ସମ୍ଭାବ୍ୟ ତାଲିକାରେ ୨୨୯ ଇନ୍ସପେକ୍ଟର
କଟକ : ଅପରାଗ, କାର୍ଯ୍ୟଦକ୍ଷତା ବା ବିଶ୍ବସନୀୟତାକୁ ନେଇ ସନ୍ଦେହ ଥିବା ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ବା ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ଏବେ ରାଜ୍ୟ ପୁଲିସ ବିଭାଗ କାର୍ଯ୍ୟକାରୀ କରିବାକୁ ଯାଉଛି। ଏହି ସମ୍ଭାବ୍ୟ ତାଲିକାରେ ୨୨୯ଜଣ ଇନ୍ସପେକ୍ଟର ଥିବା ଜଣାପଡ଼ିଛି।
୨୦୧୯, ସେପ୍ଟେମ୍ବର ୨୪ ତାରିଖରେ ଜିଏ ବିଭାଗର ଚିଠି (ନଂ ୨୭୦୩୭) କୁ ଆଧାର କରି ପୁଲିସ ଆଇଜି ପର୍ସନେଲଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଚିଠି (ନଂ ୩୮୮୫୨, ୩୦.୧୦.୨୧) କରାଯାଇଛି। ବିଭିନ୍ନ ପୁଲିସ ଜିଲ୍ଲା, ଏଡିଜି, ରେଂଜ ଅଧିକାରୀଙ୍କୁ ଚିଠି ଲେଖି ଏକ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି। ମାନଦଣ୍ଡ ଅନୁଯାୟୀ ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାମ କରୁଥିବା ୨୨୯ ଜଣ ଇନ୍ସପେକ୍ଟରଙ୍କ ନାମ ତାଲିକା ସଂଲଗ୍ନ କରାଯାଇଛି। ତେବେ ଆସନ୍ତା ୧୦ ତାରିଖ ସୁଦ୍ଧା ସେମାନଙ୍କ ମଧ୍ୟରୁ ନୋମିନେସନ ରୋଲ ବା ବସ୍ତୃତ ବିବରଣୀ ସହିତ ନାମ ତାଲିକା ଦେବାକୁ କୁହାଯାଇଛି। ସେହି ବିବରଣୀ ମଧ୍ୟରେ ଇନ୍ସପେକ୍ଟରମାନଙ୍କର ଗତ ୫ ବର୍ଷର ପ୍ରଶଂସା ପତ୍ର, ପୁରସ୍କାର ଓ ଦଣ୍ଡ ବିଧାନ ହୋଇଥିଲେ ତାର ବିବରଣୀ ଉଲ୍ଲେଖ କରିବା ପାଇଁ କୁହାଯାଇଛି। ଏହି ନୋମିନେସନ ରୋଲରେ ସଂପୃକ୍ତ ଇନ୍ସପେକ୍ଟରମାନଙ୍କ ନାମରେ ଅପରାଧିକ ମାମଲା ଥିଲେ, ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲେ, ମାନବାଧିକାର କମିସନଙ୍କ ନିକଟରେ ଥିବା ଅଭିଯୋଗ, ଭିଜିଲାନସ ମାମଲା ଇତ୍ୟାଦିର ସମସ୍ତ ବିବରଣୀ ରଖିବାକୁ କୁହାଯାଇଛି।
ତେବେ ଯେଉଁ ଇନ୍ସପେକ୍ଟର ୩୦ ବର୍ଷରୁ ଅଧିକ କାମ କରିଥିବେ ଓ ତାଙ୍କ ବୟସ ୩୧.୩.୨୦୨୧ ସୁଦ୍ଧା ୫୦ରୁ ୫୫ ବର୍ଷ ହୋଇଥିବ, ସେମାନଙ୍କୁ ଏହି ତାଲିକାରେ ରଖାଯାଇ ପାରିବ। ଆସନ୍ତା ୧୦ ତାରିଖ ସୁଦ୍ଧା ରେଂଜ ଅଫିସ ଗୁଡିକ ଏହି ତାଲିକା ପ୍ରଦାନ କରିବେ। ଇନ୍ସପେକ୍ଟରମାନଙ୍କର ସିସିଆର ମଧ୍ୟ ଏଥିରେ ସଂଯୁକ୍ତ କରାଯିବ। ତେବେ ଏଥିପାଇଁ ବିଭିନ୍ନ ବିଭାଗରେ କାମ କରୁଥିବା ଇନ୍ସପେକ୍ଟରମାନଙ୍କ ମଧ୍ୟରେ ଛନକା ପଶିଛି। ଦୁର୍ନୀତିଗ୍ରସ୍ତ ବା ଭିଜିଲାନସ ଟ୍ରାପରେ ଥିବା ଅଧିକାରୀମାନେ ଏବେ ଏହାକୁ ନେଇ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Odisha-Police-Logo_Odisha-Police-Museum.jpg)