କରୋନା କଟକଣାରେ ଅସଙ୍ଗତି; ଯାତ୍ରାକୁ ଅନୁମତି, କିନ୍ତୁ ନାଇଟ୍ କର୍ଫ୍ୟୁ

ଅଡିଟୋରିୟମ୍ ଖୋଲିବ, କିନ୍ତୁ ସାଂସ୍କୃତିକ କାର୍ଯ୍ୟକ୍ରମ ମନା

ଭୁବନେଶ୍ବର : ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ଅଗଷ୍ଟ ମାସ ପାଇଁ ସରକାର ଅନେକ କଟକଣା କୋହଳ କରିଦେଲେ। କିଛି ନିର୍ଦ୍ଦିଷ୍ଟ କଟକଣାକୁ ଛାଡ଼ିଦେଲେ ବହୁ କ୍ଷେତ୍ରରେ ଜୀବିକାକୁ ସ୍ବାଭାବିକ କରିବା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି। କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନ ଥିଲେ ମଧ୍ୟ ସରକାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। କିନ୍ତୁ କଟକଣାଯୁକ୍ତ ଓ କଟକଣାମୁକ୍ତ କିଛି ବ୍ୟବସ୍ଥାକୁ ନେଇ ତାଳମେଳ ଠିକ୍ ନାହିଁ। ଏହି ଅସଙ୍ଗତିକୁ ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଇଛି। ପୁଣି କିଛି କଟକଣା ପଛରେ କୌଣସି ଯଥାର୍ଥ ଯୁକ୍ତି ନ ଥିବାରୁ ଅସନ୍ତୋଷ ବି ସୃଷ୍ଟି ହୋଇଛି।

YouTube

ଅଗଷ୍ଟ ମାସରେ ସରକାର ଯାତ୍ରା ମଞ୍ଚ ଖୋଲିବାକୁ ଅନୁମତି ଦେଇଛନ୍ତି। କରୋନା ନିୟମ ମାନି ଯାତ୍ରା ମଞ୍ଚସ୍ଥ ହେବ ଓ ୫୦% ଦର୍ଶକ ଯାତ୍ରା ଦେଖିପାରିବେ। କିନ୍ତୁ ସେହି ଗାଇଡ୍‌ଲାଇନ୍‌ରେ ସାରା ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ବି ଜାରି କରାଯାଇଛି। ଅର୍ଥାତ ବାହାରେ ଲୋକ ବୁଲିପାରିବେ ନାହିଁ। ତେଣୁ ନାଇଟ୍ କର୍ଫ୍ୟୁ ଲାଗିଥିବା ସମୟରେ ଯାତ୍ରା କିପରି ମଞ୍ଚସ୍ଥ ହେବ ବୋଲି ପ୍ରଶ୍ନ ଉଠୁଛି। ତେଣୁ ସରକାରଙ୍କର ଯାତ୍ରା ମଞ୍ଚକୁ ଅନୁମତି ଦେବାର ପଦକ୍ଷେପ କଳାକାରମାନଙ୍କୁ ଉତ୍ସାହିତ କରିପାରିନି। ଏ ସମ୍ପର୍କରେ ସରକାର ସ୍ପଷ୍ଟ ମତ ରଖିବାକୁ ଦାବି ହେଉଛି। ସମାନ ଅସଙ୍ଗତି ସୃଷ୍ଟି ହୋଇଛି ଅଡିଟୋରିୟମ୍ କ୍ଷେତ୍ରରେ। ଅଡିଟୋରିମ୍ ଓ ସମ୍ମିଳନୀ କକ୍ଷ ଖୋଲିପାରିବ ବୋଲି ଅଗଷ୍ଟ ମାସର ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ହଲ୍ କ୍ଷମତାର ୫୦% ଲୋକ ବସିପାରିବେ ବୋଲି ସ୍ପଷ୍ଟ ଅଛି। କିନ୍ତୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ତେଣୁ ଅଡିଟୋରିୟମ୍ ଖୋଲିଲେ ତାହା କି କାମରେ ଲାଗିବ ବୁଝାପଡ଼ୁ ନାହିଁ। ପୁଣି ସାଂସ୍କୃତିକ କାର୍ଯ୍ୟକ୍ରମ ନ ହେଲେ ନୃତ୍ୟ, ସଙ୍ଗୀତ ଓ ନାଟକ ଆଦିକୁ ଜୀବିକା କରିଥିବା କଳାକାରମାନେ କିପରି ବଞ୍ଚିବେ ? ଏ ବିଷୟରେ ସରକାର ଚିନ୍ତା କରି ନାହାନ୍ତି।

କେବଳ ଏହି ଦୁଇଟି ପ୍ରସଙ୍ଗ ନୁହେଁ। ଗାଇଡ୍‌ଲାଇନ୍‌ରେ ଥିବା ଆଉ କିଛି କଟକଣାକୁ ନେଇ ମଧ୍ୟ ଅସନ୍ତୋଷ ସୃଷ୍ଟି ହୋଇଛି। ସାରା ରାଜ୍ୟରେ ବିବାହ, ବ୍ରତ, ଅନ୍ତ୍ୟେଷ୍ଟି କ୍ରିୟା ଆଦି ଉପରେ ପୂର୍ବ ପରି କଟକଣା ଜାରି କରାଯାଇଛି। ଭୋଜିକୁ ଅନୁମତି ନାହିଁ। କେବଳ ଖାଦ୍ୟ ପାର୍ସଲ୍ ନେବାକୁ କୁହାଯାଇଛି। ଯଦି ସିନେମା ହଲ୍‌ରେ ୫୦% ଲୋକ ବସିପାରିବେ ଓ ଶହେ ଲୋକଙ୍କୁ ନେଇ ଅଫିସିଆଲ୍ ବୈଠକ ହୋଇପାରିବ, ତେବେ ବିବାହ, ଅନ୍ତ୍ୟେଷ୍ଟି କ୍ରିୟା ଆଦି ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ରହିବାର ଯୁକ୍ତି କ’ଣ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଏପରିକି ଦୈନିକ ସଂକ୍ରମଣ ୧୦ ତଳକୁ ଥିବା ଜିଲ୍ଲାରେ ବି ଏହି କଟକଣା ଜାରି କରାଯାଇଛି। ଫଳରେ ଟେଣ୍ଟ୍, କ୍ୟାଟରିଂ ଆଦି ଜୀବିକାରେ ଥିବା ଲୋକମାନେ ନାହିଁ ନ ଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି।

ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ରାଜନୈତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। କିନ୍ତୁ ଗତ ମାସ ଠାରୁ ରାଜନୈତିକ କାର୍ଯ୍ୟକ୍ରମ ଖୋଲାଖୋଲି ଚାଲିଛି। ରାସ୍ତାରେ ବିକ୍ଷୋଭ, ଶୋଭାଯାତ୍ରା ହେଉଛି। ହଲ୍‌ରେ କର୍ମୀ ସମ୍ମିଳନୀ ଚାଲିଛି। ଏଥି ପାଇଁ କାହାଠାରୁ ଅନୁମତି ନିଆଯାଉନି କି ଏହା ଉପରେ ସ୍ଥାନୀୟ ପ୍ରଶାସନ ରୋକ୍ ଲଗାଉନି। ଅଥଚ ଉପର ଠାଉରିଆ ଭାବେ ଗାଇଡ୍ଲାଇନରେ ଏହାକୁ ବାରଣ କରାଯାଇ ସରକାର କି ବାର୍ତ୍ତା ଦେଉଛନ୍ତି ବୋଲି ସଚେତନ ନାଗରିକମାନେ ପ୍ରଶ୍ନ କରିଛନ୍ତି। ଏହା ଦ୍ବାରା ସରକାରଙ୍କ କରୋନା ଲଢ଼େଇର ସମ୍ପୂର୍ଣ୍ଣ ପ୍ରକ୍ରିୟା ସନ୍ଦେହ ଘେରକୁ ଆସିଯାଉଛି।

ଗାଇଡ୍‌ଲାଇନ୍ ପ୍ରସ୍ତୁତି ସମୟରେ ସରକାର ସବୁ ଦିଗକୁ ବିଚାରକୁ ନେବାର ଆବଶ୍ୟକତା ରହିଛି। କାରଣ ତିନି ମାସ ହେଲା ଜୀବନ ଓ ଜୀବିକା ମଝିରେ ସାଧାରଣ ଲୋକ ଦୟନୀୟ ଭାବେ ଦିନ କାଟୁଛନ୍ତି। ଜୀବିକା ସଙ୍କଟ ସଙ୍ଗୀନ୍ ଆକାର ଧାରଣ କରିଛି। ତେଣୁ ସବୁ କ୍ଷେତ୍ରରେ ଜୀବିକା ଯେପରି ସ୍ବାଭାବିକ ସ୍ଥିତିକୁ ଫେରିବ, ସେଥିପାଇଁ ସରକାର ସୁଚିନ୍ତିତ ଭାବେ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର