ଦୁଃଖ ବଢ଼ାଉଛି ବୃତଙ୍ଗ ସେତୁ : ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଶେଷ ହୋଇପାରୁନି ସେତୁ ନିର୍ମାଣ, ଦୁର୍ଦ୍ଦଶା ଭୋଗୁଛନ୍ତି ଜନସାଧାରଣ

ଆନ୍ଦୋଳନ ପାଇଁ ମେଳି ବାନ୍ଧିଲେ ପଞ୍ଚାୟତବାସୀ

ଦଶପଲ୍ଲା : ଦିନକୁ ଦିନ ଦୁଃଖ ବଢ଼ାଉଛି ବୃତଙ୍ଗ ସେତୁ। କାମରେ ଆସୁନି ସରକାରୀ ନୀତି ନିୟମ। ଆଇନକୁ ଆଖି ଠାର ନ୍ୟାୟରେ ନାଲି ଫିତା ତଳେ ଚାପି ହୋଇ ରହୁଛି ସରକାରୀ ନିର୍ଦ୍ଦେଶନାମା। କିଛି ଅସାଧୁ କର୍ମଚାରୀଙ୍କ ପାଇଁ ସରକାରୀ ଯୋଜନା ବାଟ ହୁଡ଼ୁଥିବା ବେଳେ ଦୁର୍ଦ୍ଦଶା ଭୋଗୁଛନ୍ତି ଜନସାଧାରଣ। ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଶେଷ ହୋଇପାରୁନି ସେତୁ ଓ ରାସ୍ତା ନିର୍ମାଣ କାର୍ଯ୍ୟ। ଯାହାକୁ ନେଇ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ମେଳି ବାନ୍ଧିଛନ୍ତି। ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ବାଣୀଗୋଚ୍ଛାଠାରୁ ଶିରିଶିରା ପର୍ଯ୍ୟନ୍ତ ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବକୁ ନେଇ ଗତକାଲି ନେଫାରୀ ପ୍ରାଥମିକ ବିଦ୍ୟାଳୟଠାରେ ତିନି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଏକତ୍ର ହୋଇ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ, ବାଣୀଗୋଚ୍ଛାଠାରୁ ଶିରିଶିରା ପର୍ଯ୍ୟନ୍ତ ୮.୭୫୦ କିମି ରାସ୍ତା ଓ ବୃତଙ୍ଗ ନଦୀର ନେଫାରୀ ଘାଟଠାରେ ସେତୁ ନିର୍ମାଣ ପାଇଁ ୨୦୧୫ ମସିହା ମାର୍ଚ୍ଚ ମାସ ୧୦ ତାରିଖ ଦିନ ତତ୍କାଳୀନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଓ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଶୁଭ ଉଦ୍‌ଘାଟନ କରିଥିଲେ। ଏଥିପାଇଁ ୪ କୋଟି ୫୫ ଲକ୍ଷ ୪୦ ହଜାର ୭ ଶହ ୭୭ ଟଙ୍କା ମଞ୍ଜୁର ହୋଇଥିଲା। ଏହି ରାସ୍ତା ଓ ସେତୁ ଉପରେ ୩ଟି ପଞ୍ଚାୟତ ତଥା ବାଣୀଗୋଚ୍ଛା, ଦୁଡ଼ା ଓ କୁଜାମେଣ୍ଢି ପଞ୍ଚାୟତର ନେଫାରୀ, ଗାଡ଼ିଆପଡ଼ା, ଦଶନିପଡ଼ା, କୁରାଢ଼ିନିଶା, ପାତିଲି ମୁଣ୍ତା, ବିଜାତଇଳା, କୁମ୍ଭିକିଳା, ବତାଙ୍ଗା, ଗାଡ଼ିଆପଡ଼ା, ତୁମୁଡ଼ିବିଡ଼ା, ବେହେରା ସାହି, ପ୍ରଧାନ ଗାଁ, ଗୋଚ୍ଛାବାରୀ, ଦୁଡ଼ୁକିପାଜୁ, ନାୟକ ଗାଁ, ସଦାପଦର, ଝରଣାଖୋଲ ଓ ଶିରିଶିରା ପ୍ରଭୃତି ଗ୍ରାମବାସୀ ନିର୍ଭର କରିଥାନ୍ତି। ଦୈନିକ ଛାତ୍ରଛାତ୍ରୀମାନେ କଲେଜ ଓ ବିଦ୍ୟାଳୟକୁ ଯିବାଆସିବା ସହ ରୋଗୀଙ୍କୁ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ଓ ବିଭିନ୍ନ ଯାନବାହନ ଯାତାୟାତ କରିଥାଏ। ମାତ୍ର ବଡ଼କଥା ହେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକୁ କିଭଳି ଠିକାଦାର ଠିକ୍ ସମୟ ମଧ୍ୟରେ ଶେଷ କରିବେ ସେ ନେଇ କାର୍ଯ୍ୟ ଆରମ୍ଭ ପୂର୍ବରୁ ଚୁକ୍ତିନାମା ହୋଇଥାଏ। ଏହି ନିର୍ମାଣ କାର୍ଯ୍ୟ ୨୦୧୫ ଡିସେମ୍ବର ମାସରେ ଶେଷ କରିବା ପାଇଁ ସରକାରୀ ସ୍ତରରେ ନିର୍ଦ୍ଦେଶନାମା ରହିଥିବା ବେଳେ, ଅବଧିର ୪ ବର୍ଷ ପରେ ବି ଶେଷ ହୋଇ ପାରୁନି ନିର୍ମାଣ କାର୍ଯ୍ୟ।

ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବେଫିକର କାର୍ଯ୍ୟକୁ ନେଇ ସରକାରୀ ନୀତିନିୟମକୁ ଏଠି ଜଳାଞ୍ଜଳି ଦିଆଯାଇଛି। ଜନସାଧାରଣଙ୍କ ଯାତାୟାତ ପାଇଁ ଏକ ସଂଯୋଗ ରାସ୍ତା ନିର୍ମାଣ ହୋଇଥିବା ବେଳେ ସାମାନ୍ୟ ବର୍ଷାରେ କିଛି ଦିନ ହେବ ଏହା ଧୋଇ ହୋଇଯାଇଛି। ଯାହା ଫଳରେ ଅଞ୍ଚଳବାସୀ ବୃତଙ୍ଗ ନଦୀରେ ଆଣ୍ଠୁଏ ପାଣିରେ ପଶି ଯାତାୟାତ କରୁଛନ୍ତି। ପାଦଚଲା ରାସ୍ତା ବ୍ୟତୀତ କୌଣସି ଯାନବାହନ ଯାତାୟାତ କରୁ ନଥିବା ହେତୁ ଅଞ୍ଚଳବାସୀ ବିଚ୍ଛିନ୍ନ ହୋଇ ରହିବା ସହ ବହୁ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀ କିମ୍ବା ଠିକାଦାର ଏଥିପ୍ରତି ଗୁରୁତ୍ବ ଦେଉ ନଥିବା ବେଳେ ଗତକାଲି ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସବୁ ଗ୍ରାମବାସୀ ଖୁବ୍‌ ଶୀଘ୍ର ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି। ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଂଚଳବାସୀ ଦୃଢ଼ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର