ଚନ୍ଦକା ଅଭୟାରଣ୍ୟରେ ଅଘଟଣ: ନକ୍ସଲ ବିରୋଧୀ ତାଲିମ ବେଳେ ଦ​ଳିଦେଲା ହାତୀ

୭ ବିଏସ୍‌ଏଫ୍, ଜଣେ ଏସ୍ଓଜି ଯବାନ ଆହତ,୨ ଗୁରୁତର: ଏମ୍ସରେ ଭର୍ତ୍ତି

ଭୁବନେଶ୍ବର/ମେଣ୍ଢାଶାଳ: କିଟିମିଟି ଅନ୍ଧାର, ଘଞ୍ଚ ଜଙ୍ଗଲରେ ଚାଲିଥିଲା ଅପରେସନ୍। ନକ୍ସଲ ବିରୋଧୀ ତାଲିମ୍‌ ନେଉଥିଲେ ବିଏସଏଫ୍ ଯବାନ। କେମିତି ସ୍ପଟ୍‌ରେ ପହଞ୍ଚି ହେବ, ସେନେଇ ଏସ୍ଓଜି(ସ୍ପେସାଲ ଅପରେସନ ଗ୍ରୁପ୍) ପକ୍ଷରୁ ତାଲିମ୍‌ ଦିଆଯାଉଥିଲା। ଏତିକି ବେଳେ ଘଟିଲା ଅଘଟଣ। ହାତୀ ଆକ୍ରମଣର ଶିକାର ହେଲେ ତାଲିମ ନେଉଥିବା ବିଏସ୍‌ଏଫ୍ ଯବାନ। ସେମାନଙ୍କ ଭିତରୁ ୮ଜଣ ଆହତ ହୋଇଥିବା ବେଳେ ଦୁଇଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସେହିପରି ଏସ୍‌ଓଜି ଯବାନ ବିମଳ କୁମାର ଦାସ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ବିଳମ୍ବିତ ରାତିରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଏମ୍ସରେ ଭର୍ତ୍ତି କରାଯାଇଛି। ସେହିପରି, ଆକ୍ରମଣାତ୍ମକ ହାତୀକୁ ଘଉଡ଼ାଇବା ପାଇଁ ଯବାନମାନେ ଫାଙ୍କା ଗୁଳି ଚଳାଇଥିଲେ। ମିଳିଥିବା ସୂଚନା ଅନୁସାରେ, ଚନ୍ଦକାସ୍ଥିତ ଏସ୍ଓଜି କ୍ୟାମ୍ପକୁ ତାଲିମ ନେବା ପାଇଁ କୋରାପୁଟରେ ଅବସ୍ଥାପିତ ୬୦ ଜଣ ବିଏସ୍‌ଏଫ୍ ଯବାନ ଆସିଛନ୍ତି। ସେମାନେ ନକ୍ସଲ ବିରୋଧୀ ତାଲିମ(ଆଣ୍ଟି ଏକ୍ସଟ୍ରିମିଷ୍ଟ ଟ୍ରେନିଂ) ନେଇ ସାରିଛନ୍ତି। ଏବେ ରିଫ୍ରେସମେଣ୍ଟ ତାଲିମ ନେବାପାଇଁ ମାସେ ହେଲା ଭୁବନେଶ୍ବର ଚନ୍ଦକା କ୍ୟାମ୍ପକୁ ଆସିଛନ୍ତି।

୭ ବିଏସ୍‌ଏଫ୍, ଜଣେ ଏସ୍ଓଜି ଯବାନ ଆହତ,
୨ ଗୁରୁତର: ଏମ୍ସରେ ଭର୍ତ୍ତି
ମଧ୍ୟରାତ୍ରିରେ ଅପରେସନରେ ସାମିଲ ଥିଲେ ୩୦ ଯବାନ
୨୨ଟି ହାତୀ ଆସିଥିଲେ, ଫାଙ୍କା ଗୁଳି ଚଳାଇ
ଜୀବନ ବଞ୍ଚାଇଲେ

ଗତକାଲି ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ପିତାଗାଡ଼ିଆ ନିକଟସ୍ଥ କାଜୁ ଜଙ୍ଗଲ ଭିତରେ ଜିପିଏସ୍ ମାର୍ଚ୍ଚ ଟ୍ରେନିଂ ଦିଆ ଯାଉଥିଲା। ଏହି ଟ୍ରେନିଂର ଉଦ୍ଦେଶ୍ୟ ହେଉଛି କୌଣସି ଏକ ସ୍ଥାନରେ ପହଞ୍ଚିବା ପାଇଁ ଯବାନଙ୍କୁ ମ୍ୟାପ୍ ମିଳିଥାଏ। ଜିପିଏସ୍ ଜରିଆରେ ସେହି ମ୍ୟାପକୁ ମ୍ୟାଚିଂ କରି ଅପରେସନ୍‌ରେ ସାମିଲ ଯବାନମାନେ ଜିରୋ ପଏଣ୍ଟରେ ପହଞ୍ଚିଥା’ନ୍ତି। ଫଳରେ ଶତ୍ରୁମାନଙ୍କୁ ମୁକାବିଲା କରିବା ସହଜ ହୋଇଥାଏ। ଘଞ୍ଚ ଜଙ୍ଗଲରେ କିଟିମିଟି ଅନ୍ଧାରରେ ଏହି ତାଲିମ୍‌ ଦିଆଯାଇଥାଏ। ଗତକାଲି ୩୦ ଜଣ ଯବାନଙ୍କୁ ନେଇ ପିତାଗାଡ଼ିଆ ନିକଟରେ ଏହି କାର୍ଯ୍ୟକ୍ରମ ଚାଲିଥିଲା। ସେହି ରାସ୍ତା ଦେଇ ଯାଉଥିବା ୨୨ଟିକିଆ ହାତୀପଲ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ହାତୀପଲ ଗର୍ଜନ କରିବା ସହ ଅତର୍କିତ ଆକ୍ରମଣ କରିଥିଲେ। ବିମଳ ତଳେ ପଡ଼ିଯିବାରୁ ଦନ୍ତା ହାତୀ ତାଙ୍କ ହାତକୁ ଦଳି ଦେଇଥିଲା। ଅନ୍ୟ ସାଥୀ ଯବାନମାନେ ଫାଙ୍କା ଗୁଳି ଚଳାଇବାରୁ ହାତୀ ଛତ୍ରଭଙ୍ଗ ଦେବା ସହ ଅନ୍ୟ ରାସ୍ତାରେ ଚାଲି ଯାଇଥିଲେ। ଏହା ପରେ କ୍ୟାମ୍ପ ଓ ଜଙ୍ଗଲ ବିଭାଗକୁ ଖବର ଦିଆଯାଇଥିଲା। କ୍ୟାମ୍ପ୍‌ରୁ ଯବାନ ଓ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହିପରି ବନ ବିଭାଗ କର୍ମଚାରୀମାନେ ମଧ୍ୟ ସେଠାକୁ ଯାଇଥିଲେ। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ସାମାନ୍ୟ ଆହତ ଥିବା କେତେକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି। ଗୁରୁତର ଆହତଙ୍କର ଚିକିତ୍ସା ଜାରି ରହିଛି।

ଏନେଇ ବିଏସଏଫ୍ ଆଇଜିଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ। ଅନ୍ୟପକ୍ଷରେ ଏସ୍ଓଜି କମାଣ୍ଡାଣ୍ଟ ଦାୟିତ୍ବରେ ଥିବା ଅଜୟ ପାଢ଼ୀ କହିଛନ୍ତି, ହାତୀ ଆକ୍ରମଣରେ କେହି ଆହତ ହୋଇନାହାନ୍ତି। ଦୌଡ଼ାଦୌଡ଼ି ସମୟରେ ଆହତ ହୋଇଛନ୍ତି, ଯାହା ନିୟମିତ ହୋଇଥାଏ। ସେହିପରି ଚନ୍ଦକା ଅଭୟାରଣ୍ୟ ଏସିଏଫ୍ ହିମାଂଶୁ ଶେଖର ମହାନ୍ତି କହିଛନ୍ତି, ଖରାଦିନ ଧାନଫସଲ ଖାଇବା ପାଇଁ ହାତୀପଲ ସେହି ରାସ୍ତା ଦେଇ ଯିବା ଆସିବା କରନ୍ତି। ଏବେ ଭରତପୁର ଜଙ୍ଗଲରେ ୧୫ ଏବଂ ଚନ୍ଦକା ଜଙ୍ଗଲରେ ୨୨ ହାତୀ ଅଛନ୍ତି।

 

ସମ୍ବନ୍ଧିତ ଖବର