ଭୁବନେଶ୍ବର: ଆଜି ସୁବର୍ଣ୍ଣପୁରଜିଲ୍ଲା ତରଭା ଥାନା ଅଞ୍ଚଳରେ କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ଏକ ଗଞ୍ଜେଇ ରୢାକେଟ୍କୁ ପିଛା କଲା ବେଳେ ଘଟିଛି ଅଘଟଣ। ପୁଲିସ କବଳରୁ ଖସି ପଳାଇବାକୁ ଉଦ୍ୟମ କରି ଜଣେ ମାଫିଆ ବ୍ରିଜ୍ରୁ ଡେଇଁ ପଡ଼ିବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଛି। ମୃତକ ହେଲେ ଛତିଶଗଡ଼ର ଶୁଭମ୍ ଯାଦବ। ସେହିଭଳି ଅନ୍ୟ ଜଣେ ମାଫିଆ ଆକାଶ କୁସୁଆ ଗୁରୁତର ହୋଇଛି। ଏସ୍ଟିଏଫ୍ ସ୍କ୍ବାଡ୍ ତାକୁ ବୁର୍ଲା ମେଡିକାଲ୍ରେ ଭର୍ତ୍ତି କରିଛି। କାର୍ରୁ ୩ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି।
କାର୍ରୁ ୩ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ
ଏସ୍ଟିଏଫ୍ର ଦୁଇ ଅଧିକାରୀ ଆହତ
କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ପକ୍ଷରୁ ମିଳିଥିବା ସୂଚନାନୁସାରେ ଛତିଶଗଡ଼ର ଏହି ଦୁଇ ନିଶା ମାଫିଆ କାର୍ ଯୋଗେ ଓଡ଼ିଶାର ବୌଦ୍ଧରୁ ଗଞ୍ଜେଇ ଚାଲାଣ କରୁଥିବା ଖବର ମିଳିଥିଲା। ସେମାନେ ଏକ ଓଡ଼ିଶା ନମ୍ବର ଥିବା କ୍ରେଟା କାର୍ରେ ଯାଉଥିବା ନେଇ ଖବର ମିଳିଥିଲା। ତେଣୁ ମଙ୍ଗଳବାର ଭୋର୍ ସମୟରେ ପୁଲିସ ସ୍କ୍ବାଡ୍ ୫୭ ନମ୍ବର ଜାତୀୟ ରାଜପଥରେ ତରଭା ଥାନା ନିକଟ ସୁକତେଲ ନଦୀ ବ୍ରିଜ୍ ନିକଟରେ ଛକି ରହିଥିଲା। ପୁଲିସ ଟିମ୍ ସାଦାପୋଷାକରେ ଥିବାରୁ ମାଫିଆଦ୍ବୟ ଜାଣିପାରି ନଥିଲେ। ସେମାନେ କାର୍ ନେଇ ବ୍ରିଜ୍ ଉପରକୁ ଉଠିବା ମାତ୍ରେ ଏସ୍ଟିଏଫ୍ ସେମାନଙ୍କୁ ଅଟକିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଦୁଇ ମାଫିଆ ପୁଲିସକୁ ଦେଖି ହଡ଼ବେଡ଼େଇ ଯାଇଥିଲେ ଏବଂ କିଛି ଦୂରରେ କାର୍ ଅଟକାଇଥିଲେ।
ପୁଲିସ ସେମାନଙ୍କୁ କାବୁ କରିବାକୁ ଉଦ୍ୟମ କଲା ବେଳେ ଧସ୍ତାଧସ୍ତି ହୋଇଥିଲା। ମାଫିଆଦ୍ବୟ ପ୍ରଥମେ ପୁଲିସକୁ ଆକ୍ରମଣ କରିଥିଲେ ଏବଂ ସେମାନଙ୍କୁ ଧରିଥିବା ଦୁଇ ଅଧିକାରୀ ସାମାନ୍ୟ ଆହତ ହୋଇଥିଲେ। ଏହି ମଉକାରେ ଦୁଇ ମାଫିଆ ବ୍ରିଜ୍ ତଳକୁ ଡେଇଁ ପଡ଼ିଥିଲେ। କିନ୍ତୁ ବ୍ରିଜ୍ ତଳେ କମ୍ ପାଣି ଥିବାରୁ ସେମାନେ ପଥରରେ କଚାଡ଼ି ହୋଇ ପଡ଼ିଥିଲେ। ଫଳରେ ସେମାନଙ୍କ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଗୁରୁତର ଅବସ୍ଥାରେ ପୁଲିସ ସେମାନଙ୍କୁ ଭୀମ ଭୋଇ ମେଡିକାଲ୍କୁ କଲେଜକୁ ନେଇଥିଲା। କିନ୍ତୁ ଶୁଭମ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।