ଗଣଶିକ୍ଷା ବିଭାଗକୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ: ପିଲାଙ୍କ ଟିକାକରଣ ବଢ଼ାଅ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିବା ରେ ରାଜ୍ୟ ସରକାର ଟିକାକରଣକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି। ସ୍କୁଲ, କଲେଜ ଖୋଲିଥିବା କାରଣରୁ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହୋଇଛି। ତେଣୁ ଯେଉଁ ପିଲାମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ଚିହ୍ନଟ କରି ଟିକାକରଣ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

ପିଲାଙ୍କ ଟିକାକରଣରେ ପଛରେ ପଡ଼ିଛନ୍ତି ପୁରୀ, କଟକ
ରାଜଧାନୀରେ ୧୨-୧୪ବର୍ଷର ପିଲାଙ୍କ ଟିକାକରଣ ଉତ୍ସାହଜନକ ନୁହେଁ
ଶତ ପ୍ରତିଶତ ଟିକାକରଣ ପାଇଁ ସ୍କୁଲ/କଲେଜରେ ଅଧିବେଶନ ଆୟୋଜନ କର

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଚିଠିରେ କୁହାଯାଇଛି ଯେ ଜାନୁଆରି ମାସରୁ ରାଜ୍ୟରେ ୧୫-୧୭ବର୍ଷର ପିଲାଙ୍କ ଟିକାକରଣ ଆରମ୍ଭ ହୋଇଥିଲା। ଚଳିତମାସ ୨୦ତାରିଖ ସୁଦ୍ଧା ରାଜ୍ୟରେ ୧୫-୧୭ବର୍ଗର ୨୧.୪୬ଲକ୍ଷ ବା ୯୦ ପ୍ରତିଶତ ପିଲା ନିଜର ପ୍ରଥମ ଡୋଜ୍ ନେଇଛନ୍ତି। ଯେଉଁ ମାନଙ୍କର ଦ୍ବିତୀୟ ଟିକାକରଣ ଅବଧି ହୋଇଛି ସେମାନଙ୍କ ମଧ୍ୟରୁ ୧୬.୭୯ ବା ୭୯ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇ ସାରିଛନ୍ତି। ସେହିପରି ୧୨-୧୪ବର୍ଷର ୧୪.୨୫ ବା ୯୪ ପ୍ରତିଶତ ପ୍ରଥମ ଡୋଜ୍ ନେଇଥିବା ବେଳେ ୯ଲକ୍ଷ ବା ୬୭ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ତେବେ ଜିଲ୍ଲାୱାରୀ ଟିକାକରଣରେ ତାରତମ୍ୟ ଦେଖିବାକୁ ମିଳୁଛି। ତେଣୁ ଜିଲ୍ଲା ଶିକ୍ଷା ଅଧିକାରୀ ବା ଡିଇଓମାନେ ସ୍କୁଲ/କଲେଜରେ ଟିକା ନେଇ ନ ଥିବା ପିଲାଙ୍କୁ ଚିହ୍ନଟ କରିବା ଲାଗି ନିର୍ଦେଶ ଦିଆଯାଉ। ଏହାସହ ଶତ ପ୍ରତିଶତ ଟିକାକରଣ ପାଇଁ ସ୍କୁଲ/କଲେଜରେ ଟିକାକରଣ ଅଧିବେଶନ ଆୟୋଜନ କରିବା ଲାଗି ମାଇକ୍ରୋପ୍ଲାନିଂ ପ୍ରସ୍ତୁତ କରାଯାଉ। ଡିଇଓମାନେ ସ୍ଥାନୀୟ ସିଡିଏମ୍‌ଓଙ୍କ ସହିତ ଆଲୋଚନା କରି ଟିକାକରଣକୁ ତ୍ବରାନ୍ବିତ କରିବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି।

Cleveland Clinic Health Essentials

ଅପରପକ୍ଷରେ ୧୨-୧୪ବର୍ଷର ପିଲାଙ୍କ ଟିକାକରଣରେ ପଛରେ ପଡ଼ିଛନ୍ତି ପୁରୀ ଓ କଟକ ଜିଲ୍ଲା। କଟକରେ ୭୧ ପ୍ରତିଶତ ଓ ପୁରୀରେ ୭୬ ପ୍ରତିଶତ ପିଲା ପ୍ରଥମ ଡୋଜ୍ ନେଇଛନ୍ତି। ଭୁବନେଶ୍ବର ସହରାଞ୍ଚଳରେ ୪୧.୫ ପ୍ରତିଶତ ପିଲା ପ୍ରଥମ ଡୋଜ୍ ନେଇଛନ୍ତି। ଏ ଦୃଷ୍ଟିରୁ ଭୁବନେଶ୍ବର ମ୍ୟୁନିସିପାଲଟିରେ ଟିକାକରଣ ବଢ଼ାଇବା ଲାଗି କମିସନରଙ୍କୁ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଚିଠି ଲେଖିଛି। ରାଜ୍ୟର ୧୨ଟି ଜିଲ୍ଲାରେ ଶତ ପ୍ରତିଶତରୁ ଅଧିକ ଟିକାକରଣ ହୋଇଛି। ସେହିପରି ୧୫-୧୭ବର୍ଷର ପିଲାଙ୍କ ଟିକାକରଣରେ ମଧ୍ୟ ଏହି ଦୁଇ ଜିଲ୍ଲା ପଛରେ ରହିଛନ୍ତି। କଟକରେ ୬୭.୯ ପ୍ରତିଶତ ଓ ପୁରୀରେ ୬୮ପ୍ରତିଶତ ପିଲା ପ୍ରଥମ ଡୋଜ୍ ନେଇଛନ୍ତି। ଏହି ବର୍ଗର ପିଲାଙ୍କ କ୍ଷେତ୍ରରେ ୭ଟି ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ କରାଯାଇଛି।

ସମ୍ବନ୍ଧିତ ଖବର