ଏସ୍‌ସିବିରେ ଭୁଲ୍‌ କ୍ୟାନ୍‌ସର୍‌ ରିପୋର୍ଟ: ଅଙ୍ଗ ହରାଇଲେ ରୋଗୀ

ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଦୟନୀୟ, ଉଠି ପାରୁନାହାନ୍ତି

ଭୁବନେଶ୍ବର : ରାଜ୍ୟ ସରକାର ଏସ୍‌ସିବି ମେଡିକାଲ କଲେଜକୁ ଏକ ବିଶ୍ବସ୍ତରୀୟ ହସ୍ପିଟାଲରେ ପରିଣତ କରିବାକୁ ଘୋଷଣା କରିଛନ୍ତି। ଏମ୍ସ ପ୍ଲସ୍ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ, ଚିକିତ୍ସା ପାଇଁ ଯାଉଥିବା ସାଧାରଣ ରୋଗୀଙ୍କୁ ଠିକ୍ ନମୁନା ରିପୋର୍ଟ ଦେଇପାରୁନି ଏସ୍‌ସିବି। ଏସ୍‌ସିବି ପାଥୋଲୋଜି ବିଭାଗର ଏଭଳି ଏକ ଗୁରୁତର ଭୁଲ୍ ପାଇଁ ଜଣେ ରୋଗୀଙ୍କୁ ନିଜର ଅଙ୍ଗ ହରାଇବାକୁ ପଡ଼ିଛି। ରୋଗୀଙ୍କ ସ୍ଥିତି ଏବେ ଦୟନୀୟ। ପାଥୋଲୋଜି ବିଭାଗର କର୍ମଚାରୀ ଜଣକ ଏହାକୁ ଏକ ହ୍ୟୁମାନ୍ ଏରର୍ ବା ମନୁଷ୍ୟକୃତ ତ୍ରୁଟି ବୋଲି କହି ଖସିଯାଇଛନ୍ତି। ଯେଉଁ ରୋଗୀ ଜଣକ ନିଜର ଅଙ୍ଗ ହରାଇଲେ ତାଙ୍କର ହୋଇଥିବା କ୍ଷତିର କିଏ ଭରଣା କରିବ ?

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଅନନ୍ତପୁର ଅଞ୍ଚଳର ପ୍ରଦୀପ୍ତା ଶତପଥୀଙ୍କ ଛାତିରେ ଏକ ମାଂସ ବଢ଼ୁଥିବାରୁ ଗତବର୍ଷ ଅଗଷ୍ଟ ୬ତାରିଖରେ ଏସ୍‌ସିବର ସର୍ଜରି ବିଭାଗକୁ ଚିକିତ୍ସା ପାଇଁ ଯାଇଥିଲେ। ‌ସେଠାରେ ତାଙ୍କର କ୍ୟାନ୍‌ସର୍‌ ପାଇଁ ଆବଶ୍ୟକ ପରୀକ୍ଷା କରାଯାଇଥିଲା। ବା‌ୟୋପ୍ସି ରିପୋର୍ଟ ନେଗେଟିଭ୍ ଆସିଥିଲା। ଡାକ୍ତର ୨ମାସ ପାଇଁ ଔଷଧ ଖାଇବା ଲାଗି ପରାମର୍ଶ ଦେଇଥିଲେ। ତେବେ ଶରୀରରେ ବଢ଼ୁଥିବା ମାଂସକୁ ସଂପୂର୍ଣ୍ଣଭାବେ ଅସ୍ତ୍ରୋପଚାର କରିବା ଲାଗି ସଂପୃକ୍ତ ରୋଗୀ ଚଳିତବର୍ଷ ଜାନୁଆରି ମାସରେ ପୁଣିଥରେ ଏସ୍‌ସିବି ଆସିଥିଲେ। ଡାକ୍ତର ଜାନୁଆରି ୨୬ତାରିଖ ପରେ ଅସ୍ତ୍ରୋପଚାର ପାଇଁ ସମୟ ଦେଇଥିଲେ। କିନ୍ତୁ, ଏହି ସମୟରେ କରୋନାର ତୃତୀୟ ଲହର ଆରମ୍ଭ ହୋଇ ଯାଇଥିଲା। ତେଣୁ ଅସ୍ତ୍ରୋପଚାରକୁ ମାର୍ଚ୍ଚମାସକୁ ଘୁଞ୍ଚାଇ ଦେଇଥିଲେ ଡାକ୍ତର। ଶେଷରେ ମାର୍ଚ ୧୬ତାରିଖରେ ଏସ୍‌ସିବିର ସର୍ଜରି ବିଭାଗରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ମାଂସକୁ ବାହାରି କରି ଦିଆଯାଇଥିଲା।

ପାଥୋଲୋଜି କର୍ମଚାରୀ କହିଲେ‌; ଆଇ ଆମ୍ ସରି, ହ୍ୟୁମାନ୍ ଏରର
ରିପୋର୍ଟର ସତ୍ୟାସତ୍ୟ ପାଇଁ ପଠାଯାଇଛି : ଏସ୍‌ସିବି ଅଧୀକ୍ଷକ

ଅସ୍ତ୍ରୋପଚାର ପରେ ବାହାରିଥିବା ମାଂସକୁ ବାୟୋପ୍ସି ପାଇଁ ପୁଣିଥରେ ପଠାଯାଇଥିଲା। ଏପ୍ରିଲ ୬ତାରିଖରେ ରିପୋର୍ଟ କ୍ୟାନସର ପଜିଟିଭ୍ ଥିବା ଆସିଥିଲା। ଯାହାକୁ ନେଇ ତାଙ୍କ ପରିବାର ଲୋକ ଭାଙ୍ଗି ପଡ଼ିଥିଲେ। ସେଠାରେ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ। ଏସ୍‌ସିବି ପାଥୋଲୋଜି ଦେଇଥିବା ରିପୋର୍ଟକୁ ଆଧାର କରି ମେ’ ୧୩ତାରିଖରେ ଡାକ୍ତର ପୁଣିଥରେ ଅସ୍ତ୍ରୋପଚାର କରିଥିଲେ। ଏସ୍‌ସିବି ପାଥୋଲୋଜି ରିପୋର୍ଟରେ କ୍ୟାନସର ବାହାରିଥିବାରୁ ଡାକ୍ତର ତାଙ୍କର କେମୋ ଚିକିତ୍ସା ଆରମ୍ଭ କରିଥିଲେ। ଜୁନ୍ ମାସରୁ ବର୍ତମାନ ସୁଦ୍ଧା ତାଙ୍କର ୨ଟି କେମୋ ଦିଆଯାଇଛି। ତେବେ ତାଙ୍କୁ କେ‌ତୋଟି କେ‌ମୋ ଓ କେତୋଟି ରେଡିଓଥେରାପି ଦିଆଯିବା ତାହାର ଅନୁଶୀଳନ କରିବା ଲାଗି ଆଚାର୍ଯ୍ୟ ହରିହରର ରେଡିଓଥେରାପିଷ୍ଟ ସଂପୃକ୍ତ ହସ୍ପିଟାଲର ପାଥୋଲୋଜି ବିଭାଗକୁ ଏହାର ରିପୋର୍ଟ ମାଗିଥିଲେ। ମାତ୍ର ପାଥୋଲୋଜି ବିଭାଗ ପକ୍ଷରୁ ତାଙ୍କର କୌଣସି ଟିସ୍ୟୁ ନ ଥିବା ରିପୋର୍ଟ ଦିଆଯାଇଥିଲା।

www.telegraphindia.com

ଯାହାଫଳରେ ପ୍ରଦୀପ୍ତାଙ୍କ ଚିକିତ୍ସା କରୁଥିବା ରେଡିଓଥେରାପିଷ୍ଟଙ୍କ ସନ୍ଦେହ ହୋଇଥିଲା। ଏସ୍‌ସିବିର ପାଥୋଲୋଜି ବିଭାଗରେ ପରୀକ୍ଷା ପଜିଟିଭ୍ ଆସିଥିବା ନମୁନାର ଆଉଥରେ ଆଚାର୍ଯ୍ୟ ହରିହରରେ ପରୀକ୍ଷା ପାଇଁ କହିଥିଲେ। ମାତ୍ର ଏସ୍‌ସିବିର କର୍ମଚାରୀ ଏହି ନମୁନା ଦେବାକୁ ମନା କରିଥିଲେ। ପରେ ହିଷ୍ଟୋପାଥୋଲୋଜିକୁ ଯିବାପରେ ସେଠାରେ ଉପସ୍ଥିତ କର୍ମଚାରୀ ପି-୫୩ ଓ ପି-୬୩ରେ ସଂଶୋଧନ କରି ରିପୋର୍ଟ ଦେଇଥିଲେ। ରିପୋର୍ଟକୁ ନେଇ ଦ୍ବନ୍ଦ୍ବରେ ପଡ଼ିବାପରେ ତାଙ୍କ ପରିବାର ଲୋକ ନମୁନାକୁ ନେଇ ଏକ ଘରୋଇ ଲ୍ୟାବ୍‌ରେ ପରୀକ୍ଷା କରିଥିଲେ। ସେଠାରେ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହି ରିପୋର୍ଟକୁ ଆଚାର୍ଯ୍ୟ ହରିହରର ରେଡିଓଥେରାପିଷ୍ଟଙ୍କୁ ଦେଖାଇବା ପରେ ସେ ଏସ୍‌ସିବିରେ ହୋଇଥିବା ପରୀକ୍ଷାର ରିପୋର୍ଟ ନମୁନା ମାଗିଥିଲେ। ଏସ୍‌ସିବିର ପାଥୋଲୋଜି ବିଭାଗରେ ଘରୋଇ ହସ୍ପିଟାଲ ରିପୋର୍ଟ ଦେଖାଇବା ପରେ କର୍ମଚାରୀ ଜଣକ ପୁଣିଥରେ ଯାଞ୍ଚ କରିଥିଲେ। ସେଠାରେ ପ୍ରଦୀପ୍ତାଙ୍କ ନମୁନା ରିପୋର୍ଟ ନମ୍ବର ପି-୬୩ ଥିବା ବେଳେ ତାଙ୍କୁ ପି-୫୩ ରିପୋର୍ଟ ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା। ଉପସ୍ଥିତ କର୍ମଚାରୀ ଜଣକ ଏହା ଟାଇପିଂ ଭୁଲ ପାଇଁ ଏଭଳି ହୋଇଥିବା କହିଥିଲେ। ତା’ପରେ ସଂଶୋଧିତ ରିପୋର୍ଟ ଦେଇଥିଲେ। ‌ହେଲେ, ସେତେବେଳକୁ ପ୍ରଦୀପ୍ତାଙ୍କ ଅସ୍ତ୍ରୋପଚାର ଜରିଆରେ ଅଙ୍ଗ କଟା ହୋଇଥିବା ବେଳେ ୨ଟି କେମୋ ମଧ୍ୟ ଦିଆସରିଥିଲା। ତାଙ୍କ ପରିବାର ଲୋକ ଏହାର ବିରୋଧରେ ଏସ୍‌ସିବିର ଅଧୀକ୍ଷକଙ୍କୁ ଭେଟି ଏହି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବା ଲାଗି ନିବେଦନ କରିଥିଲେ। ଏହା ଭିତରେ ୪ଦିନ ବିତି ଗଲାଣି। ଏସ୍‌ସିବି କର୍ତୃପକ୍ଷ କ’ଣ ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ।

ଏ ସଂପର୍କରେ ଏସ୍‌ସିବିର ଅଧୀକ୍ଷକ ପ୍ରଫେସର ଲୁସି ଦାସଙ୍କୁ ‘ସମ୍ବାଦ’ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ଫ୍ରଫେସର ଦାସ କହିଥିଲେ ଯେ ଗତ ୨୨ତାରିଖ‌ରେ ଏଭଳି ଅଭିଯୋଗ ଆସିଛି। ଏହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ପାଥୋଲୋଜି ବିଭାଗର ଏଚ୍‌ଓଡିଙ୍କୁ କୁହାଯାଇଛି। ‌ସେଠାରୁ ରିପୋର୍ଟ ଆସିନାହିଁ। ରିପୋର୍ଟ ଆସିବା ପରେ କିଛି ମନ୍ତବ୍ୟ ଦେଇପାରିବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର