ବ୍ରହ୍ମପୁର : ଏମ୍କେସିଜି ବଡ଼ ଡାକ୍ତରଖାନାରେ ଗୋଟିଏ ସିଲିଣ୍ଡର୍ରୁ ୩ଶିଶୁଙ୍କୁ ଅକ୍ସିଜେନ୍ ଯୋଗାଣ ଘଟଣାର ବିଭାଗୀୟ ତଦନ୍ତ ଜାରି ରହିଛି। ସେପଟେ ଏହି ସମ୍ବେଦନଶୀଳ ଘଟଣା ଜାତୀୟ ମାନବାଧିକାର କମିସନ୍ (ଏନ୍ଏଚ୍ଆର୍ସି) ନିକଟରେ ପହଞ୍ଚିଛି।
ଏମ୍କେସିଜି ବଡ଼ ଡାକ୍ତରଖାନାର ରୋଗୀସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପାଇଁ ବ୍ରହ୍ମପୁର ସହରର ଯୁବ ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ର ଏନ୍ଏଚ୍ଆର୍ସିରେ ପିଟିସନ୍ ରୁଜୁ କରିଛନ୍ତି। ବଡ଼ ଡାକ୍ତରଖାନାର ରୋଗୀସେବା ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ଯାହାକି ମାନବ ଅଧିକାରକୁ କ୍ଷୁଣ୍ଣ କରିବା ସହିତ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଏଣୁ ମାନବ ଅଧିକାର ସୁରକ୍ଷା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିବାକୁ ଶ୍ରୀ ମିଶ୍ର ତାଙ୍କର ପିଟିସନ୍ରେ ଉଲ୍ଲେଖ କରିଛନ୍ତି। ଏନ୍ଏଚ୍ଆର୍ସି ଏହି ପିଟିସନ୍ ଗ୍ରହଣ କରିଛନ୍ତି।
ଏପଟେ ଏହି ଶିଶୁମାନେ ଏସ୍ଏନ୍ସିୟୁରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କୁ ଅକ୍ସିଜେନ୍ର ଆବଶ୍ୟକତା ପଡ଼ିନଥିଲା। ଇକୋ ପରୀକ୍ଷା ପାଇଁ ନେବାବେଳେ ତାଙ୍କୁ କିଏ ଅକ୍ସିଜେନ୍ ଦେଲା, ସେହି ଘଟଣାର ତଦନ୍ତ କରିବାକୁ ଏମ୍କେସିଜି ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ବିଭାଗୀୟ ମୁଖ୍ୟ ଘଟଣାର ତଦନ୍ତ ଜାରି ରଖିଛନ୍ତି। ରିପୋର୍ଟ ଆସିବା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ଅଧୀକ୍ଷକ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗତ ୧୫ତାରିଖ ଦିନ ଡାକ୍ତରଙ୍କ ପରାମର୍ଶ କ୍ରମେ ୩ଜଣ ଶିଶୁଙ୍କ ଇକୋ ପରୀକ୍ଷା ପାଇଁ ଏସ୍ଏନ୍ସିୟୁରୁ ସୁପର୍ସ୍ପେସାଲିଟି ବ୍ଲକ୍ର ହୃଦ୍ରୋଗ ବିଭାଗକୁ ନିଆଯାଉଥିଲା। ଏହିସମୟରେ ଗୋଟିଏ ସିଲିଣ୍ଡର୍ରୁ ୩ଟି ପାଇପ୍ ଯୋଗେ ୩ଜଣ ଶିଶୁଙ୍କୁ ଅକ୍ସିଜେନ୍ ଯୋଗାଣ କରାଯାଇଥିଲା। ମା’ମାନେ ଶିଶୁଙ୍କୁ କୋଳେଇ ଧରିଥିଲେ। ଏହିଭଳି ଏକ ଘଟଣା ସାଧାରଣରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା।