ରାୟଗଡ଼ା : ନିୟମଗିରିରେ ବସବାସ କରୁଥିବା ଡଙ୍ଗରିଆ ମହିଳା ଟିମି ପୁଷିକାଙ୍କ ଠାରୁ ଓପିଲିପି କର୍ମଚାରୀ ଲାଞ୍ଚ ନେବା ସଂପର୍କରେ ଆଜି ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ନିଜେ ବିଷମକଟକ ବିଡିଓଙ୍କ ସହ ବାଲାପାଇ ଗ୍ରାମରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚିବା ପୂର୍ବରୁ ଓପିଲିପି କର୍ମଚାରୀ ସହଦେବ ଆଜି ସକାଳୁ ଟିକି ପୁଷିକାଙ୍କ ଘରେ ପହଞ୍ଚି ୧୧ହଜାର ୫ଶହ ଟଙ୍କା ଫେରାଇ ଦେଇଥିବା ଜଣାପଡ଼ିଛି।
ଟିମିଙ୍କଠାରୁ ଯେଉଁ ଦୁଇଜଣ ଲାଞ୍ଚ ନେଇଥିଲେ ସେମାନଙ୍କ ସହ ଆଉ ଜଣେ ମହିଳା ଆଜି ସକାଳୁ ଟିକିଙ୍କ ଘରେ ପହଞ୍ଚି ଟଙ୍କା ଫେରାଇ ଦେଇଥିଲେ। ଏପରିକି ଟଙ୍କା ଫେରାଇ ଦେବା ପରେ ଘଟଣା ସଂପର୍କରେ କାହାରିକୁ ନକହିବାକୁ ନେହୁରା ହୋଇଥିବା ଟିକି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅପରପକ୍ଷେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ବିଷମକଟକ ବିଡିଓଙ୍କୁ ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଟିମି ପୁଷିକା ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ କରିବା ବାବଦକୁ ପାଇବାକୁ ଥିବା ୧୪ମାସର ଟଙ୍କା ପାଇବାର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି। ତଦନ୍ତ ବେଳେ ଓପିଲିପି କର୍ମଚାରୀ ସହଦେବ ଲାଞ୍ଚ ନେଇଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି।
ଅନ୍ୟପକ୍ଷରେ ପ୍ରଥମେ ଲାଞ୍ଚ ଟଙ୍କା ନେବା ପରେ ଘଟଣା ପ୍ରଘଟ ହେବା ପରେ ଟଙ୍କା ଫେରାଇବା ସୂଚାଇ ଦେଉଛି ଯେ ଡିକେଡିଏରେ କେତେ ଦୁର୍ନୀତି ହେଉଛି। ଡଙ୍ଗରିଆ ମହିଳାଙ୍କ ଏହି ସାହସକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି। ତେବେ ଯେଉଁ ବାବୁମାନେ ଲାଞ୍ଚ ନେଇଥିଲେ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପ୍ରଶ୍ନ କରାଯାଇଛି। ଏବେ ପ୍ରଶ୍ନ ଉଠୁଛି ଡିକେଡିଏ, ଚାଟିକଣା ଅଧୀନରେ ଆସୁଥିବା ବିଷମକଟକ ଓ ମୁନିଗୁଡ଼ା ବ୍ଲକର ୧୦୦ରୁ ଊର୍ଦ୍ଧ୍ବ ଗ୍ରାମରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ ବିକାଶ ପାଇଁ ଆସୁଥିବା ଅନୁଦାନ କେତେ ସୁରକ୍ଷିତ? ନିୟମଗିରି ପାହାଡ଼ରେ ଡିକେଡିଏ ମାଧ୍ୟମରେ ୧୧କୋଟି ୧୧ଲକ୍ଷ ଟଙ୍କା ଗତ ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଖର୍ଚ୍ଚ କରାଯାଇଛି। ଏହି ଅର୍ଥକୁ ସଠିକ ଭାବରେ ବିନିଯୋଗ କରିବା ପାଇଁ ଲୋକଙ୍କ ଟିକସରୁ ବେତନ ଦେଇ ସରକାର ଜଣେ ସ୍ୱତନ୍ତ୍ର ଅଧିକାରୀ, ପ୍ରକଳ୍ପ ପରିଚାଳକ ସମେତ ୧୨ଜଣ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। ଏହାର ସଫଳ ରୂପାୟନ ପାଇଁ ଆକସୁସ ବେସରକାରୀ ଅନୁଷ୍ଠାନର ସହାୟତା ନିଆଯାଇଛି। ତେବେ ବାଡ଼ ଯଦି ଫସଲ ଖାଇବ, ଗୁହାରି କରିବା କାହାକୁ? ଟିମି ପୁଷିକାଙ୍କ ଅଭିଯୋଗ ପରେ ଏହା ଏକ ବଡ଼ ପ୍ରଶ୍ନ ହୋଇଛି।
ସୂଚନା ଥାଉକି, ବିଷମକଟକ ବ୍ଲକ୍ ଚାଞ୍ଚଡାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲାପାଇ ଗାଁର ଟିମି ପୁଷିକା ନାମକ ଡଙ୍ଗରିଆ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଓପିଲିପି ପକ୍ଷରୁ ୨୭ ହଜାର ଟଙ୍କା ଦିଆଯାଇଥିଲା। ଟଙ୍କା ଆକାଉଣ୍ଟରେ ଜମା ହେବାର କିଛି ଦିନ ପରେ ଓପିଲିପି ଅଧିକାରୀ ତାଙ୍କ ଘରେ ପହଞ୍ଚି ବ୍ୟବସାୟ କରିବାକୁ ଡିଜିଟାଲ୍ ନିକିତି, ସାଇକଲ ଏବଂ ଦୁଇଟି ପ୍ଲାଷ୍ଟିକ୍ ଚୌକି ଦେଇ ସମୁଦାୟ ୧୪୨୦୦ ଟଙ୍କା ମାଗି ନେଇଥିଲେ। ଏହାପରେ ଲାଞ୍ଚ ବାବଦରେ ପୁଣି ୬୫୦୦ ଟଙ୍କା ତାଙ୍କୁ ମଗାଯାଇଥିଲା।