ହାଲଦାର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟଙ୍କ ସହ ବହୁ ପୂର୍ବତନ ଛାତ୍ର ଓ କଲେଜର ଛାତ୍ରଛାତ୍ରୀ , ଅଧ୍ୟାପକ, ଅଧ୍ୟାପିକା ଆଦି ଭାଗ ନେଇଥିଲେ। ପ୍ରଥମେ କଲେଜ ସମ୍ମୁଖରେ ବିକ୍ରମ ଦେବ ମହାରାଜଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ ଦେଇ ଏହାକୁ ଲୋକାର୍ପଣ କରିଥିଲେ। ପରେ ଫୁଟ ଓଭରବ୍ରିଜକୁ ଲୋକାର୍ପଣ କରିବା ପରେ ଏହାର ଉପର ଦେଇ ଅତିଥି ମାନେ ବାଣିଜ୍ୟବିଭାଗ ଆଡକୁ ଯାଇଥିଲେ।

ଏନଏଚ୍ ୨୬ ର ଉଭୟ ପାର୍ଶ୍ବରେ ରହିଛି ସ୍ଥାନୀୟ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ, ଛାତ୍ରୀନିବାସ, କର୍ମଚାରୀ, ଅଧ୍ୟାପକଙ୍କ କ୍ବାଟର। ବହୁ ସମୟରେ ଛାତ୍ରଛାତ୍ରୀ ମାନେ ରାସ୍ତା ଅତିକ୍ରମ କରିବା ସମୟରେ ବହୁ ଛୋଟ ବଡ ଦୁର୍ଘଟଣା ସଂଘଟିତ ହେଉଥିଲା ଏହାକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ କରାଯାଇଥିବା କହିଛନ୍ତି ବିଧାୟକ ଓ ଜିଲ୍ଲାପାଳ। ଓଭରବ୍ରିଜ୍ ଦ୍ବାରା ଛାତ୍ରଛାତ୍ରୀ ମାନେ ଆଉ ଜାତୀୟ ରାଜପଥ ଉପରେ ଯିବା ଆସିବା କମି ଯିବ। ଯାହା ନାଁରେ କଲେଜଟି ରହିଛି ସେହି ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ଦିଗରେ ଗୁଣ୍ଡିଚାମୂଷାର ଭୁମିକା ତୁଲେଇ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି ବିଧାୟକ।

ଏହାର ଛାତ୍ରଛାତ୍ରୀ ଓ କଲେଜର ଅଧ୍ୟାପକ, କର୍ମଚାରୀ ଆଦି ସୁବିନିଯୋଗ କରି ରାସ୍ତା  ଦେଇ ଯିବା ଆସିବା ସଂପୁର୍ଣ୍ଣ ରୁପେ ବନ୍ଦ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ। ବିଧାୟକଙ୍କ ସାଧୁ ଉଦ୍ୟମ ଓ ପ୍ରୟାସରେ ଫୁଟଓଭର ବ୍ରିଜ୍ ଓ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିବା‌ ବେଳେ କଲେଜର ସାମଗ୍ରୀକ ବିକାଶରେ ବି ସେ ସହଯୋଗ କରି ଆସୁଥିବାରୁ ତାଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଦେଇଥିଲେ।  ବିକ୍ରମ ଦେବ ମହାବିଦ୍ୟାଳୟର ୭୫ବର୍ଷ ପୁର୍ତ୍ତି ଉତ୍ସବ ପାଇଁ ମହାବିଦ୍ୟାଳୟର ସଂପୁର୍ଣ୍ଣ ରୁପରେଖ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ବିଧାୟକ। ବିଶ୍ବବିଦ୍ୟାଳୟର ମାନ୍ୟତା ଦିଲେଇବା ପାଇଁ ସବୁ ରକମର ପଇଁତରା ଆପଣାଇବେ ବୋଲି କହିଛନ୍ତି ବିଧାୟକ ।

ସମ୍ବନ୍ଧିତ ଖବର