କମୁନି ବାଲ୍ୟ ବିବାହ, କମୁଛି ଏତଲା; ଅସନ୍ତୋଷ ଝାଡ଼ିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ

ପ୍ରତି ମାସ ୭ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ

ଭୁବନେଶ୍ୱର : ଅଧିକାଂଶ ବାଲ୍ୟ ବିବାହ ମାମଲାରେ ଧରପଗଡ ହେଉଛି। ବାଲ୍ୟ ବିବାହ ନିବାରଣ ଅଧିକାରୀମାନେ ଏହାକୁ ପ୍ରତିରୋଧ କରିବାରେ ସକ୍ଷମ ହେଉଛନ୍ତି। ଅଥଚ ଏସବୁ ମାମଲା ଜିଲ୍ଲା ଶିଶୁ କଲ୍ୟାଣ କମିଟି ସାମ୍ନାକୁ ଅଣାଯାଉନାହିଁ। ଗୋଟିଏ ଦୁଇଟି ନୁହେଁ, ପ୍ରତି ଜିଲ୍ଲାରେ ଏଭଳି ଘଟଣାମାନ ଘଟୁଛି। ଏକଥା ବି ଦେଖାଯାଉଛି ଯେ ଯେତିକି ଧରପଗଡ ହେଉଛି, ସେ ସବୁ ଘଟଣାରେ ବାଲ୍ୟ ବିବାହ ନିବାରଣ ଅଧିକାରୀମାନେ ଥାନାରେ ଏତଲା ମଧ୍ୟ ଦେଉନାହାନ୍ତି। ପରିଣାମ ହେଲା, ଏହି ଘଟଣାରେ ଯେଭଳି ପଦକ୍ଷେପ ନିଆଯିବା କଥା ତାହା ନିଆଯାଇପାରୁନାହିଁ। ଏହାର ସିଧାସଳଖ ପ୍ରଭାବ ପୀଡ଼ିତା ଉପରେ ପଡ଼ୁଛି ଓ ଜୀବନ ସାରା ସେ ଏଥିପାଇଁ ମୂଲ୍ୟ ଦେଉଛି। ଏମିତିକି କିଛି କ୍ଷେତ୍ରରେ ପୀଡ଼ିତା ବିବାହ ଜନିତ ଯୌନ ଶୋଷଣର ଶିକାର ହେଉଛନ୍ତି। କିଛି ନାବାଳିକା ଘର ଛାଡ଼ି ପଳାୟନ କରୁଛନ୍ତି। ଓ ଶିଶୁ ଶ୍ରମିକ ବ୍ୟବସ୍ଥାକୁ ବି ଏହା ବଳ ଦେଉଛି।

ନବରଙ୍ଗପୁରରେ ସବୁଠୁ ଅଧିକ, ପଛକୁ ନୟାଗଡ଼
ଶିକ୍ଷିତ ଜିଲ୍ଲାରେ ବାଲ୍ୟବିବାହ ସ୍ଥିତି ଉଦ୍‌ବେଗଜନକ

ଏକଥା ଆମେ କହୁନାହୁଁ। ରାଜ୍ୟର ସମସ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ବାଲ୍ୟ ବିବାହ ନିବାରଣ ଅଧିକାରୀ ତଥା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଚିଠି ଲେଖି ଏମିତି ଅସନ୍ତୋଷ ଝାଡ଼ିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ବିଭାଗର ଯୁଗ୍ମ ସଚିବ ବିଥିକା ସ୍ବାଇଁ ଚିଠିରେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ସରକାରୀ କାର୍ଯ୍ୟାନୁଷ୍ଠାନ ନ ହେବା ଦ୍ବାରା ପୀଡ଼ିତାମାନେ ଜୀବନସାରା ନିର୍ଯାତନାର ଶିକାର ହେବା ଘଟଣାରେ ରୋକ୍ ଲାଗିବା ଦରକାର। ଏଣୁ ବାଲ୍ୟ ବିବାହ ମାମଲାରେ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯିବାର ୨୪ ଘଣ୍ଟା ମଧ୍ୟରେ ଶିଶୁ ମଙ୍ଗଳ କମିଟି ଆଗରେ ହାଜର କରିବାକୁ ଅଧିକାରୀମାନେ ବାଧ୍ୟ। ଏଥିସହ ଉଦ୍ଧାର ହୋଇଥିବା ନାବାଳିକାଙ୍କ ସ୍ଥିତି ସମ୍ପର୍କରେ ୬ ମାସ କିମ୍ବା ବିବାହ ବୟସ ପର୍ଯ୍ୟନ୍ତ ଅନୁଧ୍ୟାନ କରିବା ଜରୁରୀ। ନାବାଳିକାର ଉତ୍ତମ ସ୍ୱାସ୍ଥ୍ୟ ଓ ଭବିଷ୍ୟତ ପାଇଁ ଜିଲ୍ଲା ପ୍ରଶାସନ ତାକୁ ବିଦ୍ୟାଳୟକୁ ଫେରାଇ ଆଣିବା ସହ ସେମାନଙ୍କ ଦକ୍ଷତା ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭାଗ ପରାମର୍ଶ ଦେଇଛି। ଏହାବ୍ୟତୀତ ଶିଶୁ ସୁରକ୍ଷା ଅଧିକାରୀ ଓ ସମାଜ ମଙ୍ଗଳ ଅଧିକାରୀ ମିଳିତ ଭାବେ ନେଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରତି ମାସର ୭ ତାରିଖ ସୁଦ୍ଧା ଦେବାକୁ ବିଭାଗ ଚିଠିରେ ନିର୍ଦ୍ଦେଶ ଦେଇଛି।

ସଂପ୍ରତି ବାଲ୍ୟ ବିବାହ ଭଳି କୁପ୍ରଥାକୁ ରୋକିବା ପାଇଁ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ଜିଲ୍ଲା‌ ଓ ବ୍ଲକସ୍ତରରେ ସ୍ବତନ୍ତ୍ର ଅଭିଯାନ ଚାଲିଛି। ଏହାପରେ ବି ଏହି ସାମାଜିକ ବ୍ୟାଧି କମିବା ନାଁ ଧରୁନାହିଁ। ଏହା ଏବେ ଅତି ସମ୍ବେଦନଶୀଳ ପ୍ରସଙ୍ଗରେ ପରିଣତ ହୋଇଛି। ଘଟଣାର ଗୁରୁତ୍ବ ବଢ଼ିବାର ଅନ୍ୟ ଏକ କାରଣ ହେଲା, ନିକଟରେ ସାମ୍ନାକୁ ଆସିଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ-୫ ଅନୁସାରେ, ଓଡ଼ିଶା ବାଲ୍ୟ ବିବାହ କ୍ଷେତ୍ରରେ ସାମଗ୍ରିକ ଭାବେ ଜାତୀୟ ହାର ଠାରୁ ତଳେ ରହିଛି। ହେଲେ ବେଶ୍ କିଛି ଜିଲ୍ଲା ଏ କ୍ଷେତ୍ରରେ ଜାତୀୟ ହାର ଠାରୁ ଢେର୍ ଉପରେ ଅଛନ୍ତି। ଆହୁରି ଉଦ୍‌ବେଗର ବିଷୟ ହେଲା, ଉପାନ୍ତ ଅଞ୍ଚଳ ନୁହେଁ, ବରଂ ବେଶ୍ ଶିକ୍ଷିତ ଜିଲ୍ଲାମାନଙ୍କରେ ଏ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି।

New Indian Express

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ-୫ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୨୧.୩% ଝିଅ ବାଲ୍ୟ ବିବାହ କରୁଛନ୍ତି। ଯେତେବେଳେ କି ଜାତୀୟ ହାର ୨୬.୮% ରହିଛି। ରାଜ୍ୟରେ ୧୮ ବର୍ଷ ପୂର୍ବରୁ ୨୦.୫% ଝିଅ ବିବାହ କରୁଥିବା‌ ବେଳେ ୨୧ ବର୍ଷ ପୂର୍ବରୁ ୧୩.୩% ପୁଅ ବିବାହ କରୁଛନ୍ତି। ତେବେ ଗତ ୫ବର୍ଷରେ ପୁଅଙ୍କ କ୍ଷେତ୍ରରେ ବାଲ୍ୟ ବିବାହ ୨.୩% ବୃଦ୍ଧି ପାଇଥିବା ବେଳେ ଝିଅଙ୍କ କ୍ଷେତ୍ରରେ ୦.୮% ହ୍ରାସ ପାଇଛି। ବାଲ୍ୟ ବିବାହ କ୍ଷେତ୍ରରେ ନବରଙ୍ଗପୁର ସବୁଠୁ ଆଗରେ (୩୯.୪%) ରହିଛି। ନୟାଗଡ଼ରେ ଏହି ହାର ୩୫%, କୋରାପୁଟ ୩୫.୫%, ମାଲକାନଗିରି ୩୨.୪%, ରାୟଗଡ଼ା ୩୩.୨%, ମୟୂରଭଞ୍ଜ ୩୧.୨% ରହିଛି। ବାଲେଶ୍ବର, ବୌଦ୍ଧ, ଢେଙ୍କାନାଳ, ଗଜପତି, ଅନୁଗୁଳ, ଗଞ୍ଜାମ ଜିଲ୍ଲାରେ ମଧ୍ୟ ସ୍ଥିତି ଉଦ୍‌ବେଗଜନକ ରହିଛି। ୧୫-୧୯ ବର୍ଷ ବୟସ ମଧ୍ୟରେ ମାତୃତ୍ବ ଲାଭ କରୁଥିବା ଝିଅଙ୍କ ସଂଖ୍ୟା ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ରହିଛି। ଏହି ଜିଲ୍ଲାରେ ୧୭.୨% ଝିଅ କମ ବୟସରେ ମାତୃତ୍ବ ଲାଭ କରୁଛନ୍ତି। ୨୦୩୦ ସୁଦ୍ଧା ଯେପରି ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ରୋକା ଯାଇପାରିବ, ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖିଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ସଚେତନମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ କମିସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର