ବାଲେଶ୍ବର/ଭଦ୍ରକ/ବାସୁଦେବପୁର/ଧାମରା : ଆୟକର ଫାଙ୍କି ଅଭିଯୋଗରେ ଭଦ୍ରକ ଜିଲ୍ଲାର ତିହିଡ଼ି, ଧାମରା ଓ ବାସୁଦେବପୁରର ତିନି କୋଟିପତି ବ୍ୟବସାୟୀଙ୍କ ସମେତ ବାଲେଶ୍ବରର ଜଣେ ବ୍ୟବସାୟୀଙ୍କ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ବୁଧବାର ଦିନ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଭୁବନେଶ୍ବର ଆୟକର ବିଭାଗର ୨୬ ଜଣ ବରିଷ୍ଠ ପଦାଧିକାରୀଙ୍କୁ ନେଇ ଗଠିତ ୪ଟି ସ୍ବତନ୍ତ୍ର ଟିମ୍ ବୁଧବାର ସକାଳେ ଭଦ୍ରକ ଓ ବାଲେଶ୍ବରରେ ପହଞ୍ଚି ଏକକାଳୀନ ୪ ବ୍ୟବସାୟୀଙ୍କ ଘର, ବ୍ୟାବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ କରିଥିଲେ।

Advertisment

ତିହିଡ଼ି ବ୍ଲକ ଗୁଆମାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡାଙ୍କ ଭଦ୍ରକସ୍ଥିତ ବାସଭବନ, ଚରମ୍ପା ଡାହାଣୀଗଡ଼ିଆସ୍ଥିତ ଆପୋଲୋ ଟାୟାର ସୋ ରୁମ୍ ଓ ଭଦ୍ରକ ବାଇପାସ୍‌ଠାରେ ଥିବା ଗହଣା ସୋ ରୁମ୍‌ରେ ଆୟକର ଟିମ୍ ଚଢ଼ଉ କରିଥିଲା। ସେହିପରି ଚାନ୍ଦବାଲି ବ୍ଲକ ଧାମରା କରଣପଲ୍ଲୀ ଗ୍ରାମର ବିକି ମଣ୍ଡଳଙ୍କ ଘର, ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟ, ବରଫ କଳ, ଏଲ୍‌ପିଜି ଗ୍ୟାସ୍‌ ବିତରଣ ସଂସ୍ଥା ଓ ପେଟ୍ରୋଲ ପମ୍ପ ଉପରେ ଚଢ଼ଉ କରାଯାଇଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଚଢ଼ଉ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା। ପ୍ରକାଶଥାଉକି, ଟିକସ ଫାଙ୍କି ଅଭିଯୋଗରେ ୨୦୧୯ ମସିହାରେ ମଧ୍ୟ ବିକି ମଣ୍ଡଳଙ୍କ ବ୍ୟାବସାୟିକ ପ୍ରତିଷ୍ଠାନରେ ଆୟକର ଓ ବାଣିଜ୍ୟ କର ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା। ଏଥିସହିତ ବାସୁଦେବପୁର ବ୍ଲକ ଅନ୍ତର୍ଗତ ଭୌରବପୁର ଗ୍ରାମର ଚିଙ୍ଗୁଡ଼ି ବ୍ୟବସାୟୀ ସୁବାସ ମହାନ୍ତିଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ଚଢ଼ଉ କରିଛି। ଚଢ଼ଉ ବେଳେ ବହୁ ଟଙ୍କାର ଆୟକର ଫାଙ୍କି ସଂକ୍ରାନ୍ତରେ ପ୍ରମାଣ ପାଇଛି ଆୟକର ବିଭାଗ।

ସେପଟେ ବାଲେଶ୍ବର ସହରର କୋଟିପତି ଚିଙ୍ଗୁଡ଼ି ଖାଦ୍ୟ ବ୍ୟବସାୟୀ ଦିଲ୍ଲୀପ କୁମାର ସାହୁଙ୍କ ଘର, ବ୍ୟାବସାୟିକ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବୁଧବାର ସକାଳ ସାଢ଼େ ୮ଟା ସମୟରେ ଭୁବନେଶ୍ବରରୁ ଆସିଥିବା ଆୟକର ବିଭାଗର ଏକ ୬ ଜଣିଆ ଟିମ୍‌ ଦିଲ୍ଲୀପଙ୍କ ଶୋଭାରାମପୁରସ୍ଥିତ ବାସଭବନ ଓ ବ୍ୟାବସାୟିକ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ଯାଞ୍ଚ ସମୟରେ ଟିକସ ସମ୍ପର୍କିତ ଅନେକ କାଗଜପତ୍ର, ଫାଇଲ, କମ୍ପ୍ୟୁଟର, ହାର୍ଡଡିସ୍କ ଆଦି ଜବତ କରି ଆୟକର ଟିମ୍‌ ନେଇ ଯାଇଥିବା ସୂଚନା ମିଳିଛି। ତଦନ୍ତ ଶେଷ ହେବା ପରେ ଏ ସଂପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।