ବିଡିଏ ପ୍ଲଟ୍‌ରୁ ଅପରିଚିତଙ୍କ ମୃତଦେହ ମିଳିବା ଘଟଣା: ମିଳିଲା ପରିଚୟ

ମୃତ୍ୟୁକୁ ନେଇ ଏବେ ବି କାରଣ ଅସ୍ପଷ୍ଟ

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ମଦନପୁର ପଞ୍ଚାୟତ ଜାଗସରାପାଟଣାର ବିଡିଏ ପଡ଼ିଆରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ତାଙ୍କ ପାଇଛି। ଯୁବକ ହେଉଛନ୍ତି ଫୁଲବାଣୀର ଗନ୍ଧର୍ବ ନାୟକ। ସେ ଛୋଟ ବେଳୁ ଘର ଛାଡ଼ି ଜଗତସିଂହପୁର ଜିଲ୍ଲା ତରୀକୁଣ୍ଡ ଫାଣ୍ଡି ଅନ୍ତର୍ଗତ ସାତପୁରା ଗାଁରେ ମହେଶ୍ବର ନାୟକଙ୍କ ଘରେ ରହୁଥିଲେ। ଗତ ମାସେ ହେଲା ସେ ଗୋହିରା ଛକରେ ଜଣଙ୍କ ଘର ସେଣ୍ଟ୍ରି କାମ କରିବାକୁ କିଛି ଶ୍ରମିକଙ୍କ ସହ ଆସିଥିଲେ। ସାଙ୍ଗରେ ତାଙ୍କ ଆଧାର କାର୍ଡ ଓ ରାସନ କାର୍ଡ ଆଣିଥିଲେ। ଗତ ଅଗଷ୍ଟ ୩୧ ତାରିଖ ଅର୍ଥାତ୍ ଗଣେଶ ପୂଜା ଦିନ ଘର କାମ ବନ୍ଦ ଥିବାରୁ ସାଥୀ ଶ୍ରମିକଙ୍କ ପାଖରୁ ୧୧୦ ଟଙ୍କା ଧାର୍ ଆଣି ଗୋହିରା ଛକକୁ ଯାଉଥିବା କହିଥିଲେ। ଏହା ପରେ ସେ ଆଉ ଘରକୁ ଫେରିନଥିଲେ। ପରଦିନ ସକାଳେ ଅର୍ଥାତ୍ ଗୁରୁବାର ତାଙ୍କର ମୃତଦେହ ମିଳିଥିଲା। ଏଥିରୁ ପୁଲିସ ସ୍ପଷ୍ଟ ହୋଇଛି, ଅଗଷ୍ଟ ୩୧ ତାରିଖରୁ ସେପ୍ଟେମ୍ବର ୧ତାରିଖ ଭୋର୍ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଛି।

ମାତ୍ର ସେ ଗୋହିରା ଛକକୁ ଆସିବା ପରିବର୍ତ୍ତେ ଜାଗସରାପାଟଣା କାହିଁକି ଆସିଥିଲା ଏବଂ ତାଙ୍କର ମୃତ୍ୟୁ କେମିତି ଘଟିଲା ତା’ ଏବେ ବି ପୁଲିସ ପାଇଁ ପ୍ରଶ୍ନ ସୃଷ୍ଟି କରିଛି। ଅପରପଟେ ମୃତ ଗନ୍ଧର୍ବର ପରିଚୟ ମିଳିଥିଲେ ବି ତାଙ୍କ ପରିବାର ଲୋକଙ୍କ ସହିତ ଇନ୍‌ଫୋଭ୍ୟାଲି ଥାନା ପୁଲିସ ଏବେ ବି ଯୋଗାଯୋଗ କରିପାରିନାହିଁ। ତେଣୁ ଆଜି ମଧ୍ୟ ଏମ୍ସର ଶବ ସଂରକ୍ଷଣ ଗୃହରେ ଗନ୍ଧର୍ବଙ୍କ ମୃତଦେହ ଥିବା ପୁଲିସ ସୂଚନା ଦେଇଛି। ତରୀକୁଣ୍ଡ ଫାଣ୍ଡି ସହାୟତାର ଗନ୍ଧର୍ବ ବାବଦରେ ସୂଚନା ମିଳିପାରିବ ବୋଲି ପୁଲିସ ଆଶା ପ୍ରକାଶ କରିଛି।

ସମ୍ବନ୍ଧିତ ଖବର