କଟକ: ମେ’ ୩୦ ତାରିଖରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଓ ଯୁବମୋର୍ଚ୍ଚାର କିଛି କର୍ମୀଙ୍କୁ ଭଦ୍ରକ, ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଧାନକୁଟା ପଞ୍ଚାୟତ କରଞ୍ଜମାଲ ଗ୍ରାମରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଏଥିରେ ବିଜେଡି ସମର୍ଥକ ସାମିଲ ଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କରୁଥିବା ପ୍ରତିବାଦରେ ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶତାଧିକ କର୍ମୀ ପୁଲିସ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଡିଜି ଅଫିସ ଘେରାଉ କରିଥିଲେ। ବକ୍ସିବଜାର ଗୋପବନ୍ଧୁ ଛକରୁ ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ପ୍ରତିବାଦ ଶୋଭଯାତ୍ରାରେ ବାହାରି ଡିଜିପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଜେପି ଯୁବମୋର୍ଚ୍ଚାର ଏକ ପ୍ରତିନିଧି ଦଳ ପୁଲିସ ଡିଜିଙ୍କୁ ସାକ୍ଷାତ କରି ରାଜ୍ୟ ସଭାପତିଙ୍କୁ ହୋଇଥିବା ଆକ୍ରମଣ ବିଷୟରେ ଆଲୋଚନା କରିଥିଲେ। ଘଟଣା ଘଟିବାର ୭୨ ଘଣ୍ଟା ପରେ ବି ପୁଲିସ ପ୍ରଶାସନ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିବାରୁ ସେମାନେ ତାହାର ନିନ୍ଦା କରିଥିଲେ।
ସୂଚନାଯୋଗ୍ୟ, ମେ’ ୩୦ ତାରିଖରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ନିର୍ବାଚନୀ ପ୍ରଚାର କାର୍ଯ୍ୟ ସାରି କାର୍ଯ୍ୟକର୍ତାଙ୍କ ସହିତ ଫେରୁଥିବା ବେଳେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ରମେଶ ନାୟକ, ତାଙ୍କ ପୁତୁରା ପ୍ରମୋଦ ନାୟକ, ସାନ ଭାଇ ଅକ୍ଷୟ ନାୟକ, ମଣ୍ଟୁ ନାୟକ, ଧୁଶା ମଣ୍ଡଳଙ୍କ ସହ କିଛି ବିଜେଡି ସମର୍ଥକ ଖଣ୍ଡା, ଭୁଜାଲି, ପଥର ଓ କାଠ ଫାଳିଆରେ ସେମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହ ମୋବାଇଲ୍ ଫୋନ ଭାଙ୍ଗି ଦେଇଥିଲେ। ଏହି ଆକ୍ରମଣରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ପଣ୍ଡାଙ୍କ ସହ, ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ ସିଂ, ସମ୍ପାଦକ ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ, ରାଜ୍ୟ ସହ ସଂଯୋଜକ ଆଶୁତୋଷ ନାୟକ ଓ ଯୁବମୋର୍ଚ୍ଚାର କିଛି କାର୍ଯ୍ୟକର୍ତା ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସିତ ହୋଇଥିଲେ। ଆଜିର ଏହି ବିକ୍ଷୋଭ ସମାବେଶରେ ଅରିନ୍ଦମ ରଏ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସଂଗ୍ରାମ ପାତ୍ର, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ ଗୋଚ୍ଛାୟତ, ସୁଜିତ ସିଂ, ରାଜ୍ୟ ସମ୍ପାଦକ ଗଗନ ଓଝା, ମାନସ ସାହୁ, ତୁତୁନ ପାତ୍ର, ରାଜ୍ୟ ସଂଯୋଜକ ଚଣ୍ଡୀପ୍ରସାଦ ବେହେରା, ସ୍ମୃତିରଞ୍ଜନ ଦାସ, ଆଶୁତୋଷ ବେହେରା, ଯୁବମୋର୍ଚ୍ଚା କଟକ ଜିଲା ସଭାପତି ନଳିନୀ ରାୟ, ଭୁବନେଶ୍ୱର ଜିଲା ସଭାପତି ସ୍ୱୟଂ ସେବକ ରାୟ, ଶୋଭନ ଆଚାର୍ଯ୍ୟ, ସୁଧୀର ମଲ୍ଲିକ, ଏମ୍. ଜେ ମହିମା, ଶିବ ନାରାୟଣ ନାୟକ, ବିଜୟାନନ୍ଦ ବାରିକ, ଶ୍ରେୟାଂଶ ଦାସ, ସଞ୍ଜୟ ଦାସ, କେଶବ କୁଣ୍ଡୁ, ସନ୍ତୋଷ କର ପ୍ରମୁଖ ସାମିଲ ହୋଇଥିଲେ ।