ଭୁବନେଶ୍ୱର: ବସ୍ ଯାତ୍ରୀଙ୍କ ଉପରେ ଭଡ଼ା ବୋଝ ଲଦି ଦେଇଛନ୍ତି ସରକାର। ଏଣିକି ସାଧାରଣ ବସ୍ରେ ଚଢ଼ିକି ଓହ୍ଲାଇଲେ ବି ୫ଟଙ୍କା ଭଡ଼ା ଦେବାକୁ ହେବ। ଯଦି ଡିଲକ୍ସ କି ଡିଲକ୍ସ ଏସି ବସ୍ରେ ଚଢ଼ିକି ଓହ୍ଲାଇବ ତେବେ ୧୩ଟଙ୍କା ଗଣିବ। ଆଉ ଯେତେ କିଲୋମିଟର ଯିବ ସେହି ଅନୁଯାୟୀ ଅଧିକ ଭଡ଼ା ଦେବ। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ପ୍ରକାରର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବସ୍ ଯାତ୍ରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ବସ୍ ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ମୌଳିକ ସୁବିଧା ସୁଯୋଗ ଯୋଗାଇବାକୁ ଯୋଜନା ନକରି ହଠାତ୍ ଏହିଭଳି ବିଜ୍ଞପ୍ତି ଜାରି କରିଛନ୍ତି।
କେବଳ ଏତିକି ନୁହେଁ। ରାଜ୍ୟ ସରକାର ବସ୍ ଭଡ଼ା ଏକସଙ୍ଗେ ୪ରୁ ୬ପଇସା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିରେ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୬୦ରୁ ୬୪ପଇସାକୁ, ଏକ୍ସପ୍ରେସ୍ ବସ୍ ପାଇଁ ୬୩ରୁ ୬୭ପଇସାକୁ, ଡିଲକ୍ସ ବସ୍ ଭଡ଼ା ୮୪ରୁ ୮୯ପଇସାକୁ ଏବଂ ଡିଲକ୍ସ ଏସି ବସ୍ ଭଡ଼ା ୧ଟଙ୍କା ୫ପଇସାରୁ ୧ଟଙ୍କା ୧୧ପଇସାକୁ ବଢ଼ାଇ ଦେଇଛନ୍ତି। ଡିଜେଲ୍ ଦାମ୍ ବଢ଼ିଲେ କି କମିଲେ ସେହି ଅନୁଯାୟୀ ପ୍ରତି ୧୫ଦିନରେ ବସ୍ ଭଡ଼ା କମାଇବା ପାଇଁ ସ୍ୱୟଂଚାଳିତ ପ୍ରକ୍ରିୟା ହୋଇଥିବାବେଳେ ହଠାତ୍ ରାଜ୍ୟ ସରକାର ବସ୍ ଭଡ଼ା ୪ରୁ ୬ପଇସା ବଢ଼ାଇବା ଅନେକଙ୍କୁ ଚକିତ କରିଛି।
ଏତିକିରେ ଯାତ୍ରୀଙ୍କ ଉପରେ ଜୁଲମ୍ କମିନି। ବୋଝ ଉପରେ ନଳିତା ବିଡ଼ା ଭଳି ଯାତ୍ରୀ ନିଜ ସହିତ ନେଉଥିବା ସାମଗ୍ରୀ ଉପରେ ବି ଭଡ଼ା ଦେବାକୁ ପଡ଼ିବ। ବିମାନରେ ଯେପରି ଜଣେ ଯାତ୍ରୀ ପିଛା ୧୫କେଜି ନେଇ ଯିବାକୁ ନିୟମ ଅଛି ସେହିଭଳି ବସ୍ ଯାତ୍ରୀ ନିଜ ସହିତ ୧୫କେଜି ସାମଗ୍ରୀ ନେଇପାରିବେ। ଏହାଠାରୁ ଅଧିକ ସାମଗ୍ରୀ ନେଲେ ୨୦କେଜି ପର୍ଯ୍ୟନ୍ତ ସାମଗ୍ରୀ ପାଇଁ କିଲୋମିଟର ପିଛା ୭ପଇସା ଲେଖାଏଁ ଦେବାକୁ ହେବ। ବିମାନରେ ଯେତିକି ସିଟ୍ ସର୍ବାଧିକ ସେତିକି ଯାତ୍ରୀ ଯିବା ବ୍ୟବସ୍ଥା ଥିଲେ ହେଁ ବସ୍ରେ ସେହି ବ୍ୟବସ୍ଥା ଲାଗୁ ନ କରି ସାମଗ୍ରୀ ଉପରେ ସରକାର ଭଡ଼ା କଷି ଦେଇଛନ୍ତି।
ଏଣିକି ପ୍ରତିିବର୍ଷ ବଜେଟ୍ ଅଧିବେଶନ ପରେ ପରିବହନ କମିସନର ଏପ୍ରିଲ ମାସରେ ଭଡ଼ା ନିର୍ଦ୍ଧାରଣ କରିବେ। ଏହି ଭଡ଼ା ଡିଜେଲ୍ ଭଡ଼ା ବୃଦ୍ଧିକୁ ବାଦ୍ ଦେଇ ଧାର୍ଯ୍ୟ ହେବ। ଏହାପରେ ଡିଜେଲ୍ ଦର ବଢ଼ିଲେ କି କମିଲେ ପ୍ରତି ୧୫ଦିନରେ ଭଡ଼ା ବଢ଼ିବା କମିବା ନିଷ୍ପତ୍ତି ନିଆଯିବ ବୋଲି ବିଜ୍ଞପ୍ତି ଜାରି ହୋଇଛି।
ଏନେଇ ଘରୋଇ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ, ଗତ ୨ବର୍ଷ ହେଲା ସର୍ବନିମ୍ନ ବସ୍ ଭଡ଼ା ବୃଦ୍ଧି ପାଇନଥିଲା। କେବଳ ଡିଜେଲ୍ ଦର ବଢ଼ିଲେ ଭଡ଼ା ବଢ଼ୁଥିଲା। କିନ୍ତୁ ଅନ୍ୟ ପାରାମିଟର ଅନୁଯାୟୀ ଟାୟାର, ଟ୍ୟୁବ୍, ମୋବିଲ୍, ଚେସିସ୍, ଟ୍ୟାକ୍ସ ଭଳି ୧୨ଟି ଉପାଦାନର ବୃଦ୍ଧିକୁ ନଜରରେ ରଖି ଭଡ଼ା ବୃଦ୍ଧି ହେଉନଥିଲା। ପୂର୍ବରୁ ରାଜ୍ୟ ସରକାର ୧୩ଟି ପାରାମିଟରକୁ ନଜରରେ ରଖି ପ୍ରତିବର୍ଷ ଭଡ଼ା ବୃଦ୍ଧି କରୁଥିଲେ। ପ୍ରତିବର୍ଷ ସର୍ବନିମ୍ନ ଭଡ଼ା ବଢ଼ାଇବାକୁ ଦାବି କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ସେହିପରି ଏଣିକି ବସ୍ରେ ରିହାତି ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି। ଏଚ୍ଆଇଭି/ଏଡ୍ସ ସଂକ୍ରମିତଙ୍କୁ ଶତ ପ୍ରତିଶତ ଭଡ଼ା ଛାଡ଼ ହେବ। ସଂପୂର୍ଣ୍ଣ ଦୃଷ୍ଟିହୀନଙ୍କୁ ଶତ ପ୍ରତିଶତ ଭଡ଼ା ଛାଡ଼ ସହ ସାଙ୍ଗରେ ଯାଉଥିବା ଯାତ୍ରୀଙ୍କୁ ଅଧା ଭଡ଼ା ଛାଡ଼, ମାନସିକ ବିକାରଗସ୍ତ ଓ ଶାରୀରିକ ଭିନ୍ନକ୍ଷମଙ୍କୁ ପୂରା ଭଡ଼ା ଛାଡ଼ ହେବ। ସେମାନଙ୍କ ସହ ଯାଉଥିବା ଯାତ୍ରୀ ଅଧା ଭଡ଼ା ଦେଇ ଯାଇପାରିବେ। ସଂପୂର୍ଣ୍ଣ ଶୁଭା ଯାଉନଥିବା ଯାତ୍ରୀଙ୍କୁ ବି ପୂରା ଭଡ଼ା ଛାଡ଼ ହେବ। କିନ୍ତୁ ତାଙ୍କ ସହ ଯାଉଥିବା ଯାତ୍ରୀଙ୍କୁ ପୂରା ଭଡ଼ା ଦେବାକୁ ହେବ।