ଅନୁଗୁଳ: ଅଗଷ୍ଟ ମାସରେ ଅନୁଗୁଳ ଜିଲ୍ଲାର ହୋମ୍ଗାର୍ଡ ସୈରିନ୍ଧ୍ରୀ ସାହୁଙ୍କ ନିର୍ଯାତନ କାହାଣୀ ପୂରା ରାଜ୍ୟରେ ହଇଚଇ ଖେଳାଇ ସୃଷ୍ଟି କରିଥିଲା। କାରଣ ଥିଲା, ତତ୍କାଳୀନ ତାଳଚେର ଡିଆଇଜି ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ଦ୍ବାରା ଯାତନା। ଏହା ଏତେ କଷ୍ଟଦାୟକ ଥିଲା ଯେ, ମହିଳା ହୋମ୍ଗାର୍ଡ ଜଣକ ଟ୍ରେନ୍ ଲାଇନ୍ରେ ଆତ୍ମହତ୍ୟା କରିବାକୁ ଯାଇଥିଲେ। ଏଥିରେ ତାଙ୍କ ଜୀବନ ବଞ୍ଚିଯାଇଥିବା ବେଳେ ଦୁଇ ଗୋଡ଼କୁ ହରାଇବାକୁ ପଡ଼ିଥିଲା। ପୁଲିସ ଅଧିକାରୀଙ୍କ ପତ୍ନୀଙ୍କ ଚାପରେ ଏମିତି ଅବସ୍ଥା ଭୋଗିଥିବା ମହିଳା ହୋମ୍ଗାର୍ଡଙ୍କୁ ସରକାର ୩୦ହଜାର ଟଙ୍କାର ସହାୟତା ଦେଇଛନ୍ତି। ଗଲା ବିଧାନସଭାରେ ଉଠିଥିବା ଏକ ପ୍ରଶ୍ନର ଉତ୍ତରରେ ଖୋଦ୍ ସରକାର ଏକଥା ସ୍ବୀକାର କରିଛନ୍ତି। କେବଳ ସେତିକି ନୁହେଁ, ଏ ଘଟଣା ପରେ ପୁଲିସର ବଡ଼ ଅଧିକାରୀଙ୍କ ଘରୋଇ କାମରେ ହୋମ୍ଗାର୍ଡମାନଙ୍କୁ କାହିଁକି ଖଟାଯାଉଛି ବୋଲି ପ୍ରଶ୍ନ ଉଠିଥିଲା। କିନ୍ତୁ, ସରକାର ଏ ଅଭିଯୋଗକୁ ବି ଖଣ୍ଡନ କରିଛନ୍ତି। ରାଜ୍ୟର କୌଣସି ହୋମ୍ଗାର୍ଡ ବରିଷ୍ଠ ପୁଲିସ ଅଧିକାରୀଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ନାହାନ୍ତି ବୋଲି ସରକାର ଉତ୍ତର ଦେଇଛନ୍ତି। ଯାହାକୁ ନେଇ ସନ୍ଦେହ ଉପୁଜିଛି। ପ୍ରକୃତରେ ବଡ଼ ଅଧିକାରୀଙ୍କ ଘରୋଇ କାମରେ ହୋମ୍ଗାର୍ଡ ନିୟୋଜିତ ନାହାନ୍ତି ନା ଏକଥାକୁ ଲୁଚାଯାଉଛି କି ? ବୋଲି ପ୍ରଶ୍ନ ଉଠିଛି।
ସୂଚନା ମୁତାବକ, ସୈରିନ୍ଧ୍ରୀଙ୍କ ଘର ଅନୁଗୁଳ ସହର ଉପକଣ୍ଠ ରାଣୀଗୋଡ଼ାରେ। ୧୯ବର୍ଷ ହେଲା ସେ ହୋମ୍ଗାର୍ଡ ଭାବେ କାମ କରିଆସୁଥିଲେ। ତାଙ୍କ ଅଭିଯୋଗ ମୁତାବକ, ତତ୍କାଳୀନ ଡିଆଇଜି ଶ୍ରୀ ରାୟଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା। କୌଣସି କାମରେ ଟିକେ ଭୁଲ୍ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ଼ ମାରୁଥିଲେ। ଚାକିରି ନେଇ ଯିବାର ଧମକ ବି ଦେଉଥିଲେ। ଅଗଷ୍ଟ ୪ତାରିଖରେ ଡିଆଇଜିଙ୍କର ପତ୍ନୀ ତାଙ୍କୁ ଗଳା ଧକ୍କା ଦେଇ ବିଦା ବି କରିଦେଇଥିଲେ। ଏ ଘଟଣାରେ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଜୀବନ ହାରିବା ପାଇଁ ଟ୍ରେନ୍ ଲାଇନ୍ରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ଟ୍ରେନ୍ ଲାଇନ୍ରେ ତାଙ୍କର ଦୁଇ ଗୋଡ଼ କଟିଯାଇଥିଲା। ଏ ଘଟଣାକୁ ନେଇ ବିଧାୟିକା କୁସୁମ ଟେଟେ ବିଭାଗୀୟ ମନ୍ତ୍ରୀଙ୍କୁ ବିଧାନସଭାରେ ପ୍ରଶ୍ନ କରିଥିଲେ। ନିର୍ଯାତିତ ମହିଳା ହୋମ୍ଗାର୍ଡଙ୍କୁ ସରକାର କି କ୍ଷତିପୂରଣ ଦେଇଛନ୍ତି? ରାଜ୍ୟରେ କେତେ ଜଣ ହୋମ୍ଗାର୍ଡ ବର୍ତ୍ତମାନ ସୁଦ୍ଧା ବରିଷ୍ଠ ପୁଲିସ ଅଧିକାରୀଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦର୍ଶାଇଛନ୍ତି, ଗୃହଲକ୍ଷ୍ମୀ କଲ୍ୟାଣ ପାଣ୍ଠିରୁ ସୈରିନ୍ଧ୍ରୀଙ୍କୁ ୩୦ହଜାର ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ କୌଣସି ପୁଲିସ ଅଧିକାରୀଙ୍କ ଘରୋଇ କାମରେ ହୋମ୍ଗାର୍ଡ ନିୟୋଜିତ ଥିବା କଥାକୁ ସରକାର ପୂରା ଅସ୍ବୀକାର କରିଛନ୍ତି।