୪ ଜିଲ୍ଲାର ଅଣଧାନ ଚାଷୀଙ୍କୁ ପ୍ରୋତ୍ସାହନ ରାଶି

ଡିବିଟ ଇନପୁଟ୍‌ ଓଡ଼ିଶା ପୋର୍ଟାଲର ଉଦ୍‌ଘାଟନ

ଭୁବନେଶ୍ବର : ଅଣଧାନ ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ବୃହତ ଉଠାଜଳସେଚନ ପ୍ରକଳ୍ପରେ ଫସଲ ବିବିଧୀକରଣ’ ପ୍ରକଳ୍ପ। ଏହା ଅଧୀନରେ ରେ ଅଣଧାନ ଚାଷୀଙ୍କୁ ୩ ବର୍ଷ ପାଇଁ ଡିବିଟି ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ, ଯେଉଁଥିରେ ୧୬ ହଜାର ଚାଷୀ ଉପକୃତ ହେବେ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲା ଅନ୍ତର୍ଗତ ୭ଟି ବ୍ଲକର ୨୭ଟି ଗ୍ରାମାପଞ୍ଚାୟତର ୧୦୧ଟି ଗାଁରେ ପାଇଲଟ ପ୍ରକଳ୍ପ ଭାବରେ କାର୍ଯ୍ୟକାରୀ ହେଉଛି। କୃଷକଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ। ଡିବିଟି ମାଧ୍ୟମରେ ଚାଷୀମାନଙ୍କୁ ରିହାତି ପ୍ରଦାନ ନିମନ୍ତେ ଡିବିଟ ଇନପୁଟ ଓଡ଼ିଶା ପୋର୍ଟାଲର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି।

ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ ଚାଉଳ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ। ବର୍ତ୍ତମାନ ସ୍ଥିତିରେ ମେଗା ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଧାନ ଚାଷ ଲାଭଜନକ ହେବ ନାହିଁ। ଖରିଫ ଋତୁରେ ଉଚ୍ଚ ଓ ମଧ୍ୟମ ଜମିରେ ଅଣଧାନ ଫସଲ ଡାଲି, ତୈଳବୀଜ, ପନିପରିବା, ତନ୍ତୁଜାତୀୟ ଫସଲ ଚାଷ କରିବା ସହିତ ଅଧିକ ଜୈବଅଂଶ ଓ ସ୍ୱଳ୍ପ ରାସାୟନିକ ସାମଗ୍ରୀ ଆବଶ୍ୟକ କରୁଥିବା ଫସଲ ଚାଷ କରି ମାଟିର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହା ୧୮ଟି ବୃହତ ଉଠାଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୨,୨୦୭ ହେକ୍ଟର ଜମିରୁ ୩,୩୪୩ ହେକ୍ଟର ଡାଲିଜାତୀୟ ଫସଲ, ୩୭୪୫ ହେକ୍ଟର କପା ଫସଲ, ୯୨୮ ହେକ୍ଟର ତୈଳବୀଜ, ୨୪୫୧ ହେକ୍ଟର ମକା, ୧୩୨୨ ହେକ୍ଟର ମାଣ୍ଡିଆ ଏବଂ ୪୧୮ ହେକ୍ଟର ପନିପରିବା ଚାଷ କରିବା ପାଇଁ କାର୍ଯ୍ୟକ୍ରମ କରାଯାଇଛି । ଏଥି ପାଇଁ ୧୬.୭୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଜୈବିକ କୃଷି ସାମଗ୍ରୀ ଉତ୍ପାଦନ, ଅମଳ ପରବର୍ତ୍ତୀ କାର୍ଯ୍ୟ, ପ୍ରାଥମିକ ପ୍ରକ୍ରିୟାକରଣ, ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ ଏବଂ ବିପଣନ କାର୍ଯ୍ୟ ପାଇଁ ୩୬ଟି ଗୋଷ୍ଠୀଭିତ୍ତିକ ସଂଗଠନକୁ ପ୍ରୋତ୍ସାହିତ କରାଯିବବୋଲି ମନ୍ତ୍ରୀ କହିଛନ୍ତି।

କୃଷି ଉତ୍ପାଦନ କମିସନର ରାଜକୁମାର ଶର୍ମା କହିଲେ ଯେ ଓଡ଼ିଶାରେ ଅଧିକ ବୃଷ୍ଟିପାତ ହେଉଥିବା ଦୃଷ୍ଟିରୁ ବୃଷ୍ଟିଜଳକୁ ସଂରକ୍ଷଣ କରି ଚାଷ କାର୍ଯ୍ୟରେ ସୁବିନିଯୋଗ କରିବାର ଆବଶ୍ୟକତା ରହିଛି। ତେଣୁ କେବଳ ଧାନ ଚାଷ ନ କରି ଅଣଧାନ ଚାଷ କରି ଉପଲବ୍ଧ ଜଳର ଉଚିତ ବିନିଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି। ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ପ୍ରତି ଜଳବିନ୍ଦୁକୁ ବ୍ୟବହାର କରି ଅଧିକ ଶସ୍ୟ ଉତ୍ପାଦନ ସରକାରଙ୍କ ଲକ୍ଷ୍ୟ ବୋଲି କହିଥିଲେ। କୃଷି ବିଭାଗର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଏହି ପ୍ରକଳ୍ପ ଦ୍ୱାରା ଚାଷୀମାନେ ଲାଭାନ୍ୱିତ ହେବା ସହିତ ଏହା ସେମାନଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିବ । କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ସଚିବ ଆର୍‌. ରଘୁପ୍ରସାଦ, ଓୟୁଏଟି କୁଳପତି ପବନ କୁମାର ଅଗ୍ରୱାଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍‌. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର