କଟକ/ବ୍ରହ୍ମପୁର: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆରେ ପ୍ରସ୍ତୁତ ଜାଉ ଖାଇ ଗୁରୁତର ଥିବା ୨ଜଣଙ୍କୁ ବ୍ରହ୍ମପୁର ଏମ୍କେସିଜି ଡାକ୍ତରଖାନାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆମ୍ବଟାକୁଆ ଜାଉ ଖାଇ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଟୁନି ମାଝୀ ଓ ଗୀତା ମାଝୀଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଆଇସିୟୁରେ ରଖାଯାଇଥିଲା। ଉଭୟଙ୍କ ଯକୃତରେ ସମସ୍ୟା ରହିଥିବାରୁ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ସେହିପରି ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କୁ ଏମ୍କେସିଜିରୁ ଏସ୍ସିବିକୁ ଅଣାଯିବା ପରେ ଏସ୍ସିବି ମେଡିସିନ୍ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି। ଦୁହିଁଙ୍କର ସମସ୍ତ ରୁଟିନ୍ ରକ୍ତ ପରୀକ୍ଷା କରାଯାଇଛି। ଉଭୟ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଥିବା ବେଳେ ଜ୍ବର, ବାନ୍ତି ଓ ଲିଭର୍ ସଂକ୍ରମଣ ହୋଇଛି। ଟୁନିଙ୍କ ପେଟ ଓ ଛାତିରେ ପାଣି ଜମିଥିବା ତାଙ୍କୁ ଚିକିତ୍ସା କରୁଥିବା ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି। ମେଡିସିନ୍, ହେପାଟୋଲୋଜି, କ୍ରିଟିକାଲ୍ କେୟାର୍ ୟୁନିଟ୍ର ବିଶେଷଜ୍ଞଙ୍କୁ ନେଇ ଗଠିତ ଟିମ୍ ଉଭୟଙ୍କ ଚିକିତ୍ସା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/04/YPeYsqmWUwFKGMjosWS5.jpg)