କୋରେଇ : ପୂର୍ବତଟ ରେଳପଥର ଦୁଲାଖାପାଟଣା ନିକଟରେ କାଳବୈଶାଖୀରେ କ୍ଷତିଗ୍ରସ୍ତ ହୋଇ ଗତକାଲି ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଅଟକି ରହିଥିଲା। ଏହି ଘଟଣାରେ ରେଳବାଇର ବିଦ୍ୟୁତ୍ ବିଭାଗକୁ ପୂର୍ବତଟ ଡିଆର୍‌ଏମ୍ ସ୍ପଷ୍ଟୀକରଣ ମାଗିଛନ୍ତି। କେଉଁ କାରଣରୁ କାଳବୈଶାଖୀରେ ବିଦ୍ୟୁତ୍ ତାର କ୍ଷତିଗ୍ରସ୍ତ ହେଲା, ଏହାର ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଗତକାଲି ଟ୍ରେନ୍‌ରେ ବିଦ୍ୟୁତ୍ ସଂଯୋଗ ବନ୍ଦ ହୋଇଯିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପାଣି ସଂଯୋଗ ବନ୍ଦ ହୋଇଯାଇଥିଲା। ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଆପତକାଳୀନ କବାଟ ମଧ୍ୟ ଖୋଲିନଥିଲା। ଏନେଇ ତଦନ୍ତ କରାଯିବାକୁ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଅନ୍ୟପକ୍ଷରେ, ଗତକାଲି ବିଳମ୍ବିତ ରାତିରେ ଡିଜେଲ ଇଞ୍ଜିନ୍ ଦ୍ବାରା ବନ୍ଦେ ଭାରତ ଏକ୍ସପ୍ରେସ୍‌ ହାଓଡ଼ାରେ ପହଞ୍ଚିଥିଲା। ଏହାପରେ ଏହାର ମରାମତି କାମ ଜାରି ରହିଛି। ୧୨ ଜଣ ଯନ୍ତ୍ରୀଙ୍କ ସମେତ ୩୫ ଜଣ କର୍ମଚାରୀ ଏହି କାର୍ଯ୍ୟରେ ଲାଗିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଟ୍ରେନ୍‌ ଯାତ୍ରା ପାଇଁ ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଫଳରେ, ସୋମବାର ଦିନ ପୁରୀ ଅଭିମୁଖେ ଯାତ୍ରା ବନ୍ଦ ରହିଛି। ମଙ୍ଗଳବାରଠାରୁ ପୁଣିଥରେ ସେବା ପ୍ରଦାନ କରିବାକୁ ପ୍ରସ୍ତୁତ ହୋଇ ରହିଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।