ବନ୍ଦ କୋଠରିରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା: ଜାତୀୟ ମାନବାଧିକାର କମିଶନ୍‌ରେ ମାମଲା ରୁଜୁ

ପୀଡ଼ିତାଙ୍କୁ ୧୫ ଲକ୍ଷ କ୍ଷତିପୂରଣ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି

ବାଲେଶ୍ବର/ଜଳେଶ୍ବର: ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ବିବାହ କରିଥିବା ଜନୈକା ମହିଳାଙ୍କୁ ୭୯ ଦିନ ଧରି ଏକ ବନ୍ଦ କୋଠରିରେ ଦୁଷ୍କର୍ମ କରାଯିବା ମାମଲା ଜାତୀୟ ମାନବାଧିକାର କମିଶନ୍‌ଙ୍କ ପାଖରେ ପହଞ୍ଚିଛି। ପୀଡ଼ିତା ମହିଳାଙ୍କୁ ୩ ସପ୍ତାହ ମଧ୍ୟରେ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାଜ୍ୟ ମୁଖ୍ୟ ଶାସନସଚିବ ଓ ବାଲେଶ୍ବର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେବା ଲାଗି କେନ୍ଦୁଝର ଜିଲ୍ଲା ଶାଳଣିଆ ସୋଲପଟା ଅଞ୍ଚଳର ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ କମିଶନ୍‌ଙ୍କୁ ନିବେଦନ କରିଛନ୍ତି। ଶ୍ରୀ ନାୟକଙ୍କ ଅଭିଯୋଗ ଆଧାରରେ ଏନ୍‌ଏଚ୍‌ଆରସି କେସ୍ ନଂ ୭୧୭୨/୨୨ରେ ଏକ ମାମଲା ପଞ୍ଜିକୃତ ହୋଇଛି।

ପ୍ରକାଶଥାଉକି, ଜଳେଶ୍ବର ଅଞ୍ଚଳର ଏହି ମହିଳା ରାଇବଣିଆ ଅଞ୍ଚଳରେ ବିବାହ କରିଥିବା ବେଳେ ଶାଶୂଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ସ୍ବାମୀ ବାହାର ରାଜ୍ୟକୁ କାମ କରିବାକୁ ପଳାଇବା ପରେ ମହିଳାଙ୍କ ଶାଶୂ ଭୋଗରାଇ ଅଞ୍ଚଳର ଜଣେ ଭଣ୍ଡ ଓ କାମାନ୍ଧ ଗୁଣିଆ ପାଖକୁ ନେଇଯିବା ସହ ତା’ ସହ ଶାରୀରିକ ସମ୍ପର୍କ ରଖିଲେ ଘରକୁ ଶାନ୍ତି ଫେରିବ, ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ କହି ଗୁଣିଆ ନିକଟରେ ଛାଡ଼ି ଚାଲି ଆସିଥିଲେ। ଗୁଣିଆ ଜଣକ ମହିଳାଙ୍କୁ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ବଇଁଚଡିହା ଗାଁ’କୁ ନେଇଯାଇ ସେଠାରେ ଏକ ବନ୍ଦ କୋଠରି ଭିତରେ ୨ ମାସରୁ ଊର୍ଦ୍ଧ୍ବ ସମୟ ରଖି ବାରମ୍ବାର ଦୁଷ୍କର୍ମ କରିଥିଲା। ଗତ ସପ୍ତାହରେ ମହିଳାଜଣକ କୌଶଳକ୍ରମେ ତାଙ୍କ ବାପଘର ଲୋକଙ୍କୁ ଏ ବିଷୟରେ ଫୋନ୍‌ କରି ଜଣାଇଥିଲେ। ପରିବାର ଲୋକେ ମୋରଡ଼ା ପୁଲିସ ସହାୟତାରେ ଗତ ୨୮ ତାରିଖରେ ମହିଳା ଓ ତାଙ୍କ ପୁଅକୁ ସେହି କାଳକୋଠରିରୁ ଉଦ୍ଧାର କରିଥିବାବେଳେ ପୀଡ଼ିତା ଜଳେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ଗୁଣିଆ ସେକ ତରାଫ, ମହିଳାଙ୍କ ସ୍ବାମୀ, ଦିଅର ଓ ଶାଶୂ ଶ୍ବଶୁରଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଜଳେଶ୍ବର  ଥାନା ଆଇଆଇସି ରୋଜାଲିନ ବେହେରାଙ୍କ ନେତୃତ୍ବରେ ପୁଲିସ ଟିମ୍ ତନାଘନା ଚଳାଇଛି।

ସମ୍ବନ୍ଧିତ ଖବର