କୋଲକାତାରେ ବ୍ୟବସାୟୀଙ୍କ ୬୮ଲକ୍ଷ ଜବତ

ଆଇଟି ବିଭାଗର ଛାନ୍‌ଭିନ୍, ଆୟକର ପୈଠ ସମ୍ପର୍କିତ କାଗଜପତ୍ର ଯାଞ୍ଚ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳର ଜଣେ ସୁନା ବ୍ୟବସାୟୀଙ୍କ ଘରେ ଆୟକର(ଆଇଟି) ବିଭାଗ ଚଢ଼ାଉ କରିଛି। ଏହି ବ୍ୟବସାୟୀ ହେଲେ, କେ.ପ୍ରସାଦ ରାଓ ସୁବୁଦ୍ଧି। ଆଇଟି ବିଭାଗର ଏକ ୫ଜଣିଆ ଟିମ୍‌ ସୁନା ଶ୍ରୀ ସୁବୁଦ୍ଧିଙ୍କ ଗୌଡ଼ସାହି ସ୍ଥିତ ଘରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ ବଡ଼ ବଜାରରେ ବ୍ୟବସାୟୀ ସୁବୁଦ୍ଧି ଏକ ସୁନା ଦୋକାନ କରିଛନ୍ତି। ଗତ ଦୁଇଦିନ ତଳେ ତାଙ୍କର ଜଣେ କର୍ମଚାରୀ ୬୮ଲକ୍ଷ ଧରି କୋଲକାତା ଯାଇଥିଲେ। କୋଲକାତା ରେଳଷ୍ଟେସନ୍‌ରେ ଆର୍‌ପିଏଫ୍‌ ଦ୍ବାରା ଯାଞ୍ଚ ବେଳେ ସେ ଧରାପଡ଼ିଥିଲେ। କର୍ମଚାରୀ ଜଣକ ଏତେ ପରିମାଣର ଟଙ୍କା ସହିତ ଧରାପଡ଼ିବାରୁ ଆର୍‌ପିଏଫ୍‌କୁ ସନ୍ଦେହ ହୋଇଥିଲା। ଫଳରେ ଆର୍‌ପିଏଫ୍‌ ଅଧିକାରୀମାନେ ସମ୍ପୃକ୍ତ କର୍ମଚାରୀଙ୍କୁ ଜେରା କରି ଟଙ୍କା ସମ୍ପର୍କରେ ପଚାରିଥିଲେ। ହେଲେ ସେ କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ତେଣୁ ଆର୍‌ପିଏଫ୍‌ କୋଲକାତାର ଆଇଟି ବିଭାଗକୁ ଖବର ଦେଇଥିଲା। କୋଲକାତା ଆଇଟି ବିଭାଗ ସେହି ଟଙ୍କା ନିଜ ହେପାଜତକୁ ନେଇ ଓଡ଼ିଶା ଆଇଟି ବିଭାଗ ସହିତ ଯୋଗାଯୋଗ କରିଥିଲା।

ଏହାପରେ ଆଇଟି ବିଭାଗର ଏକ ଟିମ୍‌ ସୁନା ବ୍ୟବସାୟୀ ସୁବୁଦ୍ଧିଙ୍କ ଘରେ ଚଢ଼ାଉ କରିଛନ୍ତି। ଗତକାଲି ବିଳମ୍ବିତ ରାତିରୁ ଏହି ଚଢ଼ାଉ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଜବତ ହୋଇଥିବା ୬୮ଲକ୍ଷ ଟଙ୍କା କୁଆଡ଼ୁ ଆସିଲା, ସେହି ଟଙ୍କା କାହାକୁ ଦେବା ପାଇଁ କର୍ମଚାରୀ ଜଣକ କୋଲକାତା ଯାଇଥିଲେ ଓ ବ୍ୟବସାୟୀ ଜଣକ ନିଜର କାରବାର ଅନୁସାରେ କର ପୈଠ କରୁଛନ୍ତି କି ନାହିଁ, ଏହାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଆଇଟି ବିଭାଗ ତରଫରୁ କିଛି ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର