ସୋର: ରେଳଧାରଣାରେ ଖସିପଡ଼ିଲା ବ୍ୟାଟେରି ମୋଟର। ହଠାତ୍ ଅଟକିଗଲା ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍ ଟ୍ରେନ୍। ଟ୍ରେନ୍ ଅଟକିବା କ୍ଷଣି ଭୟଭୀତ ଯାତ୍ରୀମାନେ ତରତର ହୋଇ ଓହ୍ଲାଇପଡ଼ିଲେ। ଆଜି ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ସବିରା ରେଳଷ୍ଟେସନ୍ ନିକଟରେ। ସୂଚନା ଅନୁସାରେ; ୨୨୬୧୨ ନମ୍ବରର ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍ ଟ୍ରେନ୍ଟି ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ିରୁ ଚେନ୍ନାଇ ସେଣ୍ଟ୍ରାଲ୍ ଅଭିମୁଖେ ଅପ୍ଲାଇନ୍ରେ ଯାତ୍ରା କରୁଥିଲା। ଆଜି ଅପରାହ୍ଣ ପ୍ରାୟ ୩ଟା ୩ ମିନିଟ୍ ହେବ, ସବିରା ରେଳଷ୍ଟେସନ୍ ନିକଟ ବେଲସବିରାଠାରେ ବ୍ୟାଟେରିର ମୋଟର ଓ କିଛି ଯନ୍ତ୍ରାଂଶ ଟ୍ରେନ୍ରୁ ଖସିପଡ଼ିଥିଲା। ଫଳରେ ଟ୍ରେନ୍ଟି ସେହିଠାରେ ହିଁ ଅଟକି ଯାଇଥିଲା।
ଯାତ୍ରୀମାନେ କିଛି ବୁଝି ନପାରି ଭୟଭୀତ ହୋଇ ଟ୍ରେନ୍ରୁ ଓହ୍ଲାଇ ଦୌଡ଼ିଥିଲେ। ଖବରପାଇ ରେଳ ବିଭାଗ ଅଧିକାରୀ, କର୍ମଚାରୀ ଓ ଇଂଜିନିୟରମାନେ ପହଞ୍ଚି ମରାମତି ଉଦ୍ୟମ କରିଥିଲେ। ହେଲେ ତାହା ସମ୍ଭବ ହୋଇ ନଥିଲା। ଫଳରେ ଭଦ୍ରକରୁ ଅନ୍ୟ ଏକ ଇଞ୍ଜିନ୍ ଅଣାଯିବା ପରେ ସନ୍ଧ୍ୟା ପ୍ରାୟ ୬ଟା ୨୬ ମିନିଟ୍ରେ ଟ୍ରେନ୍ଟି ଗନ୍ତବ୍ୟସ୍ଥଳକୁ ପୁଣି ଯାତ୍ରା ଆରମ୍ଭ କରିଥିଲା। ତେବେ, ଏହି ଅଘଟଣ ଯୋଗୁ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନାହିଁ। ଟ୍ରେନ୍ର ବ୍ୟାଟେରି ଓ ମୋଟର ଘଟଣାସ୍ଥଳର ୨୦୦ ମିଟର ପୂର୍ବରୁ ଝୁଲି ରହିଥିବା କାରଣରୁ ରେଳଲାଇନ୍ର ୧୦୦ରୁ ଅଧିକ କଂକ୍ରିଟ୍ ସ୍ଲିପର୍ ଭାଙ୍ଗିଯାଇଛି। ସେହିପରି ପ୍ରାୟ ସାଢ଼େ ୩ ଘଣ୍ଟା ଧରି ଅପ୍ ଲାଇନ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/23/ugDXiJzva9gPfeQt10yR.jpg)