ବାହାଘର ଶୋଭାଯାତ୍ରା ବେଳେ ଅଘଟଣ: ଡିଜେ ଗାଡ଼ି ଚକା ତଳେ କକା ମୃତ

ବାଲେଶ୍ବର: ବାଲେଶ୍ବର ସହର ଶିଳ୍ପାଞ୍ଚଳ ଥାନା ଅଧୀନ ସୋମନାଥପୁର ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ଡିଜେ ଗାଡ଼ିର ଚକା ତଳେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ସ୍ଥାନୀୟ ଖପରାପଦା ଗ୍ରାମର ହରେନ୍ଦ୍ର ମହାଳିକ(୩୫)।

ଏ ସମ୍ପର୍କରେ ଖବର  ପାଇବା ମାତ୍ରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ, ମୃତ ଯୁବକ ଜଣକ ଆଜି ରେମୁଣା ଗୋଲେଇ ନୂଆଗାଁସ୍ଥିତ ଏକ ମନ୍ଦିରରେ ତାଙ୍କ ପୁତୁରା ବାହାଘରରେ ଯୋଗ ଦେବାକୁ ଯାଇଥିଲେ। ସଂଧ୍ୟାରେ ‌ବରକନ୍ୟାଙ୍କ ସହ ଘରକୁ ବାହୁଡ଼ିବା ସମୟରେ ସୋମନାଥପୁର ଛକଠାରୁ ଡିଜେ ଶୋଭାଯାତ୍ରା କରି ଗାଁକୁ ଯାଉଥିଲେ।

ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଗ୍ରାମର ନୂଆପୋଖରୀ ଆଡ଼ି ପାଖରେ କୌଣସି କାରଣରୁ ଭାରସାମ୍ୟ ହରାଇ  ଡିଜେଗାଡ଼ି ଚକାତଳେ ପଡ଼ିଯାଇଥିବା ବେଳେ ଗାଡ଼ି ଆଗକୁ ମାଡ଼ି ଯାଇଥିଲା।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବାଲେଶ୍ବର ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବେକ ଉପରେ ଗାଡ଼ି ଚକା ଚଢ଼ିଯାଇଥିବା ଦେଖାଯାଇଛି।

ବାହାଘର ପାଇଁ ଉକ୍ତ ପରିବାରରେ ଏକ ଖୁସିର ମାହୋଲ ଥିବାବେଳେ ଏହି ଘଟଣା ସେମାନଙ୍କୁ ସ୍ତବ୍ଧ କରିଦେଇଛି।

ସମ୍ବନ୍ଧିତ ଖବର