କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଗୁରୁବାର ଦିନ ଆୟକର ବିଭାଗ ପକ୍ଷରୁ ‌ଚଢ଼ଉ କରାଯାଉଛି। ସେପଟେ ଘର ଚାରିପଟେ ସଶସ୍ତ୍ର ପୁଲିସ ଛାଉଣୀ କରାଯାଇଛି। ଗୁରୁବାର ସକାଳୁ ଏକକାଳୀନ ସନାତନଙ୍କ ଉଚ୍ଚବାଲି, ନମ୍ବିରା ସ୍ଥିତ ବାସଭବନ, କେନ୍ଦୁଝର ବଡ଼ହଳସ୍ଥିତ କାର୍ଯ୍ୟାଳୟ, ଭୁବନେଶ୍ବରସ୍ଥିତ ବାସଭବନରେ ଚଢ଼ଉ କରାଯାଇଥିଲା।

Advertisment

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳୁ ସନାତନଙ୍କ ନମ୍ବିରାସ୍ଥିତ ବାସଭବନ ସମେତ ଉଚ୍ଚବାଲି, କେନ୍ଦୁଝର ଓ ଭୁବନେଶ୍ବର ବାସଭବନ ଚାରି ପାଖରେ ପୁଲିସ ଏବଂ ସିଆରପିଏଫ ଯବାନ ଘେରି ଯାଇଥିଲେ। ଏହାପରେ ଆୟକର ଅଧିକରୀମାନେ ଘରଭିତରକୁ ପଶି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ। ଏହି ସମୟରେ ବାହାରର କୌଣସି ବ୍ୟକ୍ତିଙ୍କୁ ଉପସ୍ଥିତ ସୁରକ୍ଷା କର୍ମୀ ଭିତରକୁ ଛାଡ଼ି ନ ଥିଲେ। ଚଢ଼ଉ ସମୟରେ ସନାତନ ଘରେ ଉପସ୍ଥିତ ଥିଲେ। ଅର୍ଥ କାରବାର ନେଇ ଆୟକର ବିଭାଗ ଏହି ଚଢ଼ଉ କରିଥିବା କୁହାଯାଉଛି ।

ପୂର୍ବରୁ ୨୦୧୮ ମସିହା‌ରେ ସନାତନଙ୍କ ଘରକୁ ଇଣ୍ଡସଇଣ୍ଡ ବ୍ୟାଙ୍କ ଅଧିକାରୀମାନେ ୫୦ ଲକ୍ଷ ଟଙ୍କା ଆଣି ଆସୁଥିବା ବେଳେ ମ୍ୟାନେଜର ସମେତ ତିନି ଜଣ ଗିରଫ ହୋଇଥିଲେ ଏବଂ ଏହି ଟଙ୍କା ଜବତ ହୋଇଥିଲା। ଏହାପରେ ସନାତନଙ୍କର ଇଣ୍ଡସଇଣ୍ଡ ବ୍ୟାଙ୍କରେ ଥିବା ୧୬୫ କୋଟି ଟଙ୍କା ଜବତ ହୋଇଥିଲା।