ଭୁବନେଶ୍ବର : ମହାବାତ୍ୟା ପରେ ବେଆଇନ୍‌ ଗୃହ ଋଣ ମଞ୍ଜୁର ଘଟଣାର ରାୟ ପ୍ରକାଶ ପାଇଛି। ମାମଲାର ଶୁଣାଣି କରି ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ସତ୍ୟନାରାୟଣ ଷଡ଼ଙ୍ଗୀ ଓଆର୍‌ଏଚ୍‌ଡିସିର ପୂର୍ବତନ ନିର୍ଦେଶକ ତଥା ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିନୋଦ କୁମାର, ସହପ୍ରବନ୍ଧକ ଏ ଆନନ୍ଦ ରାଓ ଏବଂ ଏସ୍‌ଏଫ୍‌ଏଲ୍‌ସିସିର ପରିଚାଳନା ନିର୍ଦେଶକ ରାଧା ରଂଜନ ପଟ୍ଟନାୟକ ୩ ଅଭିଯୁକ୍ତଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୬ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି।

Advertisment

ସୂଚନା ମୁତାବକ, ଗତ ୨୦୦୦ ମସିହାରେ ମହାବାତ୍ୟାରେ ପ୍ରଭାବିତ ସରକାରୀ ଏବଂ ପିଏସ୍‌ୟୁ କର୍ମଚାରୀଙ୍କୁ ରାଜ୍ୟ ସରକାର ଗୃହ ଋଣ ପ୍ରଦାନ କରିଥିଲେ। ହେଲେ ଏହି ସମୟରେ ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ(ଓଆର୍‌ଏଚ୍‌ଡିସି) ଥିବା ବିନୋଦ କୁମାର, ଆନନ୍ଦ ରାଓ, ଅଶୋକ ମହାନ୍ତି ଏବଂ ରାଧା ରଂଜନ ପଟ୍ଟନାୟକ ଚଞ୍ଚକତା କରି ୨୦ ବେସରକାରୀ ଲୋକଙ୍କୁ ବେଆଇନ୍‌ ଗୃହ ଋଣ ମଞ୍ଜୁର କରିଥିଲେ। ଏଥିପାଇଁ ଶ୍ରୀ କୁମାରଙ୍କ ବିରୋଧରେ ଓଡିଶା ସରକାର ୨୭ଟି ଭିଜିଲାନ୍‌ସ କେସ୍‌ ଦାୟର କରିଥିଲେ। ସେହିପରି ଜାଲିଆତିରେ ସମ୍ପୃକ୍ତ ଥିବା ଅଶୋକ ମହାପାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆନନ୍ଦ ରାଓ ଓ ରଂଜନ ପଟ୍ଟନାୟଙ୍କ ମାମଲା ବିଚାରାଧୀନ ଥିଲା। ମାମଲାରେ ୨୦ଜଣ ସାକ୍ଷୀ ଏବଂ ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଏହି ରାୟ ଶୁଣାଇଛନ୍ତି। ସରକାରୀ ଓକିଲ ହେମନ୍ତ କୁମାର ସ୍ବାଇଁ ମାମଲାର ପରିଚାଳନା କରୁଥିଲେ ।