ପଦ୍ମଫୁଲ ଦେଇଛି ରୋଜଗାର, ପତ୍ର ବି ବିକ୍ରି ହେଉଛି, ମାସକୁ ଆୟ ୨୫ ହଜାର

ସୋର (ଅଭୟ ପତ୍ରୀ): ଫୁଲ ପ୍ରେମର ପ୍ରତୀକ। ପୌରାଣିକ ଦୃଷ୍ଟିକୋଣରୁ ଫୁଲର ଯେତିକି ମାହାତ୍ମ୍ୟ ରହିଛି, ଆବେଗ ଦୃଷ୍ଟିରୁ ଜନମାନସରେ ସେତିକି ଆବିଳତା ଓ ଭଲପାଇବା ଅଛି। ଫୁଲ ସବୁବେଳେ ଆକର୍ଷଣର କେନ୍ଦ୍ର ପାଲଟେ। ଲକ୍ଷ୍ମୀଙ୍କ ପ୍ରିୟ ପଦ୍ମଫୁଲର ତ ବିଶେଷ ଆକର୍ଷଣ ରହିଛି। ତେଣୁ ଅନେକ ଲୋକ ପଦ୍ମଫୁଲ ଚାଷ କରି ବେଶ୍‌ ଭଲ ରୋଜଗାର କରୁଛନ୍ତି। ବାଲେଶ୍ବରରେ ସେମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ପଦ୍ମଫୁଲ ଚାଷ କରି ଲାଭବାନ ହୋଇପାରିଛନ୍ତି।

ସୋର ପୌରପାଳିକା ଅନ୍ତର୍ଗତ ବଡ଼ଖୁରୀ ଗ୍ରାମର ସ୍ବର୍ଗତ ମୁରଲୀ ବଙ୍ଗାଳଙ୍କ ସାନପୁଅ ଗୌତମ ବଙ୍ଗାଳ। ଗରିବ ଘରର ଗୌତମ ଚାଷ କରି ପରିବାରର ଗୁଜୁରାଣ ମେଣ୍ଟାନ୍ତି। ସେ ଗ୍ରାମ ନିକଟ ମାଛଚାଷ ହେଉଥିବା ବଡ଼ଖୁରୀ ପୋଖରୀରେ ପଦ୍ମଫୁଲ ଫୁଟୁଥିବା ଏବଂ ତାକୁ ଲୋକେ ସରାଗରେ ତୋଳି ନେଉଥିବା ଦେଖୁଥିଲେ। ‌‌ଏଇଭିତରେ ପଦ୍ମଫୁଲ ପ୍ରେମରେ ଗୌତମ ପଡ଼ିଯାଇଥିଲେ। ୬ ମାସ ତଳେ ଶୁଣିଲେ ବଡ଼ଖୁରୀ ପୋଖରୀକୁ ନିଲାମ ଦିଆଯିବ। କିଛି ନଭାବି ସେ ଉକ୍ତ ପୋଖରୀକୁ ୧୦ ହଜାର ଟଙ୍କାରେ ଲିଜ୍‌ ନେଇଗଲେ। ସେଠାରେ ଗୌତମ ମାଛଚାଷ ନକରି ପଦ୍ମଫୁଲ ଚାଷ କରିବା ପାଇଁ ମନସ୍ଥ କଲେ। ଏଥିପାଇଁ ପୋଖରୀରକୁ ପଦ୍ମଫୁଲ ଚାଷ ଉପଯୋଗୀ କରିବା ସହ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କଲେ। ଧୀରେ ଧୀରେ ପୋଖରୀରେ ପଦ୍ମଦଳ ବଢ଼ିବା ସହ ଅଧିକରୁ ଅଧିକ ଫୁଲ ଫୁଟିବା ଆରମ୍ଭ ହେଲା ଆଉ ଗୌତମ ଫୁଲ ସହ ପତ୍ର ବିକ୍ରି କରି ଭଲ ରୋଜଗାର କଲେ। ଗୌତମ ପଦ୍ମଫୁଲ ଓ ପତ୍ରକୁ ନିଜ ଗାଁ, ସ୍ଥାନୀୟ ବଜାର ତଥା ଅନ୍ୟ ଅଞ୍ଚଳର ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି। ପଦ୍ମଫୁଲ ଗୋଟାକୁ ୧୦ ଟଙ୍କା ଏବଂ ପାତ୍ର ଗୋଟାକୁ ୧ ଟଙ୍କା ଦରରେ ବିକ୍ରି ହେଉଛି। ବିଶେଷ କରି ଗୌତମଙ୍କଠାରୁ ଫୁଲ ବ୍ୟବସାୟୀମାନେ ପଦ୍ମଫୁଲ ଓ ପତ୍ର ପ୍ରତିଦିନ କିଣି ନେଉଥିବା ଜଣାପଡ଼ିଛି। ଫୁଲ ପୂଜାରେ ଲାଗୁଥିବା ବେଳେ ପତ୍ର ଖାଦ୍ୟ ଖାଇବା‌ ପାଇଁ ବ୍ୟବହାର ହେଉଛି। ଏଠାରେ ଉଲ୍ଲେଖ ଥାଉକି ବାହାର ବଜାରରେ ପଦ୍ମଫୁଲ ଦର ଗୋଟାକୁ ୨୫ରୁ ୩୦ ଟଙ୍କା ଏବଂ ପତ୍ର ଦର ଗୋଟାକୁ ୫ ଟଙ୍କା ରହିଛି। ଗୌତମ ଫୁଲ ବିକ୍ରି କରି ଦିନକୁ ପ୍ରାୟ ୮ ଶହ ଟଙ୍କା ରୋଜଗାର କରୁଛନ୍ତି। ହିସାବ କଲେ ମାସକୁ ତାଙ୍କ ରୋଜଗାର ହେଉଛି ୨୦ରୁ ୨୫ ହଜାର ଟଙ୍କା। ‌

ଏପରି ସମୟରେ ଗୌତମଙ୍କ ଆର୍ଥିକ ସମସ୍ୟା କିଛିମାତ୍ରାରେ ଦୂର ହୋଇପାରିଛି। ଆଗକୁ ମାର୍ଗଶୀର ମାସ ଅଛି। ଏହି ମାସରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯାଏ। ପଦ୍ମଫୁଲ ମା’ଙ୍କ ପ୍ରିୟ ଫୁଲ ହୋଇଥିବାରୁ ଅଧିକ ବିକ୍ରି ହେବ ଏବଂ ଭଲ ରୋଜଗାର ହେବ ବୋଲି ଗୌତମ ଆଶା କରିଛନ୍ତି। ତାଙ୍କ ପରିବାର ଏବେ ଆପାତତଃ ଭଲରେ ଚଳୁଛନ୍ତି।

ଏ ନେଇ ଗୌତମଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ପଦ୍ମଫୁଲ ଚାଷ କରି ବେଶ୍‌ ଖୁସି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏହା ସହିତ ଗାଁ ଗହଳିରେ ଥିବା ପୋଖରୀଗୁଡ଼ିକରେ ପଦ୍ମଫୁଲ ଚାଷ କରିବା ପାଇଁ ସରକାର ସ୍ଥାନୀୟ ବେକାର ଯୁବକ ଓ ଯୁବତୀମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ ବୋଲି ସେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର