ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି (ମଙ୍ଗଳବାର) ଆଇଏଏସ୍‌ ଅଧିକାରୀ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଥିଲା। ୪୭ଜଣ ଆଇଏଏସ୍‌ ଅଧିକାରୀ ଓ ୨ଜଣ ଓଏଏସ୍‌ ଅଧିକାରୀଙ୍କର ଏକସଙ୍ଗେ ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏତେ ବଡ଼ ବଦଳିକୁ ନେଇ ଲମ୍ବା ପ୍ରଶାସନିକ କସ୍‌ରତ ହୋଇଥିଲେ ବି ସେଥିରେ ବଡ଼ ଧରଣର ଅସଙ୍ଗତି ଦେଖିବାକୁ ମିଳିଛି। କେତେକ ଆଇଏଏସ୍‌ ଅଧିକାରୀଙ୍କୁ ତାଙ୍କ ମୂଳ ନିଯୁକ୍ତ ପଦବିରୁ ହଟାଇ ଦିଆଯାଇଥିବାବେଳେ କେବଳ ଅତିରିକ୍ତ ପଦବିରେ ରଖାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ପଦବି ପୂରଣ ହୋଇନି। ଆର୍‌ଡିସି ପଦବିରେ କମିସନର/ସଚିବ, ସ୍ବତନ୍ତ୍ର ସଚିବ ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦେବାର ନିୟମ ଥିବାବେଳେ ଏଠାରେ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଯାହାକୁ ନେଇ ଏବେ ଅଫିସର ମହଲରେ ଚର୍ଚ୍ଚା।

Advertisment

ଗତକାଲି ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଦକ୍ଷିଣାଞ୍ଚଳ ଆର୍‌ଡିସି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଯେତେବେଳେ କି ଆର୍‌ଡିସି ପଦବିରେ ଜଣେ କମିସନର ବା ସ୍ବତନ୍ତ୍ର ସଚିବ ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦେବାର ନିୟମ ରହିଛି। ଏପରି ନିଯୁକ୍ତି ଦେବାର କାରଣ ହେଉଛି ଜିଲ୍ଲାପାଳମାନେ ଅତିରିକ୍ତ ସଚିବ/ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ହୋଇଥିବାରୁ ସେମାନଙ୍କ ଉପରିସ୍ଥ ଅଧିକାରୀ ଭାବେ ଅତି କମ୍‌ରେ ସ୍ବତନ୍ତ୍ର ସଚିବ ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଏ। ହେଲେ ଦକ୍ଷିଣାଞ୍ଚଳ ଆର୍‌ଡିସି ନିଯୁକ୍ତି କ୍ଷେତ୍ରରେ କାହିଁକି ଏ ବିଲକ୍ଷଣ ହେଲା ସେନେଇ ଏବେ ଚର୍ଚ୍ଚା।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ଏହି ବଦଳି ବିଜ୍ଞପ୍ତି ଜାରି କରିବା ପୂର୍ବରୁ ସ୍ବତନ୍ତ୍ର ସଚିବ ପାହ୍ୟାରେ କାର୍ଯ୍ୟ କରୁଥିବା କେତେକ ଆଇଏଏସ୍‌ ଓ ଓଏଏସ୍‌ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ କେହି ଆର୍‌ଡିସି ହୋଇ ଯିବାକୁ ରାଜି ହୋଇନଥିଲେ। ତେଣୁ ଶ୍ରୀ ମହାପାତ୍ର ଆର୍‌ଡିସି ପଦବି ପାହ୍ୟାରେ ପହଞ୍ଚିନଥିଲେ ବି ତାଙ୍କୁ ନିଯୁକ୍ତି ଦିଆଗଲା। ପୂର୍ବରୁ ଏପରି କେବେବି ନିଯୁକ୍ତି ଦିଆଯାଇନଥିବାରୁ ଏହି ବଦଳି ବିଜ୍ଞପ୍ତିକୁ ନେଇ ଅଧିକ ଚର୍ଚ୍ଚା ହେଉଛି। କେବଳ ଦକ୍ଷିଣାଞ୍ଚଳ ଆର୍‌ଡିସି ନୁହେଁ, ଉତ୍ତରାଞ୍ଚଳ ଆର୍‌ଡିସି ଥିବା ସଚିନ୍ ରାମଚନ୍ଦ୍ର ଯାଦବଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ସଚିବ ଭାବେ ବଦଳି ହୋଇଛି। ଏହାସହ ପୂର୍ବରୁ ସେ ଯେପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଥିଲେ ଏବଂ ଉତ୍ତରାଞ୍ଚଳ ଆର୍‌ଡିସି ଭାବେ କାର୍ଯ୍ୟ କରୁଥିଲେ ତାହାକୁ ବି ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠୁଛି କ୍ରୀଡ଼ା ସଚିବ ଭୁବନେଶ୍ବରରେ ବସି କେତେବେଳେ କାମ କରିବେ ଆଉ ଉତ୍ତରାଞ୍ଚଳ ଆର୍‌ଡିସି ଭାବେ ସମ୍ବଲପୁର କେତେବେଳେ ‌ଯିବେ। ଆର୍‌ଡିସି ଭଳି ଗୁରୁତ୍ବପୂର୍ଣ୍ଣ ପଦବି ପାଇଁ ଏପରି ନିଯୁକ୍ତି ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗର ସଚିବ ଗୁହା ପୁନମ୍ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ ଆର୍‌ଡିସି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। 

ଗତକାଲିର ବଦଳି ବିଜ୍ଞପ୍ତିିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି ହୋଇଥିବାବେଳେ ତାଙ୍କୁ ଇଡ୍‌କୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ହେଲେ ସଂସ୍କୃତି ବିଭାଗ ସଚିବ ଭାବେ କାହାକୁ ନିଯୁକ୍ତି ଦିଆଯାଇନି। ରାଜ୍ୟ ସରକାର ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦେଉଥିବାରୁ ସଂସ୍କୃତି ବିଭାଗର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏଠାରେ କିପରି କାହାକୁ ନିଯୁକ୍ତି ଦିଆଗଲାନି ସେନେଇ ବି ଚର୍ଚ୍ଚା ହେଉଛି। କେବଳ ଏତିକି ନୁହେଁ, ବିଏମ୍‌ସି କମିସନର ଭାବେ କାର୍ଯ୍ୟ କରୁଥିବା ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ବିଭାଗ ସଚିବ ଭାବେ ଅତିରିକ୍ତ ନିଯୁକ୍ତି ଦିଆଯାଇଥିଲା। ହେଲେ ଏବେ ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ବିଏମ୍‌ସି କମିସନର ଭାବେ ନିଯୁକ୍ତି ମିଳିଥିଲେ ହେଁ ଶ୍ରୀ ପାଟିଲ ସେହି ଅତିରିକ୍ତ ନିଯୁକ୍ତିରେ ରହି ଯାଇଛନ୍ତି। ଯଦି ଶ୍ରୀ ରାଣା ବିଏମ୍‌ସି କମିସନର ଭାବେ କାର୍ଯ୍ୟରେ ଯୋଗଦେଉଛନ୍ତି ଏବଂ ଶ୍ରୀ ପାଟିଲଙ୍କ ନିଯୁକ୍ତି ନେଇ କିଛି ବିଜ୍ଞପ୍ତି ପ୍ରକାଶ ପାଉନି, ତେବେ ତା‌ଙ୍କ ମୂଳ ନିଯୁକ୍ତି କେଉଁଠି ହେବ ବୋଲି ପ୍ରଶ୍ନ ଉଠୁଛି। ସେହିପରି ସମର୍ଥ ବର୍ମାଙ୍କୁ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଭାବେ କିଛି ମାସ ତଳେ ନିଯୁକ୍ତି ଦିଆଯାଇଥିଲା। ତାଙ୍କୁ ଆଉ ଦୁଇଟି ଅତିରିକ୍ତ ଦାୟିତ୍ବ ମିଳିଥିଲା। ଗତକାଲି ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। କିନ୍ତୁ ଶ୍ରୀ ବର୍ମାଙ୍କର ନିଯୁକ୍ତି ନେଇ କୌଣସି ନିର୍ଦ୍ଦେଶନାମା ଜାରି ହୋଇ ନାହିଁ। ଏହି ଅସଙ୍ଗତି ସମ୍ପର୍କରେ ଚର୍ଚ୍ଚା ହେଲା ପରେ ସାଧାରଣ ପ୍ରଶାସନ ବିଭାଗରେ ପୁଣି କସ୍‌ରତ ଚାଲିଛି। ଚଳିତ ସପ୍ତାହରେ ଆଉ ଏକ ବିଜ୍ଞପ୍ତି ଜାରି କରାଯାଇ ଏସବୁ ଦ୍ବନ୍ଦ୍ବ ଦୂର କରାଯିବ ବୋଲି ଜଣାପଡ଼ିଛି।