ପାରଳାଖେମୁଣ୍ଡି/ରା.ଉଦୟଗିରି: ଗୃହରକ୍ଷୀ ଚାକିରି ପାଇଁ ଶାରୀରିକ ପରୀକ୍ଷା ସମୟରେ ଦୁଇଜଣ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଗୁରୁବାର ଗଜପତି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଚାଲିଥିବା ଏହି ଯୋଗ୍ୟତା ପରୀକ୍ଷାରେ ୨ କିମି ଦୌଡ଼ ପ୍ରତିଯୋଗିତା ବେଳେ ୬ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତ ଦୁଇ ଯୁବକ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁଲନ୍ତ ମିଶାଲ (୨୭) ଓ ନାରାୟଣପୁର ଗ୍ରାମର ଦୀପକ ପଡ଼ାଲ (୨୮)। ଅସୁସ୍ଥଙ୍କ ମଧ୍ୟରେ ଘୁରୁଣି ଗ୍ରାମର ସଞ୍ଜୟ ଶବର, ବାଲକ୍ରିଷ୍ଣା ଲିମା, ଅପ୍ରୀତିକର ଲିମା ଓ ପି.ଶଙ୍କର ଅଛନ୍ତି। ଏହି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।  

Advertisment

ଗଜପତି ଜିଲ୍ଲା ନିମନ୍ତେ ୧୪୪ଟି ଗୃହରକ୍ଷୀ ପଦବି ପାଇଁ ମନୋନୟନ ପ୍ରକ୍ରିୟା ଜାରି ରହିଛି। ପର୍ଯ୍ୟାୟ କ୍ରମେ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀଙ୍କ ଶାରୀରିକ ଯୋଗ୍ୟତା ଓ ଚୟନ ପାଇଁ ଆଜି ୨ କିଲୋମିଟର ଦୌଡ଼ ପ୍ରତିଯୋଗିତା ରହିଥିଲା। ସକାଳ ପ୍ରାୟ ୬ଟା ସମୟରେ ପାରଳାଖେମୁଣ୍ଡି ସହର ଉପକଣ୍ଠ ରାଣୀପେଣ୍ଠସ୍ଥିତ ଏସ୍‌ପି ଅଫିସ୍‌ଠାରୁ ପଦ୍ମପୁର ପର୍ଯ୍ୟନ୍ତ ୨ କିଲୋମିଟର ଦୌଡ଼ ପରୀକ୍ଷା ଆରମ୍ଭ ହୋଇଥିଲା। ଏଥିରେ ୧୨ଶହରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ପ୍ରଥମ ବ୍ୟାଚ୍‌ରେ ୨ କିଲୋମିଟର ରାସ୍ତାକୁ ୧୦ ମିନିଟ୍‌ ମଧ୍ୟରେ ଅତିକ୍ରମ କରି ଯୋଗ୍ୟତା ହାସଲ କରିଥିଲେ ସୁଲନ୍ତ। ହେଲେ ଦ୍ବିତୀୟ ପର୍ଯ୍ୟାୟକୁ ଯିବା ସମୟରେ ଘଟିଥିଲା ଅଘଟଣ। ହୃଦ୍‌ସ୍ପନ୍ଦନ ବଢ଼ିଯିବା କାରଣରୁ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ସହିତ ଜଣେ ପରେ ଜଣେ ଦୌଡ଼ୁଥିବା ଏଭଳି ୬ ଜଣ ଅସୁସ୍ଥ ହୋଇ ଟ୍ରାକ୍‌ ଉପରେ ଖସି ପଡ଼ିଥିଲେ। ଯୋଗ୍ୟତା ପରୀକ୍ଷାରେ ଉପସ୍ଥିତ ଥିବା ଡାକ୍ତର ସୁଲନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ସୁଲନ୍ତଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁତର ଅସୁସ୍ଥ ହୋଇଥିବା ଦୀପକ ପଡ଼ାଲଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ମୃତ୍ୟୁ ହୋଇ ଯାଇଥିଲା।  

ଅନ୍ୟ ଯେଉଁ ୪ ଜଣ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି। ଶାରୀରିକ ପରୀକ୍ଷା ବେଳେ ଘଟିଥିବା ଏହି ଅଘଟଣକୁ ନେଇ ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା କହିଛନ୍ତି, ପ୍ରାର୍ଥୀଙ୍କ ଶାରୀରିକ ପରୀକ୍ଷା କେବଳ ୧୦ ମିନିଟ୍‌ ମଧ୍ୟରେ ଯୋଗ୍ୟତା ହାସଲ କରିବା ପାଇଁ ପ୍ରଯୁଜ୍ୟ ଥିଲା। ଦୌଡ଼ ପରୀକ୍ଷା ବେଳେ ପ୍ରତିଯୋଗୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ରାସ୍ତାରେ ପୁଲିସ, ଆମ୍ବୁଲାନ୍ସ ଓ ଡାକ୍ତର ନିୟୋଜିତ ଥିଲେ। ତଥାପି ପ୍ରତିଯୋଗୀ ଏଭଳି ଅସୁସ୍ଥ ହୋଇପଡ଼ିବା ଏବଂ ଦୁଇଜଣଙ୍କ ମୃତ୍ୟୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ଏହି ଘଟଣାର ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି। ମୃତ ସୁଲନ୍ତଙ୍କ ଘରେ ବିଧବା ମା’ ରହିଥିବା ବେଳେ ୧୦ ବର୍ଷ ତଳେ ତାଙ୍କ ବଡ଼ଭାଇଙ୍କର ମୃତ୍ୟୁ ହୋଇଥିଲା। ମା’ ପ୍ରମିଳା ମିଶାଲ ଗାଁ’କୁ ଗାଁ ବୁଲି ଶୁଖୁଆ ବିକ୍ରି କରନ୍ତି। ସୁଲନ୍ତ ସିଲେଇ କାମ କରି ଘର ଚଳାଉଥିବାବେଳେ ଯୁକ୍ତତିନି ପାଠପଢ଼ା ପରେ ଚାକିରି ସନ୍ଧାନରେ ଥିଲେ। ଆଜି ଏକମାତ୍ର ପୁଅକୁ ହରାଇ ପ୍ରମିଳା ନିଃସହାୟ ହୋଇପଡ଼ିଛନ୍ତି।