ସମ୍ବଲପୁର : ୨୦୨୦ ମସିହା ମେ’ ମାସରେ ନୂଆପଡ଼ା ଜିଲ୍ଲାର ଜଣେ ମେରୁଦଣ୍ଡ ଯକ୍ଷ୍ମାରୋଗୀ ବୁର୍ଲା ବଡ଼ ଡାକ୍ତରଖାନାରୁ ଡିସ୍ଚାର୍ଜ ହେବା ପରେ ତାଙ୍କୁ, ତାଙ୍କ ପତ୍ନୀ ଓ ୫ ବର୍ଷର ଶିଶୁପୁତ୍ରଙ୍କୁ ବୁର୍ଲାର ଜଣେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭର୍ ୨୫୦ କିଲୋମିଟର୍ ଦୂର ତାଙ୍କ ଗାଁ’କୁ ନେବା ପରେ ଭଡ଼ା ବାବଦ କିଛି ଟଙ୍କା ଦେଇ ନ ପାରିବାରୁ ପୁଣି ବୁର୍ଲା ଫେରାଇ ଆଣିବା ଓ ସେମାନଙ୍କୁ ରାତି ସାରା ଆମ୍ବୁଲାନ୍ସ ଭିତରେ ତାଲା ପକାଇ ବନ୍ଧକ କରି ରଖିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଘଟଣାରେ ଥାନାରେ ଏତଲା ହେବା ସହ ଜଣେ ମାନବାଧିକାର କର୍ମୀ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାର ବିଚାର କରି ଜାତୀୟ ମାନବାଧିକାର କମିସନ୍ ଘୋର ଉଦ୍ବେଗ ପ୍ରକାଶ କରିବା ସହ ଏହି ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର୍ ପ୍ରଦୀପ ପଟ୍ଟନାୟକ, ଆମ୍ବୁଲାନ୍ସ ମାଲିକ ଛୋଟେଲାଲ ଗୁପ୍ତା ଏବଂ ଭିମସାର୍ ଜାତୀୟ ଯକ୍ଷ୍ମା ନିରାକରଣ ପ୍ରକଳ୍ପ (ଏନ୍ଟିଇପି)ର ଚିକିତ୍ସା ଅଧିକାରୀ ଡାକ୍ତର ଜୟଚନ୍ଦ୍ର ତାଣ୍ଡିଙ୍କୁ ଭର୍ସନା କରିଛନ୍ତି।
ଏହି ମାମଲାରେ ପୀଡ଼ିତ ଦାଗ୍ରେଶ୍ବର ମାଝୀଙ୍କ ମାନବାଧିକାର ହନନ ହୋଇଥିବାରୁ ତାଙ୍କୁ କାହିଁକି ଉପଯୁକ୍ତ ପରିମାଣର କ୍ଷତିପୂରଣ ଦିଆ ନଯିବ ତାହା ଉପରେ ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି। ସେହିପରି ଏହି ଘଟଣାରେ ଦୋଷୀ ସରକାରୀ କର୍ମଚାରୀଙ୍କ ବିରୋଧରେ କଣ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଜଣାଇବାକୁ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବଙ୍କୁ ମଧ୍ୟ ନୋଟିସ୍ କରିଛନ୍ତି। ଅପରପକ୍ଷରେ ଏହି ଘଟଣାରେ ମାନବିକତାର ପରିଚୟ ଦେଇ ବନ୍ଧକ ରଖା ଯାଇଥିବା ପରିବାରକୁ ଆର୍ଥିକ ଓ ମାନସିକ ସହାୟତା କରିଥିବା ଭିମ୍ସାର୍ର ଅନ୍ୟତମ ଡାକ୍ତର ଶଂକର ରାମଚନ୍ଦାନୀଙ୍କର କମିସନ୍ ଉଚ୍ଚ ପ୍ରଶଂସା କରିଛନ୍ତି। ଗୋଟିଏ ପଟେ ମାନବାଧିକାରର ହତ୍ୟା ହୋଇଥିଲାବେଳେ ଅନ୍ୟ ପଟେ ଡା. ରାମଚନ୍ଦାନୀ ମାନବୀୟ ଗୁଣର ଉତ୍କୃଷ୍ଟ ଉଦାହରଣ ପ୍ରସ୍ତୁତ କରିଥିବା ଆୟୋଗ ରାୟରେ ଉଲ୍ଲେଖ କରିଛନ୍ତି।
ମାନବାଧିକାର କମିସନ୍ଙ୍କ ନୋଟିସ୍ ପାଇବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭିମସାର୍ ନିର୍ଦ୍ଦେଶକଙ୍କୁ ଜରୁରୀ ଚିଠି ଲେଖାଯାଇ ଅଧୀକ୍ଷକଙ୍କ ଜରିଆରେ ଘଟଣାର ତଦନ୍ତ କରାଇବା ଓ ଯଥାଶୀଘ୍ର ସମ୍ଭବ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ପତ୍ର ଲେଖା ଯାଇଛି। ଏହାପରେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଯକ୍ଷ୍ମା ଓ ଛାତିରୋଗ ବିଭାଗ ମୁଖ୍ୟ ପ୍ର. ପ୍ରଭାତୀ ଦତ୍ତଙ୍କ ଉପରେ ତଦନ୍ତ ଦାୟିତ୍ବ ନ୍ୟସ୍ତ କରା ଯାଇଥିବା ଭିମସାର୍ ଅଧୀକ୍ଷକ ପ୍ର. ଲାଲ୍ମୋହନ୍ ନାୟକ କହିଛନ୍ତି।
ନୂଆପଡ଼ାର ରଂଜିତ ସୂତାର ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗର ବିଚାର କରି ଜାତୀୟ ମାନବାଧିକାର ଆୟୋଗ ନିଜ ରାୟରେ ଉଲ୍ଲେଖ କରିଛନ୍ତି ଯେ ଲକ୍ଡାଉନ୍ ସମୟରେ ଉପଯୁକ୍ତ ଡାକ୍ତରୀ ସୁବିଧାର ଅଭାବ ତଥା ଆମ୍ବୁଲାନ୍ସ ଅପରେଟର୍ଙ୍କ ଦ୍ବାରା ରୋଗୀଙ୍କୁ ଅତ୍ୟାଚାର ଘଟଣା ଉପରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନୂଆପଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଏହା ଏକ ଗୁରୁତର ମାନବାଧିକାର ହନନର ଘଟଣା ହୋଇଥିବାରୁ ଆୟୋଗ ମାମଲାକୁ ଅତ୍ୟନ୍ତ ଗୁରତ୍ବର ସହ ନେଇଥିଲେ। କିନ୍ତୁ ସମୟରେ ନୂଆପଡ଼ା ଜିଲ୍ଲାପାଳ ରିପୋର୍ଟ ପ୍ରଦାନ ନ କରିବାରୁ ତାଙ୍କୁ ରିପୋର୍ଟ ସହ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମନ କରା ଯାଇଥିଲା। ଅବଶ୍ୟ ସମୟ ପୂର୍ବରୁ ରିପୋର୍ଟ ପ୍ରଦାନ କଲେ ବ୍ୟକ୍ତିଗତ ହାଜିରାରୁ ରିହାତି ଦିଆ ଯାଇଥିଲା। ଜିଲ୍ଲାପାଳ ଏଡିଏମ୍ଓ ପରିବାର କଲ୍ୟାଣଙ୍କ ଦ୍ବାରା ତଦନ୍ତ କରାଇ ରିପୋର୍ଟ ପ୍ରଦାନ କରିଥିଲେ। ସେଥିରେ ମେ’ ୨ ତାରିଖ ସଂଧ୍ୟାରୁ ୩ ତାରିଖ ସକାଳ ଯାଏ ରୋଗୀ ଓ ତାଙ୍କ ପରିବାରକୁ ଆମ୍ବୁଲାନ୍ସ ଚାଳକ ପ୍ରଦୀପ ନିଜ ମାଲିକ ଛୋଟେଲାଲ ନିର୍ଦ୍ଦେଶରେ ବନ୍ଧକ ରଖିଥିବା ଜଣା ପଡ଼ିଥିଲା। ସକାଳୁ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ଡା. ରାମଚନ୍ଦାନୀ ସୂଚନା ପାଇ ସେମାନଙ୍କ ପାଇଁ ଖାଦ୍ୟ ଓ ଆଶ୍ରୟର ବ୍ୟବସ୍ଥା କରିଥିଲେ। ସେମାନଙ୍କୁ ନେଇ ବୁର୍ଲା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦାଏର କରାଇଥିଲେ। ଏହାପରେ ନିଜ ଖର୍ଚ୍ଚରେ ଆଉ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରି ପୀଡ଼ିତ ପରିବାରଙ୍କୁ ନିରାପଦରେ ଘରକୁ ପଠାଇଥିଲେ। ଡା. ରାମଚନ୍ଦାନୀଙ୍କ ମାନବୀୟ କାର୍ଯ୍ୟ ଉଚ୍ଚ ପ୍ରଶଂସନୀୟ ବୋଲି ରାୟରେ ଉଲ୍ଲେଖ ରହିଛି।
ଅପରପକ୍ଷରେ ଭିମସାର୍ ଜାତୀୟ ଯକ୍ଷ୍ମା ନିରାକରଣ ପ୍ରକଳ୍ପ (ଏନ୍ଟିଇପି)ର ଚିକିତ୍ସା ଅଧିକାରୀ ଡା. ତାଣ୍ଡି ରୋଗୀଙ୍କ ଡିସ୍ଚାର୍ଜ ସଂପର୍କରେ ନୂଆପଡ଼ା ଜିଲ୍ଲା ଏନ୍ଟିଇପି ଚିକିତ୍ସାଧିକାରୀଙ୍କୁ ହ୍ବାଟ୍ସଆପ୍ ବା ଟେଲିଫୋନ୍ ଜରିଆରେ ବି ଜଣାଇ ନଥିଲେ। ତାଙ୍କୁ ପାଇଁ ସରକାରୀ ଆମ୍ବୁଲାନ୍ସ ବା ୧୦୮ ମାଗଣା ସେବାର ବ୍ୟବସ୍ଥା କରି ନଥିଲେ। ଫଳରେ ରୋଗୀ ଘରୋଇ ଆମ୍ବୁଲାନ୍ସରେ ବାଧ୍ୟ ହୋଇ ଯାଇ ନିର୍ଯାତନାର ଶିକାର ହୋଇଥିଲେ ବୋଲି ଆୟୋଗ ଉଲ୍ଲେଖ କରିଛନ୍ତି। ଜଣେ ସରକାରୀ କର୍ମଚାରୀ ଭାବେ ଡା. ତାଣ୍ଡି ମାନବାଧିକାର ଆଇନ୍ ୧୯୯୩ର ଧାରା ୧୮ ଅନୁଯାୟୀ ପୀଡ଼ିତ ରୋଗୀର ମାନବାଧିକାର ହନନ କରିଛନ୍ତି ବୋଲି ରାୟରେ ଉଲ୍ଲେଖ ରହିଛି।