ବିଶ୍ରା: ସିବିଆଇ ହାତରେ ବିମଳାଗଡ଼ ଆର୍ପିଏଫ୍ କନେଷ୍ଟବଳ ଶମ୍ଭୁପ୍ରସାଦ ସିଂହ ଗିରଫ ହେବାର ୧୦ ଦିନ ପରେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି ବିମଳାଗଡ଼ ଆର୍ପିଏଫ୍ ଅଧିକାରୀ ଦିଲୀପ କୁମାର ସିଂ। ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଚକ୍ରଧରପୁର ରେଳମଣ୍ଡଳର ଆର୍ପିଏଫ୍ ଡିଏସ୍ସି ପି. ଶଙ୍କର କୁଟ୍ଟି ଆଜି ଏକ ପତ୍ର ଜାରି କରି ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି। ନିଲମ୍ବନ ଅବଧି ମଧ୍ୟରେ ଶ୍ରୀ ସିଂ ଚକ୍ରଧରପୁର ଡିଏସ୍ସି ଅଫିସରେ ପ୍ରତିଦିନ ରିପୋର୍ଟିଂ କରିବାକୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଚଳିତମାସ ୮ ତାରିଖ ସନ୍ଧ୍ୟାରେ ବିମଳାଗଡ଼ ଆରପିଏଫ୍ ପୋଷ୍ଟରେ କାର୍ଯ୍ୟ କରୁଥିବା କନେଷ୍ଟବଳ ଶମ୍ଭୁପ୍ରସାଦ ସିଂହଙ୍କୁ ୧୨ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭୁବନେଶ୍ୱର ସିବିଆଇ ଟିମ୍ ଗିରଫ କରିଥିଲା। ସେହି ଦିନଠାରୁ ଆର୍ପିଏଫ୍ ଅଧିକାରୀ ଦିଲୀପ କୁମାର ସିଂ ନିଖୋଜ ଅଛନ୍ତି। ଏପରିକି ତାଙ୍କର ସରକାରୀ ଫୋନ୍ ମଧ୍ୟ ବନ୍ଦ ରହିଛି। ଏହି ଘଟଣାରେ ତାଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି। ତେବେ ମାମଲା ରୁଜୁ ହେବାର ୧୦ ଦିନ ବିତି ଯାଇଥିଲେ ମଧ୍ୟ ଦିଲୀପଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ବିଭାଗୀୟ ଉଚ୍ଚାଧିକାରୀଙ୍କ ଚେତା ପଶିଥିଲା। ବିମଳାଗଡ଼ ଅଞ୍ଚଳରେ ବେଆଇନ କୋଇଲା, ସ୍କ୍ରାପ୍, ନକଲିମଦ କାରବାର ପଛରେ ଆର୍ପିଏଫ୍ର ଜଣେ ସବ୍ଇନ୍ସ୍ପେକ୍ଟରଙ୍କ ଭୂମିକା ମଧ୍ୟ ସନ୍ଦେହଘେରରେ ରହିଛି। ଯେକୌଣସି ସମୟରେ ଏହି ସବ୍ଇନସ୍ପେକ୍ଟରଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ସୂଚନା ମିଳିଛି।