କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ ବଲରାମପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ରାମଲୀଳା ପରିବେଷଣ ବେଳେ ନଡ଼ିଆ ଗଛ ଭାଙ୍ଗି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରିଜଣ ଆହତ ହୋଇଛନ୍ତି। ମୃତକ ହେଲେ ସମାଗୋଳ ଗ୍ରାମର ଟୁଟୁ ଦାସଙ୍କ ପତ୍ନୀ କୁନି ଦାସ(୩୪)। ଆହତମାନେ ହେଲେ ବଳରାମପୁର ଗ୍ରାମର ମଧୁସ୍ମିତା ବେହେରା(୨୨), ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ(୯), ସିଲି ସାହୁ(୧୮) ଓ ପ୍ରିୟାଂଶୁ ସାହୁ।  ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗତକାଲି  ହନୁମାନ ରଶି ଉପରେ ଚଢ଼ି ନିଜର କଳା ପରିବେଷଣ କରିବାକୁ ଗୋଟିଏ ନଡ଼ିଆ ଗଛରୁ ଆଉ ଗୋଟିଏ ନଡ଼ିଆ ଗଛକୁ ରଶି ବନ୍ଧା ଯାଉଥିଲା। ଏହି ସମୟରେ ନଡ଼ିଆ ଗଛଟି ହଠାତ୍ ଭାଙ୍ଗି ଟୁଟୁ ଦାସଙ୍କ ପତ୍ନୀ କୁନି ଦାସଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Advertisment

କୁଜଙ୍ଗ ଥାନା ପହଞ୍ଚି ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ନଡ଼ିଆ ଗଛର ମୂଳ ପୋକଖାଇ ଦୁର୍ବଳ ହୋଇ ପଡ଼ିଥିବା ଯୋଗୁ ଭାଙ୍ଗି ପଡ଼ିଥିଲା ବୋଲି ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା ପ୍ରକାଶ କରିଛନ୍ତି l ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକ ପରିବାରକୁ ସରକାରୀ ସହାୟତା ଦେବାକୁ ନିବେଦନ କରିଛନ୍ତି l ଅନ୍ୟପଟେ  ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବା ଘଟଣାକୁ ନେଇ ମାରଧର କରାଯାଇଥିଲା ବୋଲି ଆମ୍ବଲାନ୍ସ ଚାଳକ ତାପସ ଦାସ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ପାପୁ ମଲ୍ଲିକଙ୍କୁ ଗିରଫ କରାଯାଇଛି।