ଦୁଇ ଗାଁ ମଧ୍ୟରେ ବିବାଦ ଯୋଗୁଁ ଅଧାରେ ଅଟକିଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା : ରାସ୍ତା ନଥିବାରୁ ନାହିଁ ନଥିବା ହଇରାଣ ହେଉଛନ୍ତି ୫ଟି ଆଦିବାସୀ ଗାଁ ଲୋକେ

ନୂଆଗାଁ : ସରକାରୀ ଯୋଜନାରେ ଲାଗିଛି ରୋକ୍। ଦୁଇବର୍ଷ ତଳେ ରାସ୍ତା ନିର୍ମାଣ କରିବାକୁ ଅର୍ଥ ମଂଜୁର ହୋଇଥିଲେ ବି ଅଧାରେ ପଡ଼ି ରହିଛି କାମ। ଦୁଇ ଗାଁ ବିବାଦରେ ଛନ୍ଦି ହୋଇ ଶେଷରେ ଗାଁ ଆଗରେ ହାର ମାନିଛି ପ୍ରଶାସନ। ଫଳରେ ୫ଟି ଆଦିବାସୀ ଗାଁ ଲୋକେ ରାସ୍ତା ନଥିବାରୁ ନାହିଁ ନଥିବା ହଇରାଣ ହେଉଛନ୍ତି। ନୂଆଗାଁ ବ୍ଲକ୍ ମାଳିସାହି ପଞ୍ଚାୟତ ବଳଭଦ୍ରପୁରଠାରୁ ଢିପାମାଳ ରାସ୍ତା କାମରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି।

ଖବରରୁ ପ୍ରକାଶ, ବଳଭଦ୍ରପୁରଠାରୁ ଢିପାମାଳ ୪ କିଲୋମିଟର ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ୍ କରାଯାଇଛି। ରାସ୍ତା ନିର୍ମାଣ ହେବା ଦ୍ବାରା ଆଦିବାସୀଙ୍କ ବିକାଶ ହେବା ସହିତ ଛାତ୍ରଛାତ୍ରୀମାନେ ପାଠପଢ଼ାର ସୁଯୋଗ ପାଇପାରିବେ। ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ କୋଟି ୭ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଠିକାଦାର ୧୭/୪/୨୦୧୭ରେ କାମ ଆରମ୍ଭ କରି ୧୬/୩/୨୦୧୮ ମସିହାରେ କାମ ସାରିବାକୁ ଚୁକ୍ତି ହୋଇଛି। ବଳଭଦ୍ରପୁରଠାରୁ କାମ ଆରମ୍ଭ କରିବା ସମୟରେ ବିବାଦ ଦେଖା ଦେଇଥିଲା। ଗୁଡ଼ୁପାଙ୍ଗି ଗ୍ରାମବାସୀମାନେ ଏହାର ଘୋର ବିରୋଧ କରି ବଳଭଦ୍ରପୁର ପରିବର୍ତ୍ତେ ଗୁଡୁପାଙ୍ଗିଠାରୁ ଢିପାମାଳକୁ ରାସ୍ତା ନିର୍ମାଣ କରିବାକୁ ଜିଦ୍‌ ଧରିଥିଲେ। ଏହାକୁ ନେଇ ଗୁଡୁପାଙ୍ଗି ଏବଂ ଆଦିବାସୀଙ୍କ ମଧ୍ୟରେ ତମ୍ବିତୋଫାନ ହୋଇଥିଲା। ଗାଁରୁ କଥା ଯାଇ ଥାନାରେ ପହଞ୍ଚିଥିଲା। ଶେଷରେ ଜିଲ୍ଲାପାଳଙ୍କ ନିକଟରେ ଉଭୟ ପକ୍ଷଙ୍କୁ ଡାକି ସମାଧାନ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଗୁଡୁପାଙ୍ଗି ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ ମଧ୍ୟ ଜିଦ୍‌ରେ ଅଟଳ ରହିଥିଲେ।

ଏମିତି ଗୋଟିଏ ବର୍ଷ କାମ ନ ହୋଇ ପଡ଼ିରହିବା ପରେ ଠିକାଦାର କାମ ଆରମ୍ଭ କରିବାକୁ ବାହାରିଥିଲା। ଗୁଡୁପାଙ୍ଗି ଗ୍ରାମବାସୀ କାମ ବନ୍ଦ କରିବା ସହିତ ଗାଁ ଭିତରୁ କାମ କରିବାକୁ ଠିକାଦାରକୁ ତାଗିଦ୍‌ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର ଅନୁମତି ପାଇବା ପରେ ଠିକାଦାର ଗୁଡୁପାଙ୍ଗିରୁ ଢିପାମାଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ବାହାରିଥିଲା। ଅଳ୍ପ କିଛି ରାସ୍ତା ନିର୍ମାଣ କରିବା ପରେ ଠିକାଦାର କାମ ବନ୍ଦ କରି ଦେଇଥିଲା। ଠିକାଦାର କାମ ବାବଦକୁ ୪ କୋଟି ଟଙ୍କାରୁ ପାଖାପାଖି ୧ କୋଟି ଟଙ୍କାର କାମ ସାରି ଦେଇଥିବା ଅନୁମାନ କରାଯାଉଛି। ଏପଟେ ୫ଟି ଗାଁର ଲୋକମାନେ ପୂର୍ବ ଭଳି ସେହି ଆବୁଡ଼ାଖାବୁଡ଼ା ରାସ୍ତାରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ବର୍ଷା ଦିନ ହେଲେ ଲୋକେ ଗାଁରୁ ବାହାରି ପାରୁନାହାନ୍ତି କି ଛାତ୍ରଛାତ୍ରୀମାନେ ପାଠପଢ଼ିବାକୁ ଯାଇ ପାରୁନାହାନ୍ତି। ସରକାର ଆଦିବାସୀମାନଙ୍କୁ ସର୍ବଦା ଗୁରୁତ୍ବ ଦେଇ ଆସୁଥିବା ବେଳେ ପ୍ରଶାସନ ଢିପାମାଳ, ଗୋଛାବାରୀ, ଚକାପଥର, ରାଜନପଲ୍ଲୀ, ନୂଆସାହି ଆଦି ଗ୍ରାମଗୁଡ଼ିକ ଏବେ ସୁଦ୍ଧା ଅବହେଳିତ ହୋଇରହିଛି। ରାସ୍ତା ନିର୍ମାଣର ସମୟସୀମା ଶେଷ ହେବାର ଦୁଇବର୍ଷ ବିତିବାକୁ ବସିଥିଲା ବେଳେ କାମ ସଂପୂର୍ଣ୍ଣ ନ ହୋଇ ପଡ଼ିରହିଛି। ତେବେ ଆଦିବାସୀଙ୍କ ନୂତନ ରାସ୍ତା ନିର୍ମାଣ ସ୍ବପ୍ନ ଅଧୁରା ରହିଯିବ ବୋଲି ଆଲୋଚନା ହେଉଛି। ଏବେ ରାସ୍ତା ଅଭାବରୁ ଲୋକମାନେ ସେହି ଅପନ୍ତରିଆ ରାସ୍ତା ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ପ୍ରତିଦିନ ସେହି ରାସ୍ତା ଦେଇ ଯାଉଥିବା ବାଟୋଇମାନେ ଏଭଳି ଘଟଣାକୁ ନାପସନ୍ଦ କରିବା ସହିତ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି। ପ୍ରଶାସନ ଗାଁ ଆଗରେ ହାର ମାନିଥିବା ବେଳେ ରାସ୍ତା ନିର୍ମାଣକୁ ନେଇ ପୁଣି ଦ୍ବନ୍ଦ୍ବ ଉପୁଜିପାରେ ବୋଲି ଆଶଂକା ପ୍ରକାଶ ପାଇଛି। ଏହି ଘଟଣାରେ ବିଭାଗୀୟ ଯନ୍ତ୍ରୀ ଶରତ କୁମାର ପଢ଼ିଆରୀ, କିଛିଦିନ ଭିତରେ କାମ ଆରମ୍ଭ କରିବାକୁ ଠିକାଦାରକୁ କୁହାଯାଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର