ଧର୍ମଶାଳା: ଧର୍ମଶାଳା ତହସିଲର କଳାପଥର(ଗ୍ରାନାଇଟ୍) କେଳେଙ୍କାରୀକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଶହଶହ କୋଟି ଟଙ୍କା କଳା କାରବାର ଖୋଳତାଡ଼ ଆରମ୍ଭ କରିଛି ଆୟକର ବିଭାଗ। ଗତ ୧୬ ତାରିଖରୁ ଆୟକର ବିଭାଗର ଅଧିକାରୀ ମଙ୍ଗରାଜ ସେଠୀଙ୍କ ନେତୃତ୍ବରେ ଆସିଥିବା ତଦନ୍ତକାରୀ ଦଳ ୪ ଦିନ ହେଲା ମେଗା କ୍ରସର ମାଲିକ, ଖଣିଖାଦାନ ମାଲିକ, ଟ୍ରାନସପୋର୍ଟଙ୍କ ଘର, କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଚଢଉ କରି କାଗଜପତ୍ର ଜବତ କରିବାରେ ଲାଗିଛନ୍ତି। କଳାପଥର କଳାସାମ୍ରାଜ୍ୟର ଚେର କେତେ ଦୂର ଲମ୍ବିଛି ସେ ସଂପର୍କରେ କୌଣସି ସୂଚନା ତଦନ୍ତକାରୀ ଦଳ ଦେଇନାହାନ୍ତି। ଏହି ଚଢ଼ଉ ପରଠାରୁ ଧର୍ମଶାଳା ତହସିଲର ଅଧିକାଂଶ ଖଣିଖାଦାନ, କ୍ରସର, ବାଲିଘାଟ ସୈରାତ୍ ବନ୍ଦ ରହିଛି।
ପ୍ରକାଶ ଥାଉକି ହାଇଦ୍ରାବାଦର କଳାପଥର ରେଜିଂ ଠିକାଦାର ମନୋହର ରେଡ୍ଡୀଙ୍କ ବ୍ୟବସାୟିକ କାରବାରର ଖୋଳତାଡ଼ କରୁଥିବା ଆୟକର ବିଭାଗ ଆସି ଧର୍ମଶାଳା ଅଞ୍ଚଳର ଆଗଧାଡିର ଖଣିମାଲିକଙ୍କୁ ତଦନ୍ତର ପରିସରଭୁକ୍ତ କରିଛି। ଆୟକର ବିଭାଗର ଅଧିକାରୀମାନେ ଶ୍ରୀବାସ ଜେନାଙ୍କ ସାରୋଇ ଗ୍ରାମସ୍ଥିତ ଘର, କାର୍ଯ୍ୟାଳୟ, ହରିଦାସପୁର ମୌଜାରେ ଥିବା ଷ୍ଟକ୍ୟାର୍ଡ, ପରିବହନ ସଂସ୍ଥା ଏସ୍ଟି ମିନେରାଲସ୍, ପ୍ରଶାନ୍ତ କୁମାର ଜେନାଙ୍କ ପିକେ ମିନେରାଲସ୍, ପଣ୍ତୁଆ ଶିଳ୍ପାଞ୍ଚଳରେ ଥିବା ନିରଂଜନ ଦେଓଙ୍କ କୋଣାର୍କ ଟ୍ରାନ୍ସପୋର୍ଟ, ଅପୂର୍ବ ସାହୁଙ୍କ ଅରୁଣି ଟ୍ରାନ୍ସପୋର୍ଟ, ଭୁବନେଶ୍ବର ରୁଚିକା ମାର୍କେଟ ହାଉସିଂ ବୋର୍ଡ କଲୋନି ବାସଭବନ, ହାଇଦ୍ରାବାଦ ଘର, ସହଯୋଗୀ ଖଣି ମାଲିକଙ୍କ କାର୍ଯ୍ୟାଳୟ ଓ ଡଙ୍କାରି ଅଞ୍ଚଳରେ ଥିବା ଏକାଧିକ ମେଗା କ୍ରସର ୟୁନିଟରେ କାଗଜପତ୍ର ଯାଞ୍ଚ କରୁଛନ୍ତି।
୪ଦିନ ହେଲା ଲମ୍ବା ଚଢ଼ଉ ଚାଲିଥିଲେ ବି ଆୟକର ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ଗଣମାଧ୍ୟମକୁ ଦିଆଯାଇନାହିଁ। ଡଙ୍କାରି କଳାପଥର ଲୁଟ୍ ଓ ରାଜସ୍ବ ଫାଙ୍କି ଲିଙ୍କ୍ରେ ଏହି ଚଢ଼ଉ ହେଉଥିବା ସନ୍ଦେହ କରାଯାଉଛି। ସମ୍ପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକର କମ୍ପୁଟରରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ତଦନ୍ତକାରୀ ଦଳ ହାସଲ କରିଛନ୍ତି। ଏପରିକି ସହଯୋଗ କରୁନଥିବା ୨ଜଣ ଖାଦାନ ମାଲିକ ନିଜ କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ତାଲା ପକାଇ ଫେରାର ହୋଇଯାଇଥିବାରୁ ମାଜିଷ୍ଟ୍ରେଟ୍ ଉପସ୍ଥିତିରେ ତାଲା ଭାଙ୍ଗି କାଗଜପତ୍ର ଜବତ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ବହୁ କୋଟି ଟଙ୍କାର ଟିକସ ଫାଙ୍କି ଧରାପଡ଼ିଛି ବୋଲି ମଧ୍ୟ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ଫଳରେ ତଦନ୍ତ ପରିସର ସୀମା ବୃଦ୍ଧି ପାଇବାରେ ଲାଗିଛି। ବହୁ କ୍ରସର ଓ ଖାଦାନ ମାଲିକ ନିଜର ବ୍ୟବସାୟ ବନ୍ଦ କରି ଫେରାର ହୋଇଯିବା ସହିତ ମୋବାଇଲ ବନ୍ଦ କରି ଦେଇଛନ୍ତି। ଆବଶ୍ୟକ କାଗଜପତ୍ର ସଜାଡିବାରେ ଲାଗିପଡ଼ିଛନ୍ତି। ଏହି ତଦନ୍ତ ଧର୍ମଶାଳା ତହସିଲର କଳାପଥର କେଳେଙ୍କାରୀର ଗୁମର ଖୋଲିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।