ଘୁ.ଉଦୟଗିରି: ଦାଦନ ଯିବାକୁ ଗାଁ ଗାଁରେ ପୋଷ୍ଟର, ବ୍ୟାନର୍ ମରା, ପ୍ରତ୍ୟହ ବସ୍ ଯୋଗେ ବଜାର ଛକ ଉପରୁ କେରଳ ଦାଦନ ଶ୍ରମିକ ଚାଲାଣ ଖୋଲାଖୋଲି ଚାଲିଥିଲା। ହେଲେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ପ୍ରଶାସନର ନିଦ ହଜିଯାଇଛି। ରାଜ୍ୟ ପ୍ରଶାସନର ନିର୍ଦ୍ଦେଶରେ ଏବେ କନ୍ଧମାଳଜିଲ୍ଲା ପ୍ରଶାସନ ପକ୍ଷରୁ ପୋଷ୍ଟର୍ରେ ଉଲ୍ଲେଖ ନମ୍ବର ଯାଞ୍ଚ୍ ଓ ଟ୍ରାକ୍ କରି ଦଲାଲ୍ ଖୋଜା ଆରମ୍ଭ ହୋଇଛି।
ରାଇକିଆ ବିଡିଓ ମନୋଜ କୁମାର ଦେବତା, ଡିଆରଡିଏ ପିଡି ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ପଞ୍ଚାୟତିରାଜ ଅଧିକାରୀ ରତିକାନ୍ତ ଆଚାରୀ ଓ ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ବିଶ୍ବ ରଞ୍ଜନ କହଁର ପହଞ୍ଚି ଚଢ଼ଉ, ତନାଘନା ଚଳାଇଛନ୍ତି। ରାଇକିଆରେ ଥିବା ଦୁଇଟି ବସ୍ କାଉଣ୍ଟର୍ରେ ପହଞ୍ଚି ପଚରାଉଚରା କରିଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ସ୍ବତନ୍ତ୍ର ସ୍କ୍ବାଡ୍ ବ୍ୟାପକ ତନାଘନା କରିବା ସହ ଶ୍ରମିକଙ୍କୁ ଦଲାଲମାନେ ନେଉଛନ୍ତି ନା’ ସେମାନେ ନିଜ ଇଚ୍ଛାରେ କେରଳକୁ ଯାଉଛନ୍ତି ସେ ନେଇ ତଦନ୍ତ କରାଯିବ ବୋଲି ପିଡି ଡିଆରଡିଏ ଶ୍ରୀ ନନ୍ଦୀ ଗଣମାଧ୍ୟମକୁ କହିଛନ୍ତି।
ଡିସେମ୍ବର ମାସ ବଡ଼ଦିନ ସରିବା ପରେ ରୀତିମତ କନ୍ଧମାଳରୁ ଆରମ୍ଭ ହୋଇଯାଉଛି ବାହାର ରାଜ୍ୟକୁ ଶ୍ରମିକ ଚାଲାଣ। ବିଶେଷ କରି ଜିଲ୍ଲାର ରାଇକିଆ, ଟିକାବାଲି, କ.ନୂଆଗାଁ, ଘୁ.ଉଦୟଗିରି ଓ ଦାରିଙ୍ଗବାଡ଼ିରୁ ଶହ ଶହ ଶ୍ରମିକ କର୍ମ ଅନ୍ବେଷଣରେ କେରଳକୁ ଦାଦନ ଭାବେ ଯାଇଥାନ୍ତି। ପ୍ରତି ସପ୍ତାହର ଶୁକ୍ରବାର ଦିନ ଦୁଇଟି ବସ୍ ଯୋଗେ ଶତାଧିକ ଶ୍ରମିକ ଚାଲାଣ ହୋଇଥାନ୍ତି। ବର୍ଷ ବର୍ଷ ଧରି ଏହି ଧାରା ଚାଲି ଆସିଛି। ଏଠାରୁ କେରଳ ଯିବାକୁ ଜଣ ପିଛା ୩ ହଜାର ଟଙ୍କା ଆଦାୟ କରାଯାଉଛି। ଦଲାଲମାନେ ସେମାନଙ୍କ ନିୟୋଜିତ ଏଜେଣ୍ଟଙ୍କ ଜରିଆରେ ଗାଁ ଗାଁ ବୁଲି ଯୋଗାଯୋଗ କରିଥିବା ଶ୍ରମିକଙ୍କୁ ରାଇକିଆ, ଘୁ.ଉଦୟଗିରି ଓ ଟିକାବାଲି ବସ୍ ରହଣି ପଏଣ୍ଟ୍ରେ ବସାଇ କେରଳକୁ ନେଉଛନ୍ତି। ଅନେକ ସମୟରେ ଦଲାଲ ଫ୍ୟାକ୍ଟ୍ରି ମାଲିକଙ୍କ ଠାରୁ ଟଙ୍କା ନେଇ ଶ୍ରମିକଙ୍କୁ କଂପାନି ମାଲିକ ପାଖରେ ଏକ ପ୍ରକାର ବନ୍ଧା ପକାଇ ଛାଡ଼ି ଦେଇ ପଳାଇଥାଆନ୍ତି। ଏଭଳି ସ୍ଥିତିରେ କାର୍ଯ୍ୟରତ ଶ୍ରମିକଙ୍କୁ କଂପାନି ମାଲିକ ନଛାଡ଼ି ମାଗଣା ଖଟି ଦଲାଲ୍ ନେଇ ଯାଇଥିବା ଅଗ୍ରିମ ନସୁଝିଲା ପର୍ଯ୍ୟନ୍ତ ନିର୍ଯାତନା ଦେଇ କାମ ଅଦାୟ କରିଥାନ୍ତି। ଏଭଳି ବାରମ୍ବାର ଘଟୁଥିଲେ ମଧ୍ୟ କାମ ଅନ୍ବେଷଣରେ ଯାଇଥିବା ଶ୍ରମିକ ସେଠାରେ ହାରି ଗୁହାରି କେହି ନଥିବାରୁ ନିରବରେ କଷ୍ଟ ସହି କାମ କରିଥାନ୍ତି। ହେଲେ ବେଳେ ବେଳେ ଏହା ଅସହ୍ୟ ହେବା, ପଙ୍ଗୁ ହୋଇଯିବା, ଜୀବନ ଯିବା ଭଳି ବହୁ ଘଟଣା ପଦାକୁ ଆସୁଛି। ବର୍ଷ ବର୍ଷ ଧରି କନ୍ଧମାଳରେ ଦାଦନ ଯନ୍ତ୍ରଣାର ଅନ୍ତ ଘଟୁନଥିବା ବେଳେ ପ୍ରଶାସନ ଓ ଶ୍ରମ ବିଭାଗ ନିରବଦ୍ରଷ୍ଟା ସାଜିଛନ୍ତି।