ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ଝାରସୁଗୁଡ଼ା ସରବାହାଲସ୍ଥିତ ବାସଭବନ ସମେତ ୨୦ରୁ ଅଧିକ ସ୍ଥାନରେ ଗୁରୁବାରଠାରୁ ଆୟକର ବିଭାଗର ଚଢ଼ଉ ଜାରି ରହିଛି। ଆଜି ଦ୍ବିତୀୟ ଦିନରେ ଆୟକର ବିଭାଗର ଟିମ୍ ସ୍ବର୍ଗତ ଦାସଙ୍କ ଘରେ ବିଭିନ୍ନ କାଗଜପତ୍ରର ଯାଞ୍ଚ ଚଳାଇଛି। ସ୍ବର୍ଗତ ଦାସଙ୍କ ପୁଅ ବିଶାଳ ଦାସ ଦିଲ୍ଲୀରେ ଥିବାବେଳେ ତାଙ୍କୁ ଭୁବନେଶ୍ବରସ୍ଥିତ ଆୟକର ଭବନକୁ ଆଣି ସେଠାରେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଏପରିକି ଅଧିକ ତଦନ୍ତ ପାଇଁ ଶ୍ରୀ ଦାସଙ୍କୁ ଝାରସୁଗୁଡ଼ା ମଧ୍ୟ ଅଣାଯାଇପାରେ। ସ୍ବର୍ଗତ ଦାସଙ୍କ ପତ୍ନୀ ମିନତି ଦାସ, ଝିଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସଙ୍କୁ ମଧ୍ୟ ସମ୍ବଲପୁରରେ ଆୟକର ବିଭାଗର ଟିମ୍ ପଚରାଉଚରା କରିଥିବା ଜଣାପଡ଼ିଛି। ତାଙ୍କ ଝାରସୁଗୁଡ଼ା ଓ ସମ୍ବଲପୁର ବାସଭବନ ତଥା ସହଯୋଗୀଙ୍କ ଘରେ ଚାଲିଥିବା ଚଢ଼ଉ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନଥିବାବେଳେ ସେଠାରୁ ଆୟକର ବିଭାଗକୁ କ’ଣ ସବୁ ମିଳିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ।
ସହଯୋଗୀଙ୍କ ଟ୍ରାନ୍ସପୋର୍ଟ କମ୍ପାନିରେ ବି ଖୋଳତାଡ଼
ବିଶାଳଙ୍କ ନାମରେ ଥିବା ବିଭିନ୍ନ କମ୍ପାନିଗୁଡ଼ିକର ଆକାଉଣ୍ଟସ୍ ଯାଞ୍ଚ କରାଯାଉଛି। ଠିକ୍ରେ ଆୟକର ଜମା ହୋଇଛି ନା ନାହିଁ ସେ ସମ୍ପର୍କରେ ବିଭାଗର ତଦନ୍ତ ଜାରି ରହିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଭାଗର ଟିମ୍ ୨ ଭାଗରେ ବିଭକ୍ତ ହୋଇ ଏହି ଚଢ଼ଉରେ ସାମିଲ ହୋଇଛି। ଗୋଟିଏ ଟିମ୍ ଆୟକର ଠକେଇ ସମ୍ପର୍କିତ ତଦନ୍ତ କରୁଥିବାବେଳେ ଆଉ ଗୋଟିଏ ଟିମ୍ ବେଆଇନ ଭାବେ ଗଚ୍ଛିତ ଅର୍ଥ ସମ୍ପର୍କରେ ଯାଞ୍ଚ କରୁଛି। ଚଢ଼ଉ ହେଉଥିବା ପ୍ରତିଟି ସ୍ଥାନରେ କର୍ମଚାରୀଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଉକ୍ତ ଫୋନ୍ଗୁଡ଼ିକୁ ଆସୁଥିବା କଲ୍ଗୁଡ଼ିକର ମଧ୍ୟ ଯାଞ୍ଚ ହେଉଛି। ଅପରପକ୍ଷରେ ଝାରସୁଗୁଡ଼ାର ବେହେରାପାଲିରେ ଥିବା ନବ ଦାସଙ୍କ ଜଣେ ସହଯୋଗୀଙ୍କ ୟୁନାଇଟେଡ୍ କର୍ପୋରେସନ୍ କମ୍ପାନିରେ ଆୟକର ବିଭାଗର ୧୦ ଜଣିଆ ଟିମ୍ ଛାନ୍ଭିନ୍ ଜାରି ରଖିଛି। ଘଟଣାସ୍ଥଳରେ ସିଆର୍ପିଏଫ୍ ଯବାନ ମଧ୍ୟ ମୁତୟନ ହୋଇଛନ୍ତି। ଭିତରେ କମ୍ପାନିର ବିଭିନ୍ନ କାଗଜପତ୍ରର ଅନୁଧ୍ୟାନ ଚାଲିଥିବା ଜଣାପଡ଼ିଛି। ସେହିଭଳି ବୃନ୍ଦାମାଲରେ ଥିବା ମାତାରାଣୀ ଟ୍ରାନ୍ସପୋର୍ଟରେ ମଧ୍ୟ ୨ଟି ଇନୋଭାରେ ଆୟକର ବିଭାଗର ଟିମ୍ ପହଞ୍ଚି ଛାନ୍ଭିନ୍ ଚଳାଇଥିବା ଦେଖିବାକୁ ମିଳିଛି। ଚଢ଼ଉ ଚାଲିଥିବା ପ୍ରତିଟି ସ୍ଥାନରେ କେନ୍ଦ୍ରୀୟ ପୁଲିସ ବଳ ମୁତୟନ କରାଯାଇଛି। କେବଳ ଡକରା ହେଉଥିବା ବ୍ୟକ୍ତିଙ୍କୁ ହିଁ ଭିତରକୁ ପ୍ରବେଶ ଅନୁମତି ପ୍ରଦାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/21/adgdadgagd-2025-06-21-02-35-24.jpg)