ବ୍ରହ୍ମପୁର: ଏମ୍କେସିଜି ବଡ଼ ଡାକ୍ତରଖାନାରୁ ବିଭିନ୍ନ ସମୟରେ ଲାଞ୍ଚ ଅଭିଯୋଗ ଆସୁଛି। ଏବେ ମୃତଦେହ ଛାଡ଼ିବା ପାଇଁ କର୍ମଚାରୀ ସମ୍ପର୍କୀୟଙ୍କୁ ଟଙ୍କା ମାଗିଥିବା ଅଭିଯୋଗ ଆସିଛି। ଏଭଳି ଅଭିଯୋଗ ଆସିବା ପରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ଆଇସିୟୁରେ ନିୟୋଜିତ ରହିଥିବା ଦୁଇଜଣ ଆଟେଣ୍ଡାଣ୍ଟ୍ ଓ ଦୁଇଜଣ ସୁଇପର୍ଙ୍କୁ ବହିଷ୍କୃତ କରାଯାଇଥିବା ଏମ୍କେସିଜି ବଡ଼ଡାକ୍ତରଖାନା ରେଜିଷ୍ଟ୍ରାର୍ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି।
ଆସିକା ରୋଡ୍ ଶ୍ରୀରାମନଗର ନିକଟ ଗଙ୍ଗାଧରନଗର ନିବାସୀ ପର୍ଶୁରାମ ସାହୁଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଏମ୍କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ଆଇସିୟୁରୁ ମୃତଦେହ ବାହାର କରିବା ପାଇଁ ଜଣେ ଆଟେଣ୍ଡାଣ୍ଟ୍ ତାଙ୍କୁ ୫ଶହ ଟଙ୍କା ମାଗିଥିଲେ। ପୁଅ ମହେନ୍ଦ୍ର ସାହୁ ବାଧ୍ୟ ହୋଇ ୫ ଶହ ଟଙ୍କା ଦେଇଥିଲେ। ଏହାପରେ ପୁଣି ଜଣେ ଆଟେଣ୍ଡାଣ୍ଟ୍ ସେଠାକୁ ଆସି ୫ଶହ ଟଙ୍କା ମାଗିଥିଲେ ବୋଲି ସମ୍ପର୍କୀୟ ବସନ୍ତ ସାହୁ ଅଭିଯୋଗ କରିଛନ୍ତି। ଏ ନେଇ ମୃତକଙ୍କ ପରିବାରବର୍ଗ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଉଟ୍ସୋର୍ସିଂରେ ଥିବା ୪ଜଣ କର୍ମଚାରୀଙ୍କୁ ବହିଷ୍କୃତ କରାଯାଇଛି।