ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ଭତରା ଗ୍ରାମ ନିକଟରେ ନରହନ୍ତା ଭାଲୁକୁ ପିଟିପିଟି ମାରିଦେବା ଘଟଣାରେ ନବରଙ୍ଗପୁର ବନ ବିଭାଗ ୧୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ ଚାଲିଛି ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫ୍‌ଓ ଶୁଭେନ୍ଦୁ ପ୍ରସାଦ ବେହେରା ସୂଚନା ଦେଇଛନ୍ତି।

Advertisment

ସୂଚନା ଅନୁସାରେ ମହୁଲ ପୋଚ ଖାଇ ୬ ମାସର ଏହି ଅଣ୍ଡିରା ଭାଲୁଟି ପାଗଳ ପ୍ରାୟ ହୋଇଯାଇଥିଲା। ଦୁର୍ଭାଗ୍ୟବଶତଃ ଏହି ସମୟରେ ମଧ୍ୟପ୍ରଦେଶର ଠିକାଦାର ବ୍ରିଜେଶ କୁମାର ଦ୍ବିବେଦୀ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ। ବଞ୍ଚିବା ପାଇଁ ବ୍ରିଜେଶ ଛାଟିପିଟି ହେବାରୁ ଭାଲୁ ଅଧିକ ଉଗ୍ର ହୋଇଥିଲା। ସେହିପରି ବ୍ରିଜେଶଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚିଥିବା ଠିକାସଂସ୍ଥା ଶ୍ରମିକ ଏବଂ ନିକଟସ୍ଥ ଗ୍ରାମବାସୀ ଟେକାପଥର ମାରିଥିଲେ। ତେଣୁ ଭାଲୁଟି ଭୟଭୀତ ହୋଇ ବ୍ରିଜେଶଙ୍କୁ ୪୦ମିନିଟ୍‌ ଧରି ଭିଡ଼ି ଧରିଥିଲା। ବ୍ରିଜେଶ ନିସ୍ତେଜ ହେବାପରେ ଲୋକେ ଉତ୍ତ୍ୟକ୍ତ ହୋଇ ଭାଲୁ ନିକଟକୁ ଦୌଡ଼ି ଆସିବାରୁ ପ୍ରାଣ ବିକଳରେ ଧାଇଁଥିଲା। ଏପରିକି ଜଣେ ଆକ୍ରମଣକାରୀକୁ ମଧ୍ୟ ଭାଲୁ କାବୁ କରିଥିଲା। ତେବେ ସେତେବେଳକୁ ଘଟଣାସ୍ଥଳରେ ପହଞ୍ଚି ସାରିଥିବା ବନ ବିଭାଗ କର୍ମଚାରୀ ଉକ୍ତ ଆକ୍ରମଣକାରୀକୁ ଭାଲୁ କବଳରୁ ଉଦ୍ଧାର କରିଥିଲେ।

ଏହାପରେ ଉତ୍ତ୍ୟକ୍ତ ଲୋକ ଭାଲୁକୁ ଗୋଡ଼ାଇବାରୁ ଗୋଟିଏ ମୋରମ ଖାଦାନରେ ପଡ଼ି ଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ହିଁ ଭାଲୁକୁ ପିଟିପିଟି ଲୋକ ମାରି ଦେଇଥିଲେ। ତେବେ ଆଖପାଖ ଗାଁରେ ଏବେ ବି ଭାଲୁ ପ୍ରବେଶ କରୁଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଖାଦ୍ୟ ସନ୍ଧାନରେ ଜନବସତି ନିକଟକୁ ଏମାନେ ଆସୁଥିବାରୁ ଆକ୍ରମଣ କରିବାର ସମ୍ଭାବନା ରହିଛି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି‌ ହୋଇଛି।