ମୁଣ୍ଡବ୍ୟଥା ବଢ଼ିଲା: ଆୟର ଧାରା ଶୁଖିଲା, ବିକାଶ ଠପ୍ ଆଶଙ୍କା

ଜୀବନ ବଡ଼ ନା ଜୀବିକା, ଦ୍ବନ୍ଦ୍ବରେ ସରକାର, ସବୁ ବଡ଼ ଖର୍ଚ୍ଚ ଉପରେ ଅର୍ଥ ବିଭାଗର ଆଖି

ଭୁବନେଶ୍ବର: ଲକ୍ ଡାଉନ୍ ତୃତୀୟ ପର୍ଯ୍ୟାୟରେ ମଦ ଦୋକାନ ଖୋଲିବ? ଏହାକୁ ନେଇ ରାଜନୈତିକ ମହଲରେ ତମ୍ବିତୋଫାନ ଆରମ୍ଭ ହୋଇଗଲାଣି। କାହିଁକି ଓ କେଉଁ ପରିସ୍ଥିତିରେ ମଦ ଦୋକାନ ଖୋଲିବା ଲାଗି ସରକାର ଅନୁମତି ଦେବାକୁ ଚାହୁଁଛନ୍ତି ସେ ନେଇ ଏଯାଏ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ତେବେ ଏକଥା କଣ ବିଶ୍ବାସ କରାଯିବ କି ମଦ ଦୋକାନ ଖୋଲିବା ପଛରେ ସରକାରଙ୍କ ରାଜସ୍ବ ଚିନ୍ତା ରହିଛି? ଏଭଳି ଏକ ପ୍ରଶ୍ନ ଏବେ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରିବା ଆରମ୍ଭ କଲାଣି।

ଏଇଥିପାଇଁ ଯେ ୨୦୨୦-୨୧ ଆର୍ଥିକବର୍ଷ ଓଡ଼ିଶା ପାଇଁ ଗୁରୁତର ସଙ୍କଟ ମାଡି ଆସିଲାଣି। ଜିଏସଟି, ଏଫଆରବିଏମ୍ ଆକ୍ଟ (ଆର୍ଥିକ ଉତ୍ତରଦାୟୀ ଓ ବଜେଟ୍ ପରିଚାଳନା ଆଇନ) କାର୍ଯ୍ୟାନ୍ବୟନ ଏବଂ କେନ୍ଦ୍ରୀୟ-ରାଜ୍ୟ ଅଂଶରେ ଯେଉଁ ବଡ଼ ଧରଣର ପରିବର୍ତନ ହୋଇଛି ତ‌ାହା ରାଜ୍ୟ ସରକାରଙ୍କର ରାଜସ୍ବ ଆୟର ଉତ୍ସକୁ ବିଗାଡ଼ି ଦେଇଛି। ସରକାର ଯଥେଷ୍ଟ ପୂ୍ର୍ବରୁ ସତର୍କ ହୋଇ ନିଜସ୍ବ ରୋଜଗାର ବାଟ େଖାଲିନଥିବା କାରଣରୁ ଏବେ ସଙ୍କଟ ଭିତରକୁ ଠେଲି ହୋଇଗଲେଣି। ଏବେ ପୌରସଂସ୍ଥାର ସ୍ଥିତି ଯେମିତି ରହିଛି, ପାଖାପାଖି ସେମିତି ସ୍ଥିତିରେ ରାଜ୍ୟମାନେ ବି ଫସିଛନ୍ତି। ଅର୍ଥନୀତିଜ୍ଞମାନଙ୍କର ମତରେ, କେନ୍ଦ୍ର ସରକାର ଜିଏସଟି ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାରଙ୍କର ରାଜସ୍ବ ପାଇଁ ବିିଭିନ୍ନ ସୂତ୍ର ପ୍ରାୟ ଶୁଖିଯାଇଛି। ବିଭିନ୍ନ କ୍ଷେତ୍ରରେ ଟିକସ ବଢାଇ ରାଜସ୍ବ ଆଦାୟ ରାସ୍ତାଟି ଅଧାରୁ ଅଧିକ କ୍ଷେତ୍ରରେ ଏବେ ପୂରା ବନ୍ଦ। ଦ୍ବିତୀୟତଃ, ପୂର୍ବରୁ ଏକାଧିକ ଯୋଜନାରେ କେନ୍ଦ୍ରୀୟ ଅଂଶଧନ ଥିଲା ୯୦ ବା ୮୦ ପ୍ରତିଶତ। ଏବେ ପ୍ରାୟ ସବୁ ଯୋଜନାରେ କେନ୍ଦ୍ରୀୟ ଅଂଶ ୬୦ ପ୍ରତିଶତ, ରାଜ୍ୟ ଅଂଶ ୪୦ ପ୍ରତିଶତ। ଏଣୁ ରାଜ୍ୟ ଅର୍ଥନୀତି ଉପରେ ଅଧିକ ଚାପ ସୃଷ୍ଟି କଲାଣି।। ପୁଣି ଏଫଆରବିଏମ୍ ଆଇନ ଉଲ୍ଲଂଘନ କଲେ କେନ୍ଦ୍ରୀୟ ଅଂଶ ମିଳିବନି। ଏ କ୍ଷେତ୍ରରେ କଟକଣା ଫଳରେ ସରକାର ଖୋଲାବଜାରରୁ ମନଇଚ୍ଛା ଟଙ୍କା ଆଣି ଖର୍ଚ୍ଚ କରିବାର ସୁଯୋଗ ମଧ୍ୟ ନାହିଁ।

ଏଭଳି ସ୍ଥିତିରେ ଦରମା, ପେନସନ୍ ଓ ଋଣ ବାବଦ ସୁଧ ଅର୍ଥ ଦେବା ପରେ ବିକାଶମୂଳକ କାର୍ଯ୍ୟ କଥା ଦୂରେ ଥାଉ ନିୟମିତ ଖର୍ଚ୍ଚ ଉଠାଇବା ସରକାରଙ୍କ ପାଇଁ କାଠିକର ପାଠ ହେଲାଣି। କିଛି ଦିନ ତଳେ ଦେଢଲକ୍ଷ କୋଟିର ବିଶାଳ ବଜେଟ୍ ପ୍ରସ୍ତୁତ କରି ରାଜ୍ୟ ସରକାର ଚମକାଇଥିଲେ। ଏବେ ମାସ ତିନିଟାରେ ରାଜସ୍ବ ଆୟର ଧାରା ଶୁଖିଗଲାଣି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସବୁ ବଡ଼ ଖର୍ଚ୍ଚ ଉପରେ ଏବେ ଅର୍ଥ ବିଭାଗ ଆଖି ରଖିଛି। ଆର୍ଥିକ ବର୍ଷର ପ୍ରଥମ ମାସରେ ସରକାର କୌଣସି ଗୋଟିଏ ବି କାର୍ଯ୍ୟ ଆରମ୍ଭ କରିବାକୁ ଚାହିଁନାହାନ୍ତି ବା ଏବେ ନିକଟରେ ଏହି ସୁଯୋଗ ବି ନାହିଁ। ବିକାଶମୂଳକ କାର୍ଯ୍ୟ କରିବା ଲାଗି ସମ୍ବଳ ନାହିଁ, ଯଦିଓ କେନ୍ଦ୍ର ସରକାର ପ୍ରଥମ ତିନିମାସର କିସ୍ତି ଦେଇସାରିଛନ୍ତି। ଜାତୀୟସ୍ତରରେ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି ଯେ ବଜାରରେ ସ୍ଥିତି ସୁଧୁରିବାକୁ ଏକ ବର୍ଷ ପାଖାପାଖି ଲାଗିପାରେ। ସିଆଇଆଇ ପକ୍ଷରୁ ପ୍ରମୁଖ କଂପାନିକୁ ନେଇ ହୋଇଥିବା ସର୍ଭେରେ ଉତ୍କଟ ଚିତ୍ର ସାମ୍ନାକୁ ଆସିଛି। ଶିଳ୍ପ ବ୍ୟବସ୍ଥା ଦୋହଲିଯିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏପ୍ରିଲ-ଜୁନ୍ ପ୍ରଥମ ତିନିମାସର ରାଜସ୍ବ ଗଭୀର ଭାବେ ପ୍ରଭାବିତ ହେବ। ଦେଶରେ ଆର୍ଥିକ ଅବସ୍ଥାରେ ଦେଖା ଦେଇଥିବା ମାନ୍ଦାବସ୍ଥା ଦୀର୍ଘ ଦିନ ଧରି ରହିପାରେ। ତେବେ ଅନ୍ୟ କେତେକ ବିଶେଷଜ୍ଞ ମତ ଦେଉଛନ୍ତି ଯେ ଲକଡାଉନ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହୁଥିଲେ ହେଁ, ଏହାର ସାଂଘାତିକ ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡିବ ବୋଲି ସ୍ବୀକାର କରୁଛନ୍ତି। ସେମାନେ ଆକଳନ କଲେଣି, ଦେଶରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଏବେ ଅନାଦେୟ ଋଣ (ଏନପିଏ) ସମସ୍ୟାକୁ ନେଇ ଗତି କରୁଛି। ଆର୍ଥିକ କାର୍ଯ୍ୟକଳାପ ଠପ୍ ହେବା କାରଣରୁ ଋଣ ଶୁଝିବା ବ୍ୟବସ୍ଥା ଆହୁରି ପ୍ରଭାବିତ ହେବ ଓ ବ୍ୟାଙ୍କ ବ୍ୟବସ୍ଥା ଅଚଳ ହୋଇପଡ଼ିବ।

ଗୋଟିଏ ସମୟରେ ଓଡ଼ିଶାରେ କାମ ମିଳିଲାନି ବୋଲି ପାଖାପାଖି ୧୨ଲକ୍ଷ ଲୋକ ରାଜ୍ୟ ଛାଡିଥିଲେ। ଏବେ ସେମାନେ ଫେରି ଆସିବା ପରେ ଦୁଇଟି ସଙ୍କଟ ସୃଷ୍ଟି ହେବ। ପ୍ରଥମତଃ, ସେମାନଙ୍କ ମଧ୍ୟରୁ ଅନେକ ଆଉ ଯିବେ ନାହିଁ। ଏଠାରେ ସେମାନଙ୍କୁ ତତ୍କାଳ କାମ ଦେବା ଲାଗି କୌଣସି ପଦକ୍ଷେପ ସରକାର ଏଯାଏ ନେଇନାହାନ୍ତି। ପୁଣି କୁଶଳୀ ଶ୍ରମିକଙ୍କୁ ମନରେଗା ଯୋଜନାରେ ଲଗାଇବା ପାଇଁ କାର୍ଯ୍ୟ ଖସଡ଼ା କଣ, ଏଯାଏ ସେକଥା କୁହାଯାଇନାହିଁ। ଦ୍ବିତୀୟତଃ, ଯେଉଁ ସବୁ କ୍ଷେତ୍ରରୁ ଏମାନେ ଚାଲିଆସିଛନ୍ତି, ସେ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିଳ୍ପାନୁଷ୍ଠାନ ବଡ଼ ଆହ୍ବାନ ସାମ୍ନା କରିବେ। ତାହା ସଚଳ ହୋଇପାରିବ ନାହିଁ। ଯେମିତି ଭୁବନେଶ୍ବରରୁ ଅନ୍ୟ ରାଜ୍ୟର କୁଶଳୀ ଚାଲିଯିବା ପରେ ଏବେ ଏଠାରେ ନିର୍ମାଣ କାର୍ଯ୍ୟ ଉପରେ ପ୍ରଭାବ ପଡିଲାଣି। ଏଣୁ ରାଜ୍ୟ ସରକାର ଆଖିବୁଜା ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ବେଳେ ଅର୍ଥନୀତି କଥା ଭୁଲିଯିବା ଠିକ୍ ନୁହେଁ।

ଏ କ୍ଷେତ୍ରରେ ସବୁଠାରୁ ବିପଜ୍ଜନକ ମତଟି ହେଉଛି, ଲକଡାଉନର ଏତେ ସଙ୍ଗିନ୍ ପ୍ରଭାବ ରହିବ ଯେ କରୋନା ଅେପକ୍ଷା କ୍ଷୁଧାରେ ଅଧିକ ଲୋକ ପ୍ରାଣ ହରାଇବା ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। ଏବେ ପ୍ରଶ୍ନଟି ହେଲା, ଜୀବନ ନା ଆଗ ଜୀବିକା? କେବଳ ଜୀବନକୁ ଗୁରୁତ୍ବ ଦେଲେ ଜୀବିକା ବୁଡ଼ିିଯିବ ଓ ପୁଣି ଥରେ ଅନାହାର ମୃତ୍ୟ କଳଙ୍କରେ ଘାଣ୍ଟିହେବ ଓଡ଼ିଶା। ଯଦି କେବଳ ଜୀବିକାକୁ ଗୁରୁତ୍ବ ଦିଆଯାଇ ସବୁ କୋହଳ ହୁଏ, ତେବେ ଜୀବନ ବିପଦକୁ ଚାଲିଆସିବ। ଏଭଳି ଦ୍ବନ୍ଦ୍ବରୁ ସରକାର ଏଯାଏ ମୁକୁଳିପାରିନଥିବା କାରଣରୁ ଓଡ଼ିଶା ଭଳି ରାଜ୍ୟର ଅର୍ଥନୀତି ହଠାତ୍ ସୁଧୁରିବ ନାହିଁ େବାଲି ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ମତ ଦେଇଛନ୍ତି। ସେମାନଙ୍କର ଯୁକ୍ତି ହେଉଛି, ସରକାରଙ୍କ ପାଖରେ ଭାବପ୍ରବଣତାର କୌଣସି ସୁଯୋଗ ନାହିଁ। ଜୀବନ ଯେତିକି ବଡ଼, ବଞ୍ଚିରହିଥିବା ବ୍ୟକ୍ତିର ହାତକୁ ଦି’ ପଇସା ମିଳିବା ସେତିକି ଗୁରୁତ୍ବପୂର୍ଣ୍ଣ। ଦୁଇଟିଯାକ କଥାକୁ ସମାନ୍ତରାଳ ଭାବେ ପ୍ରାଥମିକତା ମିଳିବା ଦରକାର। ସରକାର ଜୀବନ ରକ୍ଷା ପାଇଁ ଦିନରାତି ଏକ କରିଛନ୍ତି, ତାହା ଏକ ଭଲ ଲକ୍ଷଣ। ହେଲେ ହାତକୁ କର୍ମସଂସ୍ଥାନ ଯୋଗାଇଦେବା, ଶିଳ୍ପ, ବାଣିଜ୍ୟ ଆଦି କ୍ଷେତ୍ରରେ ସୁଧାର ଆଣିବା ଲାଗି ଉଦ୍ୟମ କେବଳ ନିଷ୍ପତ୍ତିରେ ରହିଛି। ଏମିତିରେ ସ୍ଥିତି ସୁଧୁରିବନି ବରଂ ବିଗିଡିଯାଇପାରେ।

ସମ୍ବନ୍ଧିତ ଖବର